Skip to main content

ଜି-7 ସମ୍ମିଳନୀ


ଆନ୍ତର୍ଜାତୀୟ ପ୍ରସଙ୍ଗ ଉତ୍ଥାପନ ଉପରେ ବିଶ୍ବର ସାତଟି ବିକଶିତ ଅର୍ଥନୈତିକ ଦେଶର ନେତାମାନଙ୍କ ପାଇଁ ଏକ ସ୍ବାଧୀନ ମଞ୍ଚ ପ୍ରଦାନ କରିବାକୁ ଫ୍ରାନ୍ସ ଦ୍ବାରା 1975 ମସିହାରେ ଜି-7 ସମ୍ମିଳନୀ ଗଠନ କରାଯାଇଥିଲା। ଜି-7 ଆଲୋଚନାର ପ୍ରଭାବ ଯେପରି ସମଗ୍ର ବିଶ୍ବରେ ପଡିବ ସେଥିପାଇଁ ଜି-7 ଦେଶ ବ୍ୟତିତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଦେଶମାନଙ୍କୁ ମଧ୍ୟ ଏହି ଆଲୋଚନାରେ ସାମିଲ କରାଯାଇଛି। ଫ୍ରାନ୍ସ ଦ୍ବାରା ଆୟୋଜିତ 1989ର ଜି-7 ଶିଖର ସମ୍ମିଳନୀରେ ସନ୍ତ୍ରାସବାଦ ପାଇଁ ପାଣ୍ଠି ହେରଫେରକୁ ମୁକାବିଲା କରିବା ନିମନ୍ତେ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସ ( FATF )ର ସ୍ଥାପନ କରାଯାଇଥିଲା। ନିକଟ ବର୍ଷମାନଙ୍କରେ ଭାରତ FATFର ସଦସ୍ୟ ହୋଇ ପାକିସ୍ତାନ ଦ୍ବାରା ସନ୍ତ୍ରାସବାଦ ନିମନ୍ତେ ପାଣ୍ଠି ଯୋଗାଣକୁ ମୁକାବିଲା କରିବା ପାଇଁ ଆନ୍ତର୍ଜାତୀୟ ସହଯୋଗ ହାସଲ କରିଛି।

ଫ୍ରାନ୍ସର ବ୍ୟାରିଜରେ ଅନୁଷ୍ଠିତ ଜି-7 ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମନ୍ତ୍ରଣ ସ୍ବତନ୍ତ୍ର ବ୍ୟାରିଜ ସହଯୋଗୀ ଭାବେ ହୋଇଥିଲା। ସମସ୍ତ ପ୍ରକାର ଅସମାନତାର ଫଳପ୍ରଦ ମୁକାବିଲା ପାଇଁ ମୁଖ୍ୟ ଗଣତନ୍ତ୍ର ଭାବେ ଭାରତକୁ ଆମନ୍ତ୍ରଣ କରାଯାଇଥିଲା। ଭାରତ ଏବଂ ଫ୍ରାନ୍ସ ଜଳବାୟୁ ପରିବର୍ତ୍ତନ, ଜୈବବିବିଧତା ଏବଂ ସାମୁଦ୍ରିକ ଓ ଡିଜିଟାଲ କ୍ଷେତ୍ରରେ ପରିବର୍ତ୍ତନ ସକାଶେ ଜି-7 ଢାଞ୍ଚା ଅନୁରୂପ ଆଲୋଚନାକୁ ଗୁରୁତ୍ବ ଦେଇଥିଲେ।

ଜଳବାୟୁ ପରିବର୍ତ୍ତନ ଏବଂ ଜୈବବିବିଧତା ପ୍ରସଙ୍ଗରେ ଭାରତ ଜି-7 ଢାଞ୍ଚାରେ ତଥା ଜାତିସଂଘ ସେକ୍ରେଟାରୀ ଜେନେରାଲଙ୍କ 2019 ସେପ୍ଟେମ୍ବର 23 ତାରିଖର ଜଳବାୟୁ କାର୍ଯ୍ୟାନୁଷ୍ଠାନ ସମ୍ମିଳନୀର ନୂଆ ପଦକ୍ଷେପକୁ ସମର୍ଥନ ଓ ସହଯୋଗ କରିବ। ବୈଠକ କାଳରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତରେ ପ୍ଲାଷ୍ଟିକ ବ୍ୟବହାରକୁ ବନ୍ଦ କରିବା, ଜଳ ସଂରକ୍ଷଣ, ସୌର ଶକ୍ତିର ବିକାଶ ତଥା ଏକ ନିରନ୍ତର ଭବିଷ୍ୟତ ପାଇଁ ପ୍ରାକୃତିକ ସମ୍ବଳର ସୁରକ୍ଷା ଉପରେ ଭାରତର ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

