Skip to main content

ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷଣ ପୁଣି ଉତ୍ତେଜନା ବୃଦ୍ଧି କରାଇଛି

କୋରିଆ ଉପଦ୍ବୀପରେ ଶାନ୍ତି ପ୍ରତିଷ୍ଠାକୁ ଆଉ ଏକ ଶକ୍ତ ଧକ୍କା ଦେଇ ଉତ୍ତର କୋରିଆ ଗତ ସପ୍ତାହରେ ଦୁଇଟି ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି | ଉତ୍ତର କୋରିଆ ଅଧ୍ୟକ୍ଷ କିମ ଜଙ୍ଗ-ଉନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ମଧ୍ୟରେ ଉଭୟ କୋରିଆର ସୈନ୍ୟ ବିହୀନ ଅଞ୍ଚଳରେ ଅନୁଷ୍ଠିତ ବୈଠକର ମାତ୍ର ମାସକ ମଧ୍ୟରେ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି | ଉଭୟ ନେତା ସେମାନଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରସଙ୍ଗ ଗୁଡିକର ଏକ ବ୍ୟାପକ ସମାଧାନ ଉପରେ କାର୍ଯ୍ୟରତ ହେବାକୁ ପ୍ରତିଶ୍ରୁତି ଦେଇଥିଲେ | 

ଉତ୍ତର କୋରିଆର ପୂର୍ବ ଉପକୂଳସ୍ଥିତ ୱନସାନରୁ ଦୁଇଟି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି | ଉଭୟ ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆର ସମ୍ବନ୍ଧୀୟ ସଂସ୍ଥା ଗୁଡିକ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଥିବା ସୁନିଶ୍ଚିତ କରାଇଛନ୍ତି | ଏହା ଅଧିକ ଗତିଶୀଳ, ସହଜରେ ବହନ କରାଯାଇପାରୁଥିବା ଏବଂ ଲୁଚାଯାଇପାରୁଥିବା ତଥା ଏହାକୁ ଖୋଜିବା ଅଧିକ କଷ୍ଟସାଧ୍ୟ ଥିବା ବିଷୟ ସେହି ସଂସ୍ଥା ଗୁଡିକ କହିଛନ୍ତି | ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ଦ୍ଵାରା ଏହାର ନିରାପତ୍ତା ସଙ୍କ୍ରାନ୍ତିୟ ପ୍ରଭାବ ଆମେରିକା ଅପେକ୍ଷା କୋରିଆ ଉପଦ୍ଵୀପ ଉପରେ ଅଧିକ ପଡିବାର ବିପଦ ରହିଛି | 

କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ଜାରି ଏକ ବିବୃତୀରେ ଉତ୍ତର କୋରିଆ ନେତା କିମ ଜଙ୍ଗ-ଉନ କହିଛନ୍ତି ଉତ୍ତର କୋରିଆର ନିରାପତ୍ତା ପ୍ରତି ବିପଦ ଥିବା ଦୃଷ୍ଟିରୁ ଏହାକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି | ସେ ଦକ୍ଷିଣ କୋରିଆ ଉପରେ ଦୋଷାରୋପ କରି ଏହାର ପ୍ରରୋଚନାରୁ ଏହି ପଦକ୍ଷେପ ନିଆଯାଇଥିବା ମତବ୍ୟକ୍ତ କରିଛନ୍ତି | ଉଭୟ ଦକ୍ଷିଣ କୋରିଆ ଏବଂ ଆମେରିକା ସେମାନଙ୍କ ମଧ୍ୟରେ ଅନେକ ବର୍ଷରୁ ଜାରି ରହିଥିବା ମିଳିତ ସମରାଭ୍ୟାସ ପରିଚାଳନାକୁ ଜାରି ରଖିବାକୁ ଦୃଢ ରହିଛନ୍ତି | ତେବେ ଆମେରିକା ସହ ଯେଭଳି କୌଣସି ମତଭେଦ ଅଧିକ ନହୁଏ, ତାହା ଦୃଷ୍ଟିରେ ରଖି କିମ ଜଙ୍ଗ-ଉନ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରତି କୌଣସି ମତବ୍ୟକ୍ତ କରିନାହାନ୍ତି | 

ଉତ୍ତର କୋରିଆ ଏହାର ଦୀର୍ଘ ସମୟର ପରମାଣୁ କାର୍ଯ୍ୟକ୍ରମ ଦକ୍ଷତା ପ୍ରଦର୍ଶନ ଜାରି ରଖିଥିବାବେଳେ, ସମ୍ପ୍ରତି କରିଥିବା କ୍ଷେପଣାସ୍ତ୍ର ପରୀକ୍ଷଣ, ଦକ୍ଷିଣ କୋରିଆ ଏବଂ ଆମେରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ମିଳିତ ସମରାଭ୍ୟାସକୁ ଏକ ସଙ୍କେତ ଦେବା ଉଦ୍ଦେଶ୍ୟରେ କରିଥିବା ଅନୁମେୟ | ଏତଦ ବ୍ୟତୀତ, ଦକ୍ଷିଣ କୋରିଆ ଦ୍ୱାରା 40 ଟି F-35 A ଜେଟ କ୍ରୟ କରାଯାଇଥିବା ମଧ୍ୟ ଉତ୍ତର କୋରିଆକୁ କ୍ଷେପଣାସ୍ତ୍ର ପରୀକ୍ଷଣ କରାଇବାରେ ପ୍ରରୋଚନା କରିଥିବା ମନେ କରାଯାଉଛି |

ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ ଜାଏ-ଇନ ଏହି କ୍ଷେପଣାସ୍ତ୍ର ପରୀକ୍ଷଣର ତୀବ୍ର ସମାଲୋଚନା କରିଛନ୍ତି | ଉତ୍ତର କୋରିଆ ଜାତିସଂଘ ପ୍ରସ୍ତାବର ଲଂଘନ କରିଥିବା ସେ ଦୋଷାରୋପ କରିଛନ୍ତି | ଜାତିସଂଘ ପ୍ରସ୍ତାବ ଅନୁଯାୟୀ ପ୍ୟଙ୍ଗଗ୍ୟାଙ୍ଗକୁ ବାଲିଷ୍ଟିକ କ୍ଷେପଣାସ୍ତ୍ର ଜ୍ଞାନକୌଶଳ ବିକଶିତ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି ଓ ଉତ୍ତର କୋରିଆ ଏହାର ଲଂଘନ କରିଥିବା ସେ ଅଭିଯୋଗ କରିଛନ୍ତି | 

ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ ପ୍ରତିକ୍ରିୟା ପ୍ରକାଶ ଉପରେ ଆମେରିକା ହାଲୁକା ରହିଛି | ଆମେରିକା କୌଣସି କଠୋର ପ୍ରତିକ୍ରିୟା ପ୍ରକାଶ କରିନାହିଁ | ଅଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ ଉପରେ ଆମେରିକା ସରକାରଙ୍କର ପ୍ରତିକ୍ରିୟା ସାମାନ୍ୟ ଥିବା ଜଣାପଡିଛି | ତେବେ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ କିମ୍ବା ପରମାଣୁ ପରୀକ୍ଷଣ ଉପରେ ଆମେରିକା ସର୍ବଦା ଉତ୍ତର କୋରିଆ ଉପରେ କଠୋର ପ୍ରତିକ୍ରିୟା ପ୍ରକାଶ କରିଆସିଛି |

ମେ ମାସରେ କରାଯାଇଥିବା ପରୀକ୍ଷଣ ଉପରେ ମଧ୍ୟ ଆମେରିକା ଏବଂ ଦକ୍ଷିଣ କୋରିଆର ପ୍ରତିକ୍ରିୟା ସାମାନ୍ୟ ରହିଥିଲା | ତେବେ ଏଭଳି ଧରଣର ପରୀକ୍ଷଣ ଓ ପ୍ରରୋଚନାତ୍ମକ କାର୍ଯ୍ୟକଳାପ ଯଦି ଜାରି ରହେ ତେବେ ଏହା କୋରିଆ ଉପଦ୍ବୀପର ଶାନ୍ତି ଓ ସ୍ଥିରତା ଉପରେ ପ୍ରତିକୂଳ ପ୍ରଭାବ ପକାଇବ |

2019 ମସିହା ଫେବୃଆରୀ ମାସରେ ହାନୋଇ ଠାରେ ଟ୍ରମ୍ପ ଏବଂ କିମଙ୍କ ମଧ୍ୟରେ କଥାବାର୍ତ୍ତା ବିଫଳ ହେବା ସତ୍ତ୍ୱେ ପୁଣି ଜୁନ ମାସରେ ଉଭୟ ନେତାଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା | ତେବେ ଏହି କଥାବାର୍ତ୍ତାରୁ ମଧ୍ୟ କୌଣସି ସୁଫଳ ମିଳିନାହିଁ | ଉତ୍ତର କୋରିଆ କୌଣସି ଦୃଢ ସକାରାତ୍ମକ ଫଳାଫଳ ଦେବାରେ ବିଫଳ ହୋଇଛି ଏବଂ ଏପର୍ଯ୍ୟନ୍ତ ସକ୍ରିୟ ଭାବେ ଏହାର ସାମରିକ ଦକ୍ଷତା ବୃଦ୍ଧି କରିବାରେ ଲାଗିଛି | ଚୀନ ସହ ଉତ୍ତର କୋରିଆର ଘନିଷ୍ଠତା ବୃଦ୍ଧି ପାଉଥିବା ମଧ୍ୟ ଆଉ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି | 

ଶାନ୍ତି ପ୍ରକ୍ରିୟାରେ ବେଜିଙ୍ଗର ଅନୁପସ୍ଥିତି କୌଣସି ଦୀର୍ଘକାଳୀନ ପ୍ରଭାବ ପକାଇବ ନାହିଁ | ତେବେ ବର୍ତ୍ତମାନ ମୁହୂର୍ତ୍ତରେ ଚୀନ-ଆମେରିକା ଦ୍ଵିପକ୍ଷୀୟ ସମ୍ପର୍କରେ ଅବନ୍ନତି ଯୋଗୁଁ ଉତ୍ତର କୋରିଆକୁ ଏହାର ପରମାଣୁ ଦକ୍ଷତା ବୃଦ୍ଧି କରାଇବାରେ ରୋକାଯିବା କଷ୍ଟକର ବ୍ୟାପାର ହେବ | 

ଭାରତ, କୋରିଆ ଉପଦ୍ବୀପରେ ଶାନ୍ତି ଓ ସ୍ଥିରତା ଆଶା କରୁଛି | ଏହି ଲକ୍ଷ୍ୟକୁ ହାସଲ କରିବା ଦିଗରେ ସମସ୍ତ ସଂଲିଷ୍ଟ ପକ୍ଷଙ୍କୁ ମିଳିମିଶି କାମ କରିବା ଉଚିତ | 


ମୂଳ ଲେଖା : ଡକ୍ଟର ରାହୁଲ ମିଶ୍ର, ପୂର୍ବ ଏବଂ ଦକ୍ଷିଣ-ପୂର୍ବ ଏସିଆ ଉପରେ ସାମରିକ ବିଶ୍ଳେଷକ 
ଅନୁବାଦ : ଅନୀଲ କୁମାର ପଟ୍ଟନାୟକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...