Skip to main content

ଆଫଗାନ ଶାନ୍ତି କଥାବାର୍ତ୍ତା : ଏକ ଆଶାର କିରଣ



ବହୁ ମାସ ଧରି ତନାଘନା ଆଲୋଚନା ପରେ ଆଫଗାନିସ୍ତାନ ସରକାର ଏବଂ ତାଲିବାନ ମଧ୍ୟରେ ବହୁ ପ୍ରତୀକ୍ଷିତ ଶାନ୍ତି କଥାବାର୍ତ୍ତା ଏକ ନିର୍ଦ୍ଦିଷ୍ଟ ମୋଡ଼ରେ ଉପନୀତ ହୋଇଥିବାର ଜଣାପଡିଛି। ଭବିଷ୍ୟତରେ କୌଣସି ଏଜେଣ୍ଡା ଉପରେ ଆଲୋଚନା କରିବା ଏବଂ ଏହାର ପ୍ରକ୍ରିୟାକୁ ମାର୍ଗଦର୍ଶନ କିମ୍ବା ଶୃଙ୍ଖଳିତ କରିବା ଲାଗି ବୁଝାମଣାର ରୂପରେଖକୁ ନେଇ ଉଭୟ ପକ୍ଷ ଏକ ପ୍ରକାର ସହମତି ପ୍ରକାଶ କରିଛନ୍ତି । ହିଂସା ଅଧ୍ୟୁଷିତ ଦେଶରେ ଏକ ଅସ୍ତ୍ରବିରତି ସହିତ ଅଧିକ ବଳିଷ୍ଠ ତଥା ମହତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା ଲାଗି ଏକ ରାଜିନାମା ଚୁଡାନ୍ତ ହୋଇଛି । ଆଫଗାନିସ୍ତାନ ପାଇଁ ଆମେରିକାର ସ୍ୱତନ୍ତ୍ର ଦୂତ ଜାଲମେ ଖାଲିଜାଦଙ୍କ କହିବାନୁଯାୟୀ ଏକ ତିନି ପୃଷ୍ଠାର ଏହି ରାଜିନାମାରେ ନିୟମ ଏବଂ ପ୍ରକ୍ରିୟାଗୁଡ଼ିକୁ ବର୍ଣ୍ଣନା କରାଯାଇଛି ଯାହା ବିଶେଷକରି ଅସ୍ତ୍ରବିରତି ତଥା ଆଫଗାନିସ୍ତାନର ଭବିଷ୍ୟତର ରାଜନୈତିକ ଶାସନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାବେଳେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଚଳିତ ବର୍ଷ ସେପ୍ଟେମ୍ବରରେ ଦୋହାରେ ଆରମ୍ଭ ହୋଇଥିବା ଆମେରିକା ସମର୍ଥିତ ଶାନ୍ତି କଥାବାର୍ତ୍ତା ବୁଝାମଣା କରୁଥିବା ପକ୍ଷଙ୍କ ମଧ୍ୟରେ ଥିବା ମତ ପାର୍ଥକ୍ୟକୁ ନେଇ କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି। ଆଫଗାନିସ୍ତାନରେ ଆଶରଫ ଘାନି ନେତୃତ୍ୱାଧୀନ ସରକାରଙ୍କ ବୈଧତାକୁ ତାଲିବାନ ଗ୍ରହଣ କରିବାକୁ ମନା କରିଦେଇଛି। ତେଣୁ ତାଲିବାନର ଉଦ୍ଦେଶ୍ୟକୁ ନେଇ ବ୍ୟାପକ ସନ୍ଦେହ ଜାତ ହୋଇଛି। ସେମାନେ ଆଫଗାନିସ୍ତାନ ସରକାରଙ୍କ ସହ ଶାନ୍ତି କଥାବାର୍ତ୍ତା କରିବାକୁ ରାଜି ହୋଇଥିବା ସତ୍ତ୍ୱେ ମଧ୍ୟ ଆଫଗାନିସ୍ତାନ ନିରାପତ୍ତା ବାହିନୀ ତଥା ଆମେରିକା ନେତୃତ୍ୱାଧୀନ ମେଣ୍ଟ ବାହିନୀ ଉପରେ ଆକ୍ରମଣ କରିବା ସମେତ ଦେଶରେ ହିଂସା କାଣ୍ଡ ଭିଆଇବା ସହ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି ।

