Skip to main content

ସନ୍ତ୍ରାସବାଦୀ ଆକ୍ରମଣ ମଧ୍ୟରେ ପାକିସ୍ତାନକୁ ଆର୍ଥିକ ସହାୟତା

 ସନ୍ତ୍ରାସବାଦୀ ଆକ୍ରମଣ ମଧ୍ୟରେ ପାକିସ୍ତାନକୁ ଆର୍ଥିକ ସହାୟତା

ଅନେକ ମାସ ଧରି ଦୀର୍ଘଦିନର ଆଲୋଚନା ପରେ, ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଶେଷରେ ପାକିସ୍ତାନକୁ ଆଉ ଏକ ଆର୍ଥିକ ସହାୟତା ପ୍ରଦାନ କରିଛି | ପାକିସ୍ତାନ ଏବଂ ସେଠାକୁ ଗସ୍ତ କରିଥିବା IMF ଟିମ ମଧ୍ୟରେ ଚୂଡାନ୍ତ ବିଚାର ବିମର୍ଶ ପରେ ଆର୍ଥିକ ସହାୟତା ଦିଆଯାଇଥିବା ବିଷୟ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ବ୍ୟାପାର ଉପଦେଷ୍ଟା ଡକ୍ଟର ହାଫିଜ ଶେଖ କହିଛନ୍ତି | ଆର୍ଥିକ ସଙ୍କଟର ମୁକାବିଲା ପାଇଁ ପାକିସ୍ତାନକୁ ପରବର୍ତ୍ତୀ 3 ବର୍ଷରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) 6 ବିଲିୟନ ଡଲାର ପ୍ରଦାନ କରିବ | ଇସ୍ଲାମାବାଦ ଘୋର ଭାବେ ଋଣଗ୍ରସ୍ତ ହୋଇଯାଇଛି ଏବଂ ଦେଶ ଚଳାଇବାକୁ ଓ ଏହାର ଅର୍ଥନୈତିକ ସ୍ଥିତି ସୁଧାରିବାକୁ 18 ବିଲିୟନ ଡଲାର ନିଅଣ୍ଟ ରହିଛି |

ଆଠ ମାସ ପୂର୍ବରୁ ଯେତେବେଳେ ଇମ୍ରାନ ଖାନ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ, ସେ କହିଥିଲେ ଯେ, ଯଦି ଏଭଳି ଆର୍ଥିକ ସହାୟତା ନିମନ୍ତେ କଠୋର ସର୍ତ୍ତ ରଖାଯିବ ତେବେ ସେ IMFରୁ କୌଣସି ଆର୍ଥିକ ପ୍ୟାକେଜ କିମ୍ବା ସହାୟତା ଲୋଡିବେ ନାହିଁ | ଚୀନ, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟସ (UAE) ଭଳି ବନ୍ଧୁ ରାଷ୍ଟ୍ର ଗୁଡିକ ଉପରେ ସେ ଅଧିକ ନିର୍ଭରଶୀଳ ଥିଲେ | କିନ୍ତୁ IMF ପ୍ୟାକେଜ  ପାଇଁ ନୂଆ ସର୍ତ୍ତାବଳୀ ଲାଗୁ କରିଛି ଏବଂ ଇମ୍ରାନ ଖାନ IMF ଦ୍ଵାରା ଲାଗୁ କରାଯାଇଥିବା ପ୍ରାୟ ସମସ୍ତ ସର୍ତ୍ତ ଗୁଡିକୁ ପରିଶେଷରେ ଗ୍ରହଣ କରିଛନ୍ତି | ମୁଦ୍ରା ନୀତିରେ ସଂସ୍କାର, ଅଧିକ ରାଜସ୍ୱ ଆଦାୟ ପାଇଁ ଟିକସ ଦର ବୃଦ୍ଧି, ସବସିଡି ହ୍ରାସ ତଥା ବଜାର ନିର୍ଦ୍ଧାରିତ ବିନିମୟ ହାର ଲାଗୁ ଇତ୍ୟାଦି ସର୍ତ୍ତ ଗୁଡିକ ଅନ୍ତର୍ଭୁକ୍ତ ରହିଛି |   

