Skip to main content

ନୂତନ ଶିଖରରେ ଭାରତ-ୟୁଏଇ ସମ୍ପର୍କ

ଗତ ପାଞ୍ଚ ବର୍ଷ ମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ବିନ ଯାଏଦ ଅଲ ନାହୟାନଙ୍କ ଭାରତକୁ ଲଗାତାର ପାଞ୍ଚ ଥର ଗସ୍ତରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ କେତେ ଘନିଷ୍ଠ ତାହା ସ୍ପଷ୍ଟ ଅନୁମେୟ ହେଉଛି | ବୈଦେଶିକ ବ୍ୟାପାର ତଥା ଆନ୍ତର୍ଜାତୀୟ ସହଯୋଗ ମନ୍ତ୍ରୀ ଶେଖ ଅବଦୁଲ୍ଲା ବିନ ଯାଏଦ ଅଲ ନାହୟାନ ଗତ ପାଞ୍ଚ ବର୍ଷ ମଧ୍ୟରେ ଲଗାତାର ପଞ୍ଚମ ଥର ଲାଗି ଜୁଲାଇ 7 ରୁ 9 ତାରିଖ ପର୍ଯ୍ୟନ୍ତ ଏକ ତିନିଦିନିଆ ଭାରତ ଗସ୍ତରେ ଆସିଥିଲେ | ତାଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ଦୃଢୀଭୂତ କରିବା ସହ ଐତିହାସିକ, ସାଂସ୍କୃତିକ ଓ ରାଜନୈତିକ ସମ୍ପର୍କକୁ ନିଃସନ୍ଦେହରେ ଏକ ନୂତନ ଶିଖରରେ ପହଞ୍ଚାଇବ ବୋଲି ସ୍ପଷ୍ଟ ପ୍ରତୀତ ହୋଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2015 ରେ ୟୁଏଇ ଗସ୍ତ କରିବା ପରେ ଉଭୟ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କର ସୂତ୍ରପାତ ହୋଇଥିଲା | ଏହି ଉପସାଗରୀୟ ଦେଶକୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ବିଗତ 34 ବର୍ଷ ମଧ୍ୟରେ ଏହା ପ୍ରଥମ ଗସ୍ତ ଥିଲା | 2015ରେ ତାଙ୍କ ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ଏକ ରଣନୀତିକ ଭାଗୀଦାରୀତା ଯୁଗର ଅୟମାରମ୍ଭ ହୋଇଥିଲା | ଭାରତର ରଣନୀତିକ ପେଟ୍ରୋଲିୟମ ରିସେଭ କାର୍ଯ୍ୟକ୍ରମରେ ୟୁଏଇ ପ୍ରଥମ ଦେଶ ଭାବେ ଅଂଶଗ୍ରହଣ କରିଥିଲା | ବୈଦେଶିକ ମନ୍ତ୍ରୀ ଶ୍ରୀ ଅବଦୁଲ୍ଲା ଆନ୍ତର୍ଜାତୀୟ ସହଯୋଗ ବିଭାଗ ଦାୟିତ୍ଵ ମଧ୍ୟ ତୁଲାଉଥିବାରୁ ତାଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ବିବିଧତା ଆଣିବାରେ ସହାୟତା କରିବ |

ଭାରତ ସହ ଦ୍ଵିପକ୍ଷୀୟ ସମ୍ପର୍କ ତଥା ବ୍ୟାପକ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ଲାଗି ୟୁଏଇ ର ବୈଦେଶିକ ମନ୍ତ୍ରୀ ଏକ ଉଚ୍ଚ ସ୍ତରୀୟ ବ୍ୟବସାୟୀ ପ୍ରତିନିଧି ଦଳ ସହ ଭାରତ ଗସ୍ତରେ ଆସିଥିଲେ | ବର୍ତ୍ତମାନ ଭାରତ ୟୁଏଇ ର ତୃତୀୟ ସର୍ବାଧିକ ବାଣିଜ୍ୟ ସହଯୋଗୀ ରାଷ୍ଟ୍ର ଓ ଚତୁର୍ଥ ସର୍ବାଧିକ ଶକ୍ତି ଆମଦାନିକାରୀ ରାଷ୍ଟ୍ର | ଏଠାରେ ସ୍ମରଣ କରିଦିଆଯାଇପାରେ ଯେ ୟୁଏଇରେ ପ୍ରାୟ 3.3 ନିୟୁତ ଭାରତୀୟ ବସବାସ କରୁଛନ୍ତି ଓ ସଂଯୁକ୍ତ ଆରବ ଏମିରେଟ୍ସ ର ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ସେମାନଙ୍କ ଅମୂଲ୍ୟ ଯୋଗଦାନ ରହିଛି |

