ଲର୍ଡ୍ସ ଠାରେ ଖେଳାଯାଇଥିବା ଏକ ଅଦ୍ଭୂତପୂର୍ବ ଉତ୍କଣ୍ଠା, ରୋମାଞ୍ଚଭରା, ନାଟକୀୟ ଉତଥାନ ପତନ ତଥା ଚିତ୍ତାକର୍ଷକ ଓ ଏକ ସଙ୍ଘର୍ଷପୂର୍ଣ୍ଣ ବିଶ୍ଵକପ କ୍ରିକେଟ ଫାଇନାଲରେ ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ଏକ ସୁପର ଓଭରରେ ହରାଇ ବିଶ୍ଵ ଚମ୍ପିୟାନ ହେବାର ଗୌରବ ଅର୍ଜନ କରିଛି | ବିଶ୍ଵକପ ଆରମ୍ଭ ହେବାର ଦୀର୍ଘ 44 ବର୍ଷ ପରେ ନିଜ ଘରୋଇ ମାଟିରେ ହିଁ ଇଂଲଣ୍ଡ ବିଶ୍ଵକପର ନୂଆଁ ଇତିହାସ ରଚିଛି | ଏହି ଫାଇନାଲ ମ୍ଯାଚରେ ଚିତ୍ତାକର୍ଷକ କ୍ରୀଡା ପ୍ରଦର୍ଶନ କରି ଇଂଲଣ୍ଡର ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସ ‘ପ୍ଲେୟର ଅଫ ଦି ଫାଇନାଲ’ ବିବେଚିତ ହୋଇଛନ୍ତି |
ଏହି ଉତ୍କଣ୍ଠାପୂର୍ଣ୍ଣ ଫାଇନାଳରେ ନ୍ୟୁଜିଲାଣ୍ଡ ନିର୍ଧାରିତ 50 ଓଭରରେ 8 ଉଇକେଟ ବିନିମୟରେ 241 ରନ କରିଥିବା ବେଳେ ଆୟୋଜକ ଇଂଲଣ୍ଡ ମଧ୍ୟ ନିର୍ଦ୍ଧାରିତ 50 ଓଭରରେ ସବୁ ଉଇକେଟ ହରାଇ ସେହି 241 ରନ କରିଥିଲା | ଏହା ପରେ ବିଶ୍ଵକପ ଫାଇନାଲ ପ୍ରଥମଥର ପାଇଁ ସୁପର ଓଭରକୁ ଯାଇଥିଲା | ଏହି ସୁପର ଓଭରରେ ଇଂଲଣ୍ଡ 15 ରନ କରିଥିବା ବେଳେ ନ୍ୟୁଜିଲାଣ୍ଡ ମଧ୍ୟ 15 ରନ କରିଥିଲା |
ଏହା ଫଳରେ ଅପୂର୍ବ ସଂଯୋଗ ସହ ମ୍ୟାଚ ଦୁଇଥର ଟାଇ ରହିଥିଲା | ତେବେ ଅଧିକ ବାଉଣ୍ଡରି ଆଧାରରେ ଇଂଲଣ୍ଡ ର ଭାଗ୍ୟ ଫିଟିଥିଲା ଓ ଏହି ଟିମ ବିଶ୍ଵ ବିଜେତା ହୋଇ ଇତିହାସ ରଚିଥିଲା | ଇଂଲଣ୍ଡ ନିର୍ଦ୍ଧାରିତ 50 ଓଭରରେ 22ଟି ବାଉଣ୍ଡରି ମାରିଥିବା ବେଳେ ନ୍ୟୁଜିଲାଣ୍ଡ 14ଟି ବାଉଣ୍ଡରି ମାରିଥିଲା | ଇଂଲଣ୍ଡ ଅଧିକ ବାଉଣ୍ଡରି ମାରିଥିବାରୁ ବିଜୟ ଟୀକା ପିନ୍ଧିବାରେ ସମର୍ଥ ହୋଇପାରିଛି |
ସାତ ସପ୍ତାହ ଧରି 48ଟି ମ୍ୟାଚ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟ ଏକ ନାଟକୀୟ ତଥା ଉତ୍କଣ୍ଠାପୂର୍ଣ୍ଣ ଢଙ୍ଗରେ ସମାପ୍ତି ହୋଇଥିଲା| 1979, 1987 ଓ 1992ରେ ଉପବିଜେତା ରହିଥିବା ଇଂଲଣ୍ଡ ପରିଶେଷରେ ନିଜର ଚତୁର୍ଥ ଫାଇନାଲ ପଦାର୍ପଣରେ ଐତିହାସିକ ସଫଳତା ହାସଲ କରି ବିଶ୍ଵ ବିଜେତା ହୋଇପାରିଛି | ତେଣେ କ୍ରମାଗତ ଦ୍ଵିତୀୟ ବିଶ୍ଵକପ ଫାଇନାଲ ଖେଳି ବିଜୟ ର ଦ୍ଵାର ଦେଶରେ ଥିବା ସତ୍ତ୍ୱେ ନ୍ୟୁଜିଲାଣ୍ଡକୁ ନିରାଶର ସମ୍ମୁଖୀନ ହେବାକୁ ପଡିଛି |