ଇମ୍ରାନ ଖାନ କହିଥିଲେ ଯେ ଲୋକମାନଙ୍କ ସମସ୍ୟା ଯେଭଳି ଆହୁରି ବୃଦ୍ଧି ନ ପାଏ ସେ ଦୃଷ୍ଟିରୁ ସେ ଟିକସ ବୃଦ୍ଧି କରିବେ ନାହିଁ ଏବଂ ବିଦ୍ୟୁତ ଶୁଳ୍କ ଓ ଗ୍ୟାସ ଦର ମଧ୍ୟ ବୃଦ୍ଧି କରିବେ ନାହିଁ | ଏହି ପଦକ୍ଷେପ ଦ୍ଵାରା ଆୟ ହ୍ରାସ ହେବା ସହ ମୁଦ୍ରାସ୍ଫୀତି ମଧ୍ୟ ବୃଦ୍ଧି ପାଇବ | ପାକିସ୍ତାନରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗୁଡିକର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି |

ପାକିସ୍ତାନ ପ୍ରଧାନମନ୍ତ୍ରୀ, ଉଭୟ ଅର୍ଥମନ୍ତ୍ରୀ ଆସାଦ ଉମର ଏବଂ ପାକିସ୍ତାନ ଷ୍ଟେଟ ବ୍ୟାଙ୍କ ଗଭର୍ଣ୍ଣର ତାରିକ ବାଜୱାଙ୍କୁ ବରଖାସ୍ତ କରି ସେମାନଙ୍କ ସ୍ଥାନରେ IMFର ପୂର୍ବତ୍ତନ ଅଧିକାରୀ ମାନଙ୍କୁ ନିଯୁକ୍ତ କରିଛନ୍ତି | ଏହା ଦେଶର ଅର୍ଥନୀତି ଧ୍ଵସ୍ତ ଦିଗକୁ ମୁଁହାଉଥିବା ସୁଚାଇଛି | GDP ଅଭିବୃଦ୍ଧି ହାର ଶତକଡା 3.9 ଭାଗକୁ ହ୍ରାସ ପାଇଥିବା ବେଳେ ମୁଦ୍ରାସ୍ଫୀତି ହାର ଶତକଡା 9.4 ଭାଗକୁ ପହଞ୍ଚିଛି | ବୈଦେଶିକ ମୁଦ୍ରା ମହଜୁଦ ପରିମାଣ ମଧ୍ୟ 9 ବିଲିୟନ ଡଲାରକୁ ହ୍ରାସ ପାଇଛି |