ତାଙ୍କ ତିନିଦିନିଆ ରହଣି ସମୟରେ ୟୁଏଇ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ବିନ ଯାଏଦ ଅଲ ନାହୟାନ ତାଙ୍କ ଭାରତୀୟ ପ୍ରତିପକ୍ଷ, କୂଟନୈତିକ ରୁ ବୈଦେଶିକ ମନ୍ତ୍ରୀ ହୋଇଥିବା ଡଃ ଏସ ଜୟଶଙ୍କର ଙ୍କ ସହ ସାକ୍ଷାତ କରି ବାଣିଜ୍ୟ ଓ ପୁଞ୍ଜିନିବେଶ, ପ୍ରତିରକ୍ଷା ଓ ସୁରକ୍ଷା , ଶକ୍ତି ସୁରକ୍ଷା ଓ ସନ୍ତ୍ରାସବାଦ ର ମୁକାବିଲା ତଥା ଜନ ସମ୍ପର୍କ ଆଦି ପ୍ରସଙ୍ଗରେ ବ୍ୟାପକ ଆଲୋଚନା କରିଥିଲେ | ଏହି ବୈଠକରେ ୟୁଏଇର ବୈଦେଶିକ ମନ୍ତ୍ରୀ ସିରିଆ, ଲେବାନନ ଓ ୟେମେନର ରାଜନୈତିକ ଘଟଣାବଳୀ ଗୁଡିକ ବିଷୟରେ ଡଃ ଜୟ ଶଙ୍କରଙ୍କୁ ଅବଗତ କରାଇଥିଲେ ଓ ବର୍ତ୍ତମାନ ଆନ୍ତର୍ଜାତୀୟ ସ୍ତରରେ ଉଭା ହୋଇଥିବା ରାଜନୈତିକ ଓ ରଣନୀତିକ ପରିଦୃଶ୍ୟ ନେଇ ମଧ୍ୟ ଉଭୟ ନେତା ଆଲୋଚନା କରିଥିଲେ | ସନ୍ତ୍ରାସବାଦ ର ମୁକାବିଲା ଭାରତ-ୟୁଏଇ ଦ୍ଵିପକ୍ଷୀୟ ସମ୍ପର୍କ କ୍ଷେତ୍ରରେ ଏକ ପ୍ରମୁଖ ବିପଦ ଭାବେ ଉଭା ହୋଇଛି | ସବୁ ରୂପ ତଥା ସବୁ ପ୍ରକାରର ସନ୍ତ୍ରାସବାଦ ର ମୂଳୋତ୍ପାଟନ ଲାଗି ସବୁ ମନ୍ତେ ସଂଗ୍ରାମ କରିବା ନିମନ୍ତେ ଦୁଇ ନେତା ପୁନର୍ବାର ଦୋହୋରାଇଥିଲେ |