ନ୍ୟୁଜିଲାଣ୍ଡ ଟସ ଜିଣି ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ 50 ଓଭରରେ 8 ଉଇକେଟ ହରାଇ 241 ରନ ସଂଗ୍ରହ କରିଥିଲା | ଏହାପରେ ଇଂଲଣ୍ଡ 86 ରନରେ 4 ଉଇକେଟ ହରାଇ ସଙ୍କଟରେ ପଡିଯାଇଥିଲା କିନ୍ତୁ ଅଲ ରାଉଣ୍ଡର ବେନ ଷ୍ଟୋକ୍ସଙ୍କ ଅପରାଜିତ 84 ରନ ଓ ଜୋସ ବାଟଲର ଙ୍କ 59 ରନ ସହ ପଞ୍ଚମ ଉଇକେଟରେ 110 ରନ ଯୋଡି ଇଂଲଣ୍ଡକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ |
ନ୍ୟୁଜିଲାଣ୍ଡ ର ଓପନିଂ ବ୍ୟାଟସ ମ୍ୟାନ ହେନରୀ ନିକୋଲାସ 55 ରନ କରିଥିବା ବେଳେ ଉଇକେଟ କିପର ବ୍ୟାଟସମ୍ୟାନ ଟମ ଳାଥାମ 44 ରନ ସଂଗ୍ରହ କରିଥିଲେ | ଇଂଲଣ୍ଡ ପାଇଁ ଫାଷ୍ଟ ବୋଲର କ୍ରିସ ୱକ୍ସ ଓ ଲିଆମ ପ୍ଲାଙ୍କେଟ ତିନୋଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ |
ଏହି ବିଶ୍ଵକପ ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମା ସବୁଠୁ ଅଧିକ 648 ରନ ସଂଗ୍ରହ କରି ପ୍ରଥମ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆର ଡାଭିଡ ୱାର୍ନର 647 ରନ ସଂଗ୍ରହ କରି ଦ୍ଵିତୀୟ ସ୍ଥାନରେ ରହିଛନ୍ତି | ଏତେ ରନ ସଂଗ୍ରହ କରି ସୁଦ୍ଧା ଉଭୟ ଖେଳାଳି ସେମି ଫାଇନାଲ ମ୍ୟାଚରେ ଅତି ସହଜରେ ଆଉଟ ହୋଇଯାଇଥିଲେ | ତେବେ ରୋହିତ ଶର୍ମା ଏକ ଏକକ ବିଶ୍ଵ କପ ଟୁର୍ଣ୍ଣାମେଣ୍ଟ ରେ ପାଞ୍ଚୋଟି ଶତକ ହାସଲ କରି ରେକର୍ଡ ସୃଷ୍ଟି କରିଛନ୍ତି |ସେହିପରି ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ମିଚେଲ ଷ୍ଟାର୍କ 29ଟି ଉଇକେଟ ଅକ୍ତିଆର କରି 2019 ଆଇସିସି ବିଶ୍ଵ କପ ର ସଫଳ ବୋଲର ଭାବେ ଯୋଗ୍ୟ ବିବେଚିତ ହୋଇଛନ୍ତି | ଏହା ପୂର୍ବରୁ ତାଙ୍କ ସହଯୋଗୀ ଖେଳାଳି ଗ୍ଲେନ ମାକ ଗ୍ରାଥ 28ଟି ଉଇକେଟ ଅକ୍ତିଆର କରି ରେକର୍ଡ ସୃଷ୍ଟି କରିଥିଲେ |