ବୁଝାମଣାକାରୀଙ୍କ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଆଲୋଚନା ବେଳେ କେଉଁ ସବୁ ପ୍ରସଙ୍ଗ ଆଲୋଚ୍ୟ ବିଷୟ ହେବ ତାହା ଏକ ମିଳିତ କାର୍ଯ୍ୟକାରୀ କମିଟି ସ୍ଥିର କରିବ । ଶାନ୍ତି କଥାବାର୍ତ୍ତାକୁ ନେଇ ଉପୁଜିଥିବା ସାଧାରଣ ନିରାଶା ଭାବନା ପରିପ୍ରେକ୍ଷୀରେ ଏହି ପଦକ୍ଷେପକୁ ବ୍ୟାପକ ଭାବରେ ସ୍ୱାଗତ କରାଯାଇଛି | ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ ପ୍ରାଥମିକ ଚୁକ୍ତିନାମାକୁ ଏକ ପ୍ରମୁଖ ମାଇଲଖୁଣ୍ଟ ବୋଲି ବର୍ଣ୍ଣନା କରି ଏକ ସ୍ଵାଭାବିକ ସ୍ଥିତିରେ ପହଞ୍ଚିବା ଲାଗି ଉଭୟ ପକ୍ଷର ପ୍ରୟାସ ଓ ଇଛୁକତାକୁ ପ୍ରଶଂସା କରିଛନ୍ତି । ଆଫଗାନିସ୍ତାନରେ ହିଂସାକାଣ୍ଡ କାର୍ଯ୍ୟକଳାପକୁ ରୋକିବା ଲାଗି ଆମେରିକା ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପୋମ୍ପିଓ ସବୁ ଅଂଶୀଦାର ମାନଙ୍କୁ ଆଶ୍ଵାସନା ଦେଇଛନ୍ତି । ଆଫଗାନିସ୍ତାନ ମାମଲା ନେଇ ଜାତିସଂଘ ଦୂତ ଦେବରାହ ଲିଅନ୍ସ ମଧ୍ୟ ଏହି ଚୁକ୍ତିନାମାକୁ ପ୍ରଶଂସା କରିଛନ୍ତି ଏବଂ ଏହାକୁ ଏକ ସ୍ପ୍ରିଙ୍ଗବୋର୍ଡ ବୋଲି ଦର୍ଶାଇ ଯୁଦ୍ଧକ୍ଷତିଗ୍ରସ୍ତ ଦେଶରେ ଶାନ୍ତିର ପୁନଃସ୍ଥାପନା ହେବାରେ ଏହା ସହାୟକ ହେବ ବୋଲି କହିଛନ୍ତି । ତେଣେ ଏହାକୁ ସକରାତ୍ମକ ବିକାଶ ଦିଗରେ ଆଉ ଏକ ପଦକ୍ଷେପ ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ।

ଉଭୟ ପକ୍ଷ ଏକ ସହମତିରେ ପହଞ୍ଚିଛନ୍ତି, ଯଦିଓ ଏହା ଏକ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ତେବେ ମଧ୍ୟ ଏହାର ମହତ୍ବପୂର୍ଣ୍ଣ ପ୍ରଭାବ ରହିଛି | ତେବେ ଆଗାମୀ ବିଡେନ୍ ପ୍ରଶାସନ ଏହାର କିପରି ମୁକାବିଲା କରିବ ତାହା ଦେଖିବାକୁ ବାକି ଅଛି | ଆମେରିକା ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ଚଳିତ ବର୍ଷ ଖ୍ରୀଷ୍ଟମାସ ସୁଦ୍ଧା ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ଆମେରିକା ବାହିନୀ ପ୍ରତ୍ୟାହାର କରିବା ବିଷୟରେ କହିଥିଲେ ହେଲେ ପରେ ଜାନୁଆରୀ 2021ରୁ ସେନାବାହିନୀକୁ ଧୀରେ ଧୀରେ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଥିଲେ । କିନ୍ତୁ ଦୋହାରେ ବୁଝାମଣା କରୁଥିବା ଉଭୟ ପକ୍ଷଙ୍କ ଠାରୁ ସକାରାତ୍ମକ ସଂକେତ ମିଳିଥିବାରୁ ଶ୍ରୀ ବିଡେନ ଏହାକୁ ଅଣଦେଖା କରିବା କଷ୍ଟକର ହୋଇପାରେ।

ଆଫଗାନିସ୍ତାନର ପରିସ୍ଥିତି ଏବେ ମଧ୍ୟ ସମ୍ବେଦନଶୀଳ ରହିଛି । 2021 ମେ ମାସ ସୁଦ୍ଧା ଦେଶରୁ ବିଦେଶୀ ସୈନ୍ୟର ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ନେଇ ତାଲିବାନ ଏବଂ ଆମେରିକା ମଧ୍ୟରେ ବୁଝାମଣା ହୋଇଥିଲା । ତେବେ ତାଲିବାନ ବିଦ୍ରୋହୀ ମାନେ ଆଫଗାନିସ୍ତାନ ମାଟିରେ ହିଂସା ଏବଂ ଆତଙ୍କ ନିରନ୍ତର ସୃଷ୍ଟି କରିଚାଲିଥିବାରୁ ବର୍ତ୍ତମାନର ପରିସ୍ଥିତିରେ ଆନ୍ତର୍ଜାତୀୟ ବାହିନୀର ସଂପୂର୍ଣ୍ଣ ଅପସାରଣ ହୋଇଗଲେ ଆଫଗାନିସ୍ତାନରେ ଶାନ୍ତି ଓ ସ୍ଥିରତା ବଜାୟ ରହିବ କି ନାହିଁ ତାହା ଆକଳନ କରିବା କଷ୍ଟକର ହୋଇପଡିଛି ।