ଏଭଳି ନିରାଶଜନକ ପରିସ୍ଥିତିରେ ଇମ୍ରାନ ଖାନଙ୍କ ନିକଟରେ IMFର ସର୍ତ୍ତାବଳୀ ଗୁଡିକୁ ଗ୍ରହଣ କରିବା ବ୍ୟତୀତ ଆଉ କୌଣସି ବିକଳ୍ପ ନାହିଁ | ପାକିସ୍ତାନ ଦୁଇଟି ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ଉପରେ କଠୋର ଆର୍ଥିକ ଶ୍ରୁଙ୍ଖଳତା ନିହାତି ଅବଲମ୍ବନ କରିବା ଉଚିତ ବୋଲି ଏହା ସ୍ପଷ୍ଟ ସୂଚାଉଛି | ପ୍ରଥମଟି ହେଉଛି ଶାନ୍ତି ପ୍ରତିଷ୍ଠା କରି ବିକାଶମୂଳକ କାର୍ଯ୍ୟକଳାପ ସକାଶେ ସନ୍ତ୍ରାସବାଦକୁ ନିୟନ୍ତ୍ରଣ କରିବାକୁ କଠୋର ପଦକ୍ଷେପ ଗ୍ରହଣ କରିବା ଏବଂ ଦ୍ଵିତୀୟଟି ହେଉଛି ଦେଶର ରାଜନୈତିକ ନିଷ୍ପତି ଗୁଡିକ ଗ୍ରହଣ କରିବାରେ ବେସାମରିକ ସରକାରଙ୍କୁ ସ୍ଵାଧୀନତା ଦେବା ଏବଂ ସେନାବାହିନୀକୁ କେବଳ ଦେଶର ନିରାପତ୍ତାର ଯତ୍ନ ନେବା ଦାୟିତ୍ଵରେ ଲିପ୍ତ ରହିବା |      
ସନ୍ତ୍ରାସବାଦୀ ସଙ୍ଗଠନ ଗୁଡିକୁ ଆର୍ଥିକ ସହାୟତା ଯୋଗାଇ ପାକିସ୍ତାନ ସମଗ୍ର ବିଶ୍ଵ ସମୁଦାୟରେ ଏକ ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଛି | ଏହାର ଫଳସ୍ଵରୂପ ପାକିସ୍ତାନକୁ ଅନ୍ୟ ଦେଶ ଏବଂ ଆର୍ଥିକ ଅନୁଷ୍ଠାନ ଗୁଡିକ ଋଣ ଦେବାରେ ଆଗ୍ରହ ପ୍ରକାଶ କରୁନାହାନ୍ତି | ଧୀରେ ଧୀରେ ପାକିସ୍ତାନରେ ସନ୍ତ୍ରାସବାଦୀ ଆକ୍ରମଣ ମଧ୍ୟ ବୃଦ୍ଧି ପାଉଛି | ନିକଟରେ ବାଲୁଚିସ୍ତାନର ଗ୍ଵାଦର ସହର ସ୍ଥିତ ଏକ ପାଞ୍ଚ ତାରକା ହୋଟେଲରେ ଏକ ସନ୍ତ୍ରାସବାଦୀ ଆକ୍ରମଣ ଘଟିଛି | ସେହି ଆକ୍ରମଣରେ ପାଞ୍ଚ ଜଣ ଲୋକଙ୍କର ପ୍ରାଣହାନୀ ଘଟିଛି ଏବଂ ବାଲୁଚିସ୍ତାନ ଲିବରେସନ ଆର୍ମୀ (BLA) ସେହି ଆକ୍ରମଣ କରାଇଥିବା ଦାବି କରିଛି | ଏହା ପୂର୍ବରୁ ବାଲୁଚିସ୍ତାନର ହାର୍ନାୟ ଜିଲ୍ଲାରେ ଆଉ ଏକ ସନ୍ତ୍ରାସବାଦୀ ଆକ୍ରମଣରେ 14 ଜଣ ଲୋକଙ୍କର ପ୍ରାଣହାନୀ ଘଟିଥିଲା | ବାଲୁଚିସ୍ତାନରେ ପ୍ରକୃତିକ ସମ୍ପଦ ଭରପୂର ଥିବା ସତ୍ତ୍ୱେ ଏହା ପାକିସ୍ତାନର ସବୁଠାରୁ ଗରୀବ ପ୍ରଦେଶ ଥିବା ସେଠାକାର ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି |
ବାଲୁଚିସ୍ତାନର ଲୋକମାନେ ଚୀନ ପାକିସ୍ତାନ ଅର୍ଥନୈତିକ କରିଡର (CPEC)କୁ ଦୃଢ ଭାବେ ବିରୋଧ କରୁଛନ୍ତି | ଏହି ପ୍ରକଳ୍ପ ଉପରେ ଚୀନର କାମକୁ ବିରୋଧ ପ୍ରକଟ କରି ହୋଟେଲ ଉପରେ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି | ଚୀନର ଅଧିକାଂଶ ବ୍ଯବସାୟିକ ପ୍ରତିନିଧି ଆକ୍ରମଣ ସମୟରେ ସେହି ହୋଟେଲରେ ରହିଥିଲେ | ଦେଶ ଚଳାଇବାରେ ସହାୟକ ସକାଶେ ପାକିସ୍ତାନ ପାଇଁ IMFର ଆର୍ଥିକ ସହାୟତା ଏକ ଅସ୍ଥାୟୀ ସହାୟତା ସ୍ୱରୂପ | ପାକିସ୍ତାନ ନେତୃବୃନ୍ଦଙ୍କୁ ନିଜ ଦେଶର ସ୍ଵାର୍ଥ ନିମନ୍ତେ ମୋଟାମୋଟି ପରିସ୍ଥିତିକୁ ସୁଧାରିବାର ଆବଶ୍ୟକତା ରହିଛି |
   

ମୂଳ ଲେଖା : ଅଶୋକ ହାନ୍ଡୁ, ରାଜନୈତିକ ଭାଷ୍ୟକାର  
ଅନୁବାଦ     : ଅନୀଲ କୁମାର ପଟ୍ଟନାୟକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...