Skip to main content

ପାର୍ଲାମେଣ୍ଟରେ ଗତ ସପ୍ତାହରେ ସମ୍ପାଦିତ କାର୍ଯ୍ୟ

ଲୋକସଭାରେ, ନୂଆଦିଲ୍ଲୀ ଆନ୍ତର୍ଜାତୀୟ ମଧ୍ୟସ୍ଥତା କେନ୍ଦ୍ର ବିଲ, 2019 ପାସ ହୋଇଛି | ଏହି ବିଲରେ ନୂଆଦିଲ୍ଲୀ ଆନ୍ତର୍ଜାତୀୟ ମଧ୍ୟସ୍ଥତା କେନ୍ଦ୍ର ସ୍ଥାପନ କରିବା ବ୍ୟବସ୍ଥା ରହିଛି ଏବଂ ଏହା ଏକ ପ୍ରମୁଖ ମଧ୍ୟସ୍ଥତା କେନ୍ଦ୍ର ଭାବେ ଏହାର ସର୍ବାଙ୍ଗୀନ ବିକାଶ ସକାଶେ ଏହାକୁ ଜାତୀୟ ମାନ୍ୟତା ପ୍ରାପ୍ତ ଏକ ଅନୁଷ୍ଠାନ ଭାବେ ଘୋଷଣା କରିବାକୁ ମଧ୍ୟ ବିଲରେ ପ୍ରସ୍ତାବ ରହିଛି | ବୁଧବାର ଦିନ ଏହି ବିଲ ଉପରେ ହୋଇଥିବା ବିତର୍କର ଉତ୍ତର ଦେଇ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଦେଶକୁ ଏକ ପ୍ରମୁଖ ଆନ୍ତର୍ଜାତୀୟ ଏବଂ ଘରୋଇ ମଧ୍ୟସ୍ଥତା କେନ୍ଦ୍ର ଭାବେ ପ୍ରତିଷ୍ଠା କରିବାକୁ ସରକାର ଆଗ୍ରହୀ ଅଛନ୍ତି |

ପାକିସ୍ତାନରୁ ଉତ୍ପାଦିତ ଏବଂ ରପ୍ତାନୀ ହେଉଥିବା ସମସ୍ତ ସାମଗ୍ରୀ ଗୁଡିକ ଉପରେ ଶତକଡା 200 ଭାଗ ଶୁଳ୍କ ଲାଗୁ ପାଇଁ ପାର୍ଲାମେଣ୍ଟର ଉଭୟ ସଭାଗୃହରେ ଏକ ପ୍ରସ୍ତାବ ଗୃହୀତ ହୋଇଛି | ଚଳିତ ବର୍ଷ ଫେବୃଆରୀ ମାସରୁ ଏହି ବର୍ଦ୍ଧିତ ଶୁଳ୍କ ହାର ଲାଗୁ ହୋଇଛି | ଆମଦାନୀ ଶୁଳ୍କ ଆଇନର ପ୍ରଥମ ଅଧ୍ୟାୟର ସଂଶୋଧନ ପାଇଁ ଏକ ପ୍ରସ୍ତାବ ଉଭୟ ସଭାଗୃହରେ ଅନୁମୋଦନ ଲାଭ କରିଛି | ଅର୍ଥ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ସବୁ ପ୍ରସ୍ତାବ ଗୁଡିକ ଆଗତ କରିଥିଲେ | 

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ସରକାର କୃଷି, ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ସକାଶେ ପ୍ରତିଶୃତିବଦ୍ଧ ଅଛନ୍ତି | ବୁଧବାରଦିନ ଲୋକସଭାରେ 2019-20 ବର୍ଷ ପାଇଁ କେନ୍ଦ୍ର ବଜେଟ ଉପରେ ହୋଇଥିବା ବିତର୍କର ଉତ୍ତର ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଦେଶରେ ଅର୍ଥନୈତିକ ବ୍ୟବସ୍ଥାର ସଂସ୍କାର ଓ ପରିବର୍ତ୍ତନ ନିମନ୍ତେ ବଜେଟରେ ପ୍ରସ୍ତାବ ରହିଛି | ମଧ୍ୟବର୍ତ୍ତୀକାଳୀନ ବଜେଟରେ ଆର୍ଥିକ ନିଅଣ୍ଟ ଶତକଡା 3.4 ଭାଗ ଆକଳନ କରାଯାଇଥିବାବେଳେ ସରକାର ଆର୍ଥିକ ନିଅଣ୍ଟକୁ ଶତକଡା 3.3 ଭାଗ ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ଅର୍ଥମନ୍ତ୍ରୀ ଉଲ୍ଲେଖ କରିଛନ୍ତି |

ମଙ୍ଗଳବାରଦିନ ଲୋକସଭାରେ ସ୍ବରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜି. କ୍ରିଷ୍ଣା ରେଡ୍ଡୀ କହିଛନ୍ତି ଜାମୁ ଓ କାଶ୍ମୀରକୁ ସୀମା ପାର ଅନୁପ୍ରବେଶ ସଂଖ୍ୟା 2018 ମସିହା ତୁଳନାରେ 2019 ବର୍ଷର ପ୍ରଥମାର୍ଦ୍ଧରେ ଶତକଡା 43 ଭାଗ ହ୍ରାସ ପାଇଛି | ରାଜ୍ୟରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଶତକଡା 28 ଭାଗ ହ୍ରାସ ପାଇଥିବା ମନ୍ତ୍ରୀ କହିଛନ୍ତି | ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ପ୍ରତିରକ୍ଷା ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ କହିଛନ୍ତି 2019 ବର୍ଷର ଜୁନ ମାସ ସୁଦ୍ଧା ଭାରତ-ପାକିସ୍ତାନ ସୀମାରେ 1299 ଟି ଅସ୍ତ୍ରବିରତି ଲଂଘନ ହୋଇଛି ଏବଂ ଗତବର୍ଷ ସେହି ସମୟ ମଧ୍ୟରେ 1629ଟି ଅସ୍ତ୍ରବିରତି ଲଂଘନ ହୋଇଥିଲା |

