Skip to main content

ଇଣ୍ଡୋନେସିଆରେ ଜୋକୋୱିଙ୍କର କ୍ଷମତାକୁ ପ୍ରତ୍ୟାବର୍ତ୍ତନ


ଇଣ୍ଡୋନେସିଆରେ ପ୍ରାୟ ଏକ ମାସର ପ୍ରତୀକ୍ଷା ପରେ, ଜୋକୋୱି ନାମରେ ଲୋକପ୍ରିୟ ଜୋକୋ ୱିଡୋଡୋ ଇଣ୍ଡୋନେସିଆର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ଘୋଷଣା କରାଯାଇଛି | ଏପ୍ରିଲ ମାସ 17 ତାରିଖରେ ଇଣ୍ଡୋନେସିଆରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା | ରାଷ୍ଟ୍ରପତି ଏବଂ ଉପ ରାଷ୍ଟ୍ରପତି ନିର୍ବାଚନ ସହିତ ପିପୁଲସ କନ୍ସଲଟେଟିଭ ଆସେମ୍ବ୍ଲି ଓ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ଗୁଡିକ ପାଇଁ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା |

ସମସ୍ତ ସ୍ତରର ଏହି ଜଟିଳ ନିର୍ବାଚନ ପ୍ରକ୍ରିୟା ମାତ୍ର ଗୋଟିଏ ଦିନରେ ସମ୍ପୂର୍ଣ୍ଣ ହୋଇଥିଲା, ଯେଉଁଥିରେ 154 ମିଲିୟନ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ | ଏପ୍ରିଲ 17 ତାରିଖରେ ଅନୁଷ୍ଠିତ ମତଦାନର ଫଳାଫଳ ଇଣ୍ଡୋନେସିଆର ସାଧାରଣ ନିର୍ବାଚନ କମିଶନ (KPU) ମେ ମାସ 21 ତାରିଖରେ ଘୋଷଣା କରିଛନ୍ତି |

ଭାରତରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ବିଜୟ ଏବଂ ଅଷ୍ଟ୍ରେଲିଆରେ ସ୍କଟ ମୋରିସନଙ୍କ ବିଜୟ ସହ ଜୋକୋୱିଙ୍କ ବିଜୟ ସମଗ୍ର ଏସିଆ ଓ ବାହାରେ ଅଧିକ ଆଗ୍ରହ ସୃଷ୍ଟି କରିଛି | ଏହି ତିନୋଟି ପଡୋଶୀ ଗଣତାନ୍ତ୍ରିକ ରାଷ୍ଟ୍ର ସେମାନଙ୍କର ସର୍ବବୃହତ ଗଣତାନ୍ତ୍ରିକ ସମାରୋହ, ନିର୍ବାଚନ ପ୍ରକ୍ରିୟାକୁ ସମ୍ପନ୍ନ କରିଛନ୍ତି ଏବଂ ଏହି ଦେଶର ଲୋକମାନେ ସେମାନଙ୍କର ହୃଦୟର ବାର୍ତ୍ତା ବ୍ୟାଲଟ ମାଧ୍ୟମରେ ପରିପ୍ରକାଶ କରିଛନ୍ତି |

ଉଲ୍ଲେଖନୀୟ ବିଷୟ ହେଉଛି ଯେ, ଏହି ତିନୋଟି ଯାକ ରାଷ୍ଟ୍ରରେ କ୍ଷମତାରେ ଥିବା ତିନିଜଣ ଯାକ ନେତାଙ୍କୁ ନିର୍ବାଚନରେ କଡା ମୁକାବିଲାର ସମୁଖୀନ ହେବାକୁ ପଡିବ ବୋଲି ଅନୁମାନ କରାଯାଉଥିଲା | ତେବେ ଇଣ୍ଡୋନେସିଆରେ ଜୋକୋୱି, ଭାରତରେ ମୋଦି ଏବଂ ଅଷ୍ଟ୍ରେଲିଆରେ ମୋରିସନ ବିପୁଳ ବିଜୟ ହାସଲ କରି ପୁଣି କ୍ଷମତାକୁ ଫେରିଆସିଥିବାରୁ ଏହି ଅନୁମାନ ଠିକ ଥିବା ପ୍ରମାଣିତ କରି ପାରିନାହିଁ |