ବୈଦେଶିକ ମନ୍ତ୍ରୀ ତାଙ୍କ ବୈଠକର ଶେଷ ଚରଣରେ ଦ୍ଵିତୀୟ ଥର କ୍ଷମତାସୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିଥିଲେ ଓ ଏହି ବୈଠକ ସମୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନୂତନ ସ୍ତରରେ ପହଞ୍ଚାଇବା ଲାଗି ନିଜ ନିଜର ପ୍ରତିଶୃତିବଦ୍ଧତା ଦୋହୋରାଇଥିଲେ | ଉଭୟ ପକ୍ଷ ମଧ୍ୟରେ ଅନୁଷ୍ଠିତ ବୈଠକରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା ହେବା ସହ ଉଭୟ ଦେଶର ଆଶା ଓ ଆକାଂକ୍ଷା ପୂରଣ ପାଇଁ ନୂଆ ନୂଆ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ବାଟ ବାହାର କରିବା ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା | ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ବିନ ଯାଏଦ ଅଲ ନାହୟାନ ଜୁନ 2018 ରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ଯାସ ମନ୍ତ୍ରଣାଳୟ ଦ୍ଵାରା ଆୟୋଜିତ ଏକ ମିଳିତ କର୍ମଶାଳାରେ ଯୋଗ ଦେବାଲାଗି ନୂଆଦିଲ୍ଲୀ ଗସ୍ତରେ ଆସିଥିବା ବେଳେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସହ ସାକ୍ଷାତ କରିଥିଲେ |ଏହା ପୂର୍ବରୁ ସେ 2016 ଓ 2017 ରେ ଯୁବରାଜ ଶେଖ ମହମ୍ମଦ ବିନ ଯାଏଦ ଅଲ ନାହୟାନ ଙ୍କ ସହ ନୂଆଦିଲ୍ଲୀ ଗସ୍ତରେ ଆସିଥିଲେ | ନିକଟ କିଛି ବର୍ଷ ମଧ୍ୟରେ ଭାରତ-ୟୁଏଇ ମଧ୍ୟରେ ସମ୍ପର୍କ ଘନୀଭୂତ ହେବାରେ ଲାଗିଛି | ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ନିବିଡ ହୋଇଯାଇଥିଲା ଯେତେବେଳେ ଇସଲାମିକ ସହଯୋଗ ସଂଗଠନ ର ଅଧ୍ୟକ୍ଷ ଭାବେ ୟୁଏଇ ଭାରତକୁ ଗତ ମାର୍ଚ୍ଚ ମାସରେ ଓଆଇସି ର 46 ତମ ବୈଦେଶିକ ମନ୍ତ୍ରୀ ପରିଷଦ ବୈଠକରେ ‘ସମ୍ମାନନୀୟ ଅତିଥି’ ଭାବେ ଆମନ୍ତ୍ରଣ କରିଥିଲା |

ଏହି ଗସ୍ତରୁ ଜଣାପଡୁଛି ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ବିଶେଷରୂପରେ ଉପସାଗରୀୟ ଅଞ୍ଚଳ ସହ ଆରମ୍ଭ କରାଯାଇଥିବା ସକ୍ରିୟ କଥାବାର୍ତ୍ତା ଭବିଷ୍ୟତରେ ମଧ୍ୟ ଜାରିରହିବ ଓ ଉପସାଗରୀୟ ରାଷ୍ଟ୍ର ଗୁଡିକ ସହ ସମ୍ପର୍କ ଏକ ଉଚ୍ଚ ଶିଖରରେ ପହଞ୍ଚିବ | ଭାରତ ପାଖରେ ଏହାର ସମ୍ପ୍ରସାରିତ ପଡୋଶୀ ମାନଙ୍କ ଲାଗି ଏକ ଉତ୍ତମ ପରିଭାଷିତ ନୀତି ରହିଛି ଓ ଏହି ଅଞ୍ଚଳର ଅର୍ଥନୈତିକ ଓ ରଣନୀତିକ ହିତକୁ ସୁରକ୍ଷିତ ରଖିବା ପାଇଁ ଏକ ଫଳପ୍ରଦ ନକସା ରହିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ସ୍ଥାପିତ ମଜବୁତ ସମ୍ପର୍କର ଆଧାରଶିଳା ଭବିଷ୍ୟତରେ ମଧ୍ୟ ଏପରି ଜାରି ରହୁ ବୋଲି ସନ୍ଦେଶ ଦେବା ଲକ୍ଷ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ ର ବୈଦେଶିକ ମନ୍ତ୍ରୀ ଙ୍କ ଦ୍ଵାରା ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା | | 


ମୂଳ ଲେଖା : ଡଃ ଫାଜୁର ରହମାନ ଶିଦ୍ଦିକି , ପଶ୍ଚିମ ଏସିଆ ଉପରେ ରଣନୀତିକ ବିଶ୍ଳେଷକ
ଅନୁବାଦ : ରୀତା ଯୋଶୀ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...