ଭାରତ ବର୍ତ୍ତମାନର ଶାନ୍ତି କଥାବାର୍ତ୍ତାକୁ ସ୍ପଷ୍ଟ ଭାବେ ସମର୍ଥନ କରିଆସୁଛି। ସେପ୍ଟେମ୍ବରରେ ଦୋହା କଥାବାର୍ତ୍ତାର ଉଦଘାଟନୀ ସମାରୋହରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ତାଙ୍କ ଭର୍ଚୁଆଲ ଉଦବୋଧନ ବେଳେ କହିଥିଲେ ଯେ ଏହି ଆଲୋଚନା ନିଶ୍ଚିତ ଭାବରେ ଆଫଗାନ-ନେତୃତ୍ୱାଧୀନ, ଆଫଗାନ-ପରିଚାଳିତ ଏବଂ ଆଫଗାନିସ୍ତାନ ଦ୍ୱାରା ନିୟନ୍ତ୍ରିତ ହେବା ଉଚିତ ଏବଂ ଏହି ଶାନ୍ତି କଥାବାର୍ତ୍ତାକୁ ଭାରତ ନିଶ୍ଚିତ ଭାବେ ସମର୍ଥନ ଜଣାଇବ । ବିବାଦ ଜାରି ରହିଥିବା ହିଂସାଗ୍ରସ୍ତ ଆଫଗାନିସ୍ତାନର ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଭାରତର ଅଶେଷ ଅବଦାନ ରହିଛି ।



ମାତ୍ର ପନ୍ଦର ଦିନ ପୂର୍ବରୁ କାବୁଲ ନିକଟସ୍ଥ ଚହର ଏସିଆବରେ ଶାହଟୁଟ୍ ବନ୍ଧ ନିର୍ମାଣ ପାଇଁ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ରାଜିନାମା ସ୍ଵାକ୍ଷରିତ ହୋଇଛି । ଏହି ଡ୍ୟାମ ପ୍ରକଳ୍ପରେ ଆଫଗାନିସ୍ତାନବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଯୋଜନା କରାଯାଇଛି। ତେଣେ ଏହି ଚୁକ୍ତି ଯୋଗୁଁ ପାକିସ୍ତାନରେ ଅସନ୍ତୋଷ ସୃଷ୍ଟି ହୋଇଥିବାର ଜଣାପଡିଛି । ଯୁଦ୍ଧ କ୍ଷତିଗ୍ରସ୍ତ ଦେଶରେ ପୁନଃନିର୍ମାଣ ଏବଂ ବିକାଶମୂଳକ ପ୍ରୟାସ ଦିଗରେ ବହୁ ସ୍ତରରେ ସହଯୋଗ ଜାରି ରଖିବା ତଥା ଏ ଦିଗରେ ଆହୁରି ଆଗକୁ ବଢିବାକୁ ଭାରତ ଏବଂ ଆଫଗାନିସ୍ତାନ ଦୃଢ ପ୍ରତିବଦ୍ଧ ଥିବା ସ୍ପଷ୍ଟ ପ୍ରତୀୟମାନ ହେଉଛି । ଏହା ସର୍ବବିଦିତ ଯେ ପାକିସ୍ତାନ ଏକ ବିଲୋପକାରୀ ରାଷ୍ଟ୍ର ଭାବେ ନିଜର ଭୂମିକା ଜାରି ରଖିବ । ତେଣୁ ଏହି ଅଞ୍ଚଳରେ କୌଣସି ଶାନ୍ତି ପ୍ରକ୍ରିୟା ବିରୁଦ୍ଧରେ ପାକିସ୍ତାନର ଏପରି ବୃଥା ପ୍ରୟାସ ପ୍ରତି ଉଭୟ ଭାରତ ଓ ଆଫଗାନିସ୍ତାନକୁ ସତର୍କ ରହିବାକୁ ପଡିବ|

ଆଲେଖ୍ୟ : ଡଃ ପ୍ରିୟଙ୍କା ସିଂ, ଆଫଗାନିସ୍ତାନ ମାମଲାରେ ରଣନୀତିକ ବିଶ୍ଳେଷକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...