ପରମାଣୁ ଶକ୍ତି ଏବଂ ମହାକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଗଗନଯାନ ପ୍ରକଳ୍ପର ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି ଏବଂ 75ତମ ସ୍ୱାଧୀନତା ଦିବସ ସୁଦ୍ଧା କିମ୍ବା ତା ପୂର୍ବରୁ ଏହି ମିଶନକୁ ପ୍ରେରଣ କରାଯିବ | ବିମାନ ପ୍ରଣାଳୀର ମାନବୀୟ ରେଟିଙ୍ଗ ଆରମ୍ଭ କରାଯାଇଛି ଏବଂ କ୍ରାୟୋଜେନିକ ଇଞ୍ଜିନ ପରୀକ୍ଷା ଗୁଡିକ କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି | ଗୁରୁବାରଦିନ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ବିଭିନ୍ନ ଅନୁଷ୍ଠାନ ଏବଂ ଉଦ୍ୟୋଗ ଗୁଡିକର ପ୍ରତିନିଧି ମାନଙ୍କୁ ନେଇ ଏକ ଗଗନଯାନ ଜାତୀୟ ଉପଦେଷ୍ଟା ପରିଷଦ ଗଠନ କରାଯାଇଛି |

ବ୍ୟାଙ୍କ ଜମାଖାତା ଖୋଲିବା ଏବଂ ମୋବାଇଲ ସଂଯୋଗ ନେବା ପାଇଁ ଆଧାରକୁ ପରିଚୟ ପ୍ରମାଣ ଭାବେ ସ୍ବେଛାକୃତ ବ୍ୟବହାର ସକାଶେ ଅନୁମତି ଦେବା ସଂକ୍ରାନ୍ତୀୟ ଏକ ବିଲ ପାର୍ଲାମେଣ୍ଟରେ ପାସ ହୋଇଛି | ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ସରକାର ଏକ ଦୃଢ ତଥ୍ୟ ସୁରକ୍ଷା ଆଇନ ପ୍ରସ୍ତୁତ କରୁଛନ୍ତି ଏବଂ ଏହା ଖୁବ ଶୀଘ୍ର ପାର୍ଲାମେଣ୍ଟରେ ଉପସ୍ଥାପନ କରାଯିବ | ଭାରତର ତଥ୍ୟ ସୁରକ୍ଷା ସମଗ୍ର ବିଶ୍ବ ପାଇଁ ଏକ ଉଦାହରଣ ଥିବା ସେ କହିଛନ୍ତି | ଭାରତ ଏକ ସଂସ୍କାର ସମ୍ପନ୍ନ, ସମଷ୍ଟିଗତ ଏବଂ ସଶକ୍ତ ରାଷ୍ଟ୍ର ଥିବା ମନ୍ତ୍ରୀ କହିଛନ୍ତି | ଆଧାରରେ ଥିବା ତଥ୍ୟର ଅପବ୍ୟବହାର ଓ ଲଂଘନ ପାଇଁ ଏକ କୋଟି ଟଙ୍କାର ଜୋରିମାନା ଏବଂ ଜେଲ ଦଣ୍ଡ ବ୍ୟବସ୍ଥା ଆଧାର ଓ ଅନ୍ୟ ନିୟମ (ସଂଶୋଧନ) ବିଲ, 2019 ରେ ବ୍ୟବସ୍ଥା ରହିଛି |

କର୍ଣ୍ଣାଟକରେ ଉପୁଜିଥିବା ରାଜନୈତିକ ଘଟଣାବଳୀ ଉପରେ ପାର୍ଲାମେଣ୍ଟର ଉଭୟ ସଭାଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା | କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଗୁଡିକ ଦ୍ୱାରା ହଟ୍ଟଗୋଳ ଯୋଗୁଁ ସଭାଗୃହର କାର୍ଯ୍ୟଧାରାକୁ ବାରମ୍ବାର ମୁଲତବୀ ରଖିବାକୁ ପଡିଥିଲା | ରାଜ୍ୟରେ କଂଗ୍ରେସ-ଜେଡି(ଏସ) ମେଣ୍ଟ ସରକାରକୁ ଅସ୍ଥିର କରିବାକୁ ବିଜେପି ତୁଚ୍ଛ ରାଜନୀତି କରୁଥିବା ବିଷୟ ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଅଭିଯୋଗ କରିଥିଲେ | ତେବେ ରାଜ୍ୟରେ ସମ୍ପ୍ରତି ରାଜନୈତିକ ଅସ୍ଥିରତା ସକାଶେ କେନ୍ଦ୍ର ସରକାରଙ୍କର କୌଣସି ଭୂମିକା ନଥିବା କହି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିରୋଧୀ ଦଳ ଗୁଡିକର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ | 



ମୂଳ ଲେଖା : ଭି. ମୋହନ ରାଓ, ସାମ୍ବାଦିକ

ଅନୁବାଦ : ଅନୀଲ କୁମାର ପଟ୍ଟନାୟକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...