ଜି-7 ଶିଖର ବୈଠକ ପରେ ପ୍ୟାରିସ ରାଜିନାମା 2015 ଅନୁଯାୟୀ ଗ୍ରୀନ ହାଉସ ଗ୍ୟାସର ଉସର୍ଜନ କରିବା ପାଇଁ ଭାରତ ଦୃଢ ପଦକ୍ଷେପ ଗ୍ରହଣ କରିବ। ହାଇଡ୍ରୋ ଫ୍ଲୋରୋ କାର୍ବନର ହ୍ରାସ ଏବଂ ଶକ୍ତି ଦକ୍ଷତା ବୃଦ୍ଧି ଉପରେ ଜୀ-7 ସମ୍ମିଳନୀରେ ହୋଇଥିବା ନିଷ୍ପତ୍ତିରେ ଭାରତ ଏହାର ଭାଗିଦାରୀ ନିର୍ବାହ କରିବ। ଆନ୍ତର୍ଜାତୀକ ନିୟମ ଅନୁଯାୟୀ ଏକ ଉନ୍ମୁକ୍ତ, ଶାନ୍ତିପୂର୍ଣ୍ଣ ଏବଂ ସୁରକ୍ଷିତ ସାଇବେର ସ୍ପେସ ମାଧ୍ୟମରେ ଅର୍ଥନୈତିକ ଏବଂ ସାମାଜିକ ବିକାଶକୁ ଭାରତ ଏବଂ ଫ୍ରାନ୍ସ ସମର୍ଥନ କରିଛନ୍ତି। ଡିଜିଟାଲ ଜ୍ଞାନକୌଶଳ ଏବଂ କୃତ୍ରିମ ଇଣ୍ଟେଲିଜେନ୍ସ ଯୁଗରେ ମୌଳିକ ସ୍ବାଧିନତା ଯେପରି ଅକ୍ଷୁର୍ଣ୍ଣ ରହିପାରିବ ସେନେଇ ଫ୍ରାନ୍ସ ଜ-7 ବୈଠକ କାଳରେ ମତବ୍ୟକ୍ତ କରିଛି।

କୃତ୍ରିମ ଇଣ୍ଟେଲିଜେନ୍ସ ଜ୍ଞାନକୌଶଳ ଉପରେ ଜି-7 ସମ୍ମିଳନୀରେ ଆଲୋଚନା ହୋଇଛି। ଏଥିରେ ଭାରତ ସମେତ ଅନ୍ୟ ଦେଶର ବିଶେଷଜ୍ଞମାନଙ୍କର ଏକ ଗୋଷ୍ଠି ଏ କ୍ଷେତ୍ରରେ ଆନ୍ତର୍ଜାତୀୟ ସହଯୋଗ ବୃଦ୍ଧି ପାଇଁ ପ୍ରସ୍ଥାବ ଦେଇଛନ୍ତି। ଏହା ବ୍ୟତିତ ଇଣ୍ଟରନେଟର ସୁରକ୍ଷିତ ବ୍ୟବହାର ଏବଂ ବିପଦକୁ ଏଡାଇବା ଉପରେ ଏକ ଉତ୍ତରଦାୟୀ ତଥା ସ୍ବଚ୍ଛ ଅନଲାଇନ ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି। ଏ କ୍ଷେତ୍ରରେ ଭାରତର ଅଂସଗ୍ରହଣ ଭାରତର ପରିବର୍ତ୍ତନୀୟ ବିକାଶ ପାଇଁ ସାଇବର ସ୍ପେସ ବ୍ୟବହାର ଉପରେ ଆନ୍ତର୍ଜାତୀୟ ନିଷ୍ପତ୍ତି ଉପରେ ପ୍ରଭାବ ପକାଇବ।

ଆମର ଗ୍ରହକୁ କ୍ଷମତାପନ୍ନ କରିବା ପାଇଁ ଜ୍ଞାନକୌଶଳର ଲାଭ ଉଠାଇବା ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁରୁତ୍ବ ଦେଇଛନ୍ତି। ବିଶେଷ କରି ସେ ଜ୍ଞାନକୌଶଳକୁ ଆଗକୁ ନେବାପାଇଁ ପରିବର୍ତ୍ତନଶୀଳ ଅଭିନବ ଜ୍ଞାନକୌଶଳ ଉପରେ ଆଲୋକପାତ କରିଛନ୍ତି ତଥା ଭାରତ କିପରି ଜ୍ଞାନକୌଶଳକୁ ପ୍ରାଧାନ୍ୟ ଦେଉଛି ଏବଂ ଡିଜିଟାଲ ଦେୟ ପାଇଁ ଏହାର ଉପଯୋଗ କରୁଛି ସେନେଇ ଆଲୋକପାତ କରିଛନ୍ତି।

ଫ୍ରାନ୍ସରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜି-7 ସମ୍ମିଳନୀ କାଳରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅନ୍ୟ ନେତାମାନଙ୍କ ସହ କରିଥିବା ଦ୍ବିପକ୍ଷୀୟ ଆଲୋଚନା ଫଳରେ ଭାରତ ପାଇଁ ଏକ ଉଲ୍ଲେଖନୀୟ କୂଟନୈତିକ ସଫଳତା ସୃଷ୍ଟି ହୋଇଚି। ଏହା ଭାରତକୁ 2022ରେ ଜି-20ର ଅଧ୍ୟକ୍ଷତା କ୍ଷେତ୍ରରେ ବିଶ୍ବ ନେତୃତ୍ବ ପାଇଁ ସକରାତ୍ମକତା ପ୍ରଦାନ କରିବ ।



ଆଲେଖ୍ୟ: ଅଶୋକ ମୁଖାର୍ଜୀ

ଭାବାନୁବାଦ: ରାମଚଂଦ୍ର ନାଥ

Comments