ଇଣ୍ଡୋନେସିଆରେ ଅନୁଷ୍ଠିତ ନିର୍ବାଚନରେ ଜୋକୋୱି ମୋଟ 85 ମିଲିୟନରୁ ଅଧିକ ଭୋଟ ହାସଲ କରି ଶତକଡା 55 ଭାଗରୁ ଅଧିକ ଭୋଟ ବିଜୟୀ ହୋଇଛନ୍ତି | ତାଙ୍କର ପ୍ରତିଦ୍ବନ୍ଦୀ ତଥା ପୂର୍ବତନ ସ୍ୱତନ୍ତ୍ର ବାହିନୀ କମାଣ୍ଡର ପ୍ରାବୋୱ ସୁବିଅନ୍ତୋଙ୍କୁ କେବଳ ଶତକଡା 45 ଭାଗ ଭୋଟ ମିଳିଛି | 2014 ମସିହା ନିର୍ବାଚନରେ ମଧ୍ୟ ପ୍ରାବୋୱ ସୁବିଅନ୍ତୋ, ଜୋକୋୱିଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ି ହାରିଯାଇଥିଲେ | ନିର୍ବାଚନରେ ଜୋକୋୱିଙ୍କ ବିଜୟ ଇଣ୍ଡୋନେସିଆରେ ତାଙ୍କର ଲୋକପ୍ରିୟତାକୁ ସ୍ପଷ୍ଟ ପ୍ରମାଣିତ କରିଛି |

ପିପୁଲସ କନ୍ସଲଟେଟିଭ ଆସେମ୍ବ୍ଲି (ନ୍ୟାସନାଲ ଆସେମ୍ବ୍ଲି) ନିର୍ବାଚନରେ ମଧ୍ୟ ଜୋକୋୱିଙ୍କ ନେତୃତ୍ୱାଧୀନ ଇଣ୍ଡୋନେସିଆନ ଡେମୋକ୍ରାଟିକ ପାର୍ଟି ଅଫ ଷ୍ଟ୍ରଗଲ (PDIP) 27 ମିଲିୟନରୁ ଅଧିକ ଭୋଟ ହାସଲ କରି ସଂଖ୍ୟାଗରିଷ୍ଠ ପାର୍ଟି ହୋଇଛି |

ତେବେ, ଜୋକୋୱିଙ୍କ ବିଜୟ ପରେ ପ୍ରାବୋୱ ସୁବିଅନ୍ତୋ ଓ ତାଙ୍କର ସମର୍ଥକ ମାନେ ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଏକତରଫା ହୋଇଥିବା ଦର୍ଶାଇ ଜନାଦେଶକୁ ଗ୍ରହଣ କରିବାକୁ ବାରଣ କରିଥିବାରୁ ବିବାଦ ଉପୁଜିଛି | ଏହାକୁ ନେଇ ପ୍ରାବୋୱଙ୍କ ସମର୍ଥକ ମାନଙ୍କର ଆନ୍ଦୋଳନରେ ଜାକର୍ତ୍ତାରେ ଦଙ୍ଗା ଓ ହିଂସାତ୍ମକ ଘଟଣା ଘଟି 6 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 200 ରୁ ଅଧିକ ଆହତ ହୋଇଛନ୍ତି |

ନିର୍ବାଚନର ଫଳାଫଳକୁ ପ୍ରାବୋୱ ସାମ୍ବିଧାନିକ ଅଦାଲତରେ ଚ୍ୟାଲେଞ୍ଜ କରିବାକୁ ସ୍ଥିର କରିଛନ୍ତି | ଗତ ଥରର ନିର୍ବାଚନରେ ମଧ୍ୟ ସେ ଏଭଳି ନିଷ୍ପତି ନେଇ ବିଫଳ ହୋଇଥିଲେ | ନିର୍ବାଚନରେ ହେରାଫେରି ହୋଇଥିବା ନେଇ ବିରୋଧୀଙ୍କ ଦାବିର କୌଣସି ବିଶ୍ୱସନୀୟ ପ୍ରମାଣ ନଥିବା ଦୃଷ୍ଟିରୁ ଏଥର ମଧ୍ୟ ଏହି ପଦକ୍ଷେପର ସମଧରଣର ଫଳାଫଳ ମିଳିବା ଆଶା କରାଯାଉଛି |

ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋୱି ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁନଃନିର୍ବାଚିତ ହେବା ସହ ଭାରତ-ଇଣ୍ଡୋନେସିଆ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ ହେବା ସୁନିଶ୍ଚିତ ହୋଇଛି | ଆଞ୍ଚଳିକ ଶାନ୍ତି ଓ ସ୍ଥିରତା, ଅର୍ଥନୈତିକ ଅଭିବୃଦ୍ଧି ଏବଂ ନିରାପତ୍ତା ପ୍ରସଙ୍ଗ ସମେତ ଉଭୟ ଦେଶର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ଦୃଢ ସହଯୋଗ ସକାଶେ ଭାରତ ଏବଂ ଇଣ୍ଡୋନେସିଆ ଆଗ୍ରହ ପ୍ରକାଶ କରିଛନ୍ତି | ଉଭୟ ରାଷ୍ଟ୍ର ASEAN ସମେତ G20 ଭଳି ଗୁରୁତ୍ତ୍ୱପୂର୍ଣ୍ଣ ଗୋଷ୍ଠୀର ସଦସ୍ୟ ରହିଛନ୍ତି |

2018 ମସିହାରେ ଇଣ୍ଡୋନେସିଆକୁ ଶ୍ରୀ ମୋଦିଙ୍କ ଗସ୍ତ ସମୟରେ ଉଭୟ ଦେଶ ସେମାନଙ୍କର ସମ୍ପର୍କକୁ ବ୍ୟାପକ ସାମରିକ ସହଭାଗୀତାକୁ ଉନ୍ନୀତ କରିପାରିଛନ୍ତି | ଇଣ୍ଡୋନେସିଆର ଆନ୍ତର୍ଜାତୀୟ ସାମୁଦ୍ରିକ ସୁରକ୍ଷା ଏବଂ ଭାରତର 'ଆକ୍ଟ ଇଷ୍ଟ' ନୀତି ଏବଂ SAGAR (ଏହି ଅଞ୍ଚଳରେ ସମସ୍ତଙ୍କ ପାଇଁ ସୁରକ୍ଷା ଓ ବିକାଶ) ଭଳି ପଦକ୍ଷେପ ଉଭୟ ଦେଶ ମଧ୍ୟରେ ସାମରିକ ଓ ଅର୍ଥନୈତିକ ସମ୍ପର୍କକୁ ପ୍ରାଥମିକତା ଦେଇପାରିଛି | ଉଭୟ ଦେଶ ମଧ୍ୟରେ 20 ବିଲିୟନ ଆମେରିକୀୟ ଡଲାରର ଦ୍ବିପକ୍ଷୀୟ ବାଣିଜ୍ୟ ରହିଛି | 2025 ମସିହା ସୁଦ୍ଧା ଏହାକୁ 50 ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି କରାଇବା ପାଇଁ ଇଣ୍ଡୋନେସିଆକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଉଭୟ ଦେଶ ସେମାନଙ୍କର ପ୍ରତିଶୃତିବଦ୍ଧତା ପ୍ରକାଶ କରିଛନ୍ତି |ପୁଣି ଥରେ ପାଞ୍ଚ ବର୍ଷ ପାଇଁ ଜନାଦେଶ ପାଇବା ସହ, ଉଭୟ ରାଜନେତା ଆପୋଷ ସହଯୋଗ ମାଧ୍ୟମରେ ସେମାନଙ୍କର ଦେଶର ସ୍ୱାର୍ଥନିହିତ ପଦକ୍ଷେପ ଓ କାର୍ଯ୍ୟ ଗୁଡିକୁ ଅଗ୍ରସର କରାଇବା ଆଶା କରାଯାଉଛି | ଏଥି ସକାଶେ ବାଣିଜ୍ୟ ଓ ପୁଞ୍ଜିନିବେଶରେ ପ୍ରତିବନ୍ଧକ ହଟାଇବା ଏବଂ ସହଯୋଗ ବୃଦ୍ଧି କରିବାରେ ମିଳିତ ଉଦ୍ୟମର ନିତାନ୍ତ ଆବଶ୍ୟକତା ରହିଛି |


ମୂଳ ଲେଖା    : ଡକ୍ଟର ରାହୁଲ ମିଶ୍ର, ପୂର୍ବ ଏବଂ ଦକ୍ଷିଣ ପୂର୍ବ ଏସିଆ ଉପରେ ସାମରିକ ବିଶ୍ଳେଷକ
ଅନୁବାଦ        : ଅନୀଲ କୁମାର ପଟ୍ଟନାୟକ  

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...