ପୂର୍ବରୁ ଉଭୟ ପୂର୍ବତନ ଚମ୍ପିୟାନ ଭାରତ ଓ ଅଷ୍ଟ୍ରେଲିଆ ସେମି ଫାଇନାଲ ମ୍ୟାଚରେ ହାରି ଯାଇଥିଲେ | ପାଞ୍ଚ ଥର ବିଜେତା ଅଷ୍ଟ୍ରେଲିଆ ଇଂଲଣ୍ଡ ଠାରୁ 8 ଉଇକେଟ ରେ ପରାଜିତ ହୋଇଥିଲା | ସେହିପରି ଦୁଇଥର ବିଜେତା ଭାରତ ନ୍ୟୁଜିଲାଣ୍ଡ ଠାରୁ ମାତ୍ର 18 ରନ ରେ ପରାସ୍ତ ହୋଇଥିଲା |
ଲିଗ ମ୍ୟାଚ ପରେ ଖେଳରୁ ବାଦ ପଡିଥିବା ଛ ଟି ଟିମ ମଧ୍ୟରୁ ପାକିସ୍ଥାନ ଅତ୍ୟନ୍ତ ପ୍ରଭାବଶାଳୀ ଟିମ ଥିବା ବେଳେ ଆଫଗାନିସ୍ଥାନ ଯେଉଁଠି ବି ଖେଳିଥିଲା ସେଇଠି କ୍ରିକେଟ ପ୍ରେମୀ ମାନଙ୍କ ହୃଦୟ ଜିଣି ଯାଇଥିଲା | ପାକିସ୍ତାନ ତାର ରନ ରେଟ କମ ଥିବାରୁ ସେମିଫାଇନାଲ ରେ ପ୍ରବେଶ କରିପାରିନଥିଲା କିନ୍ତୁ ପୂର୍ବ ମ୍ୟାଚରେ ଏହି ଟିମ ଉଭୟ ଫାଇନାଲିଷ୍ଟ ନ୍ୟୁଜିଲାଣ୍ଡ କୁ 6 ଉଇକେଟ ରେ ଓ ଇଂଲଣ୍ଡ କୁ 16 ରନ ରେ ପରାସ୍ତ କରିଥିଲା ବୋଲି ନିଜକୁ ସାନ୍ତ୍ଵନା ଦେଉଛି |
ତେବେ ଏହି ଟୁର୍ଣ୍ଣାମେଣ୍ଟ ରେ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ସେମାନଙ୍କ ସମର୍ଥକ ଓ କ୍ରିକେଟ ପ୍ରେମୀ ମାନଙ୍କୁ ନିରାଶ କରିବା ଜାରିରଖିଥିଲେ | ଦକ୍ଷିଣ ଆଫ୍ରିକା ସେମାନଙ୍କ ଫାଇନାଲ ଲିଗ ମ୍ୟାଚରେ ଗତ ବର୍ଷର ଚମ୍ପିୟାନ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବାରୁ ଆଶ୍ଵସ୍ତି ଅନୁଭବ କରୁଛି |
ମୋଟାମୋଟି ଭାବେ କହିବାକୁ ଗଲେ ଏହି ଟୁର୍ଣ୍ଣାମେଣ୍ଟରେ ଚାରୋଟି ସର୍ବଶ୍ରେଷ୍ଠ ଟିମ ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ଏଥିମଧ୍ୟରୁ ଦୁଇଟି ବିଜେତା ଟିମ ବିଶ୍ଵ କପ ଟ୍ରଫି ପାଇଁ ସଂଘର୍ଷ କରିଥିଲେ | ଆଉ ହୃତସ୍ପନ୍ଦନ ବନ୍ଦ ହେବା ଭଳି ଫାଇନାଲ ଲଢେଇ ପାଇଁ ବିଶ୍ଵକପର ଚଳିତ ଟୁର୍ଣ୍ଣାମେଣ୍ଟ ଚିର ଦିନ ପାଇଁ ସ୍ମରଣୀୟ ହୋଇଯାଇଛି | ତୀବ୍ର ସଂଘର୍ଷ ସହ ସୁପର ଓଭର ଓ ଦୁଇଟି ଟାଇ ପାଇଁ ବିଶ୍ଵ କପ ଇତିହାସରେ ଇଂଲଣ୍ଡ ରଚିଛି ବିଶ୍ଵ ରେକର୍ଡ |
ମୂଳ ଲେଖା : ରାହୁଲ ବାନାର୍ଜୀ, କ୍ରୀଡା ଭାଷ୍ୟକାର
ଅନୁବାଦ:ରୀତା ଯୋଶୀ
Comments
Post a Comment