Skip to main content

ଜାପାନ-ଦକ୍ଷିଣ କୋରିଆ ମଧ୍ୟରେ ବାଣିଜ୍ୟ ଉତ୍ତେଜନା

ଜାପାନ ଓ ଦକ୍ଷିଣ କୋରିଆ ଭଳି ଦୁଇଟି ପ୍ରମୁଖ ଅର୍ଥନୀତି ରାଷ୍ଟ୍ର ବାଣିଜ୍ୟ ବିବାଦରେ ଲିପ୍ତ ଅଛନ୍ତି | ଜାପାନ ଜାତୀୟ ସୁରକ୍ଷା ସଙ୍କ୍ରାନ୍ତୀୟ ଉଦବେଗ ଗୁଡିକୁ ଦୃଷ୍ଟିରେ ରଖି ଉଚ୍ଚ ଜ୍ଞାନକୌଶଳ ଯୁକ୍ତ ଉଦ୍ଯୋଗରେ ବ୍ୟବହାର କରାଯାଉଥିବା ହାଇଡ୍ରୋଜେନ ଫ୍ଲୋରାଇଡ ଗ୍ୟାସ , ଫ୍ଲୋରାଇଡ ଯୁକ୍ତ ପୋଲିମାଇଡ ଓ ଫଟୋ-ରେସିଷ୍ଟ ସହିତ ତିନୋଟି ରସାୟନ ଦ୍ରବ୍ୟର ରପ୍ତାନି ନିୟମକୁ କଡାକଡି କରି ଦକ୍ଷିଣ କୋରିଆ ଉପରେ ପ୍ରତିବନ୍ଧକ ମୂଳକ ବାଣିଜ୍ୟ କଟକଣା ଲାଗୁକରିଛି |

ଜାପାନ ଏହି ରସାୟନ ଗୁଡିକର ଉପଯୋଗ ଉପରେ ଉଦବେଗ ପ୍ରକଟ କରିଛି ଯାହାର ସାମାରିକ ଅନୁପ୍ରୟୋଗ ମଧ୍ୟ କରାଯାଇଥାଏ | ଦକ୍ଷିଣ କୋରିଆ ଦ୍ଵାରା ୟୁଏନଏସସି କଟକଣା କାର୍ଯ୍ୟକାରୀ କରିବା ଓ ସମ୍ବେଦନଶୀଳ ସାମଗ୍ରୀ ସମ୍ବନ୍ଧିତ ଆନ୍ତର୍ଜାତୀୟ ରପ୍ତାନି ନିୟନ୍ତ୍ରଣ ବ୍ୟବସ୍ଥାର ପାଳନ ବିଷୟରେ ଟୋକିଓ ଚିନ୍ତା ବ୍ୟକ୍ତ କରିଛି | ଏଥିସହିତ ଜାପାନ, 1,100 ରୁ ଅଧିକ ମହତ୍ବପୂର୍ଣ୍ଣ ସାମଗ୍ରୀ ଉପରେ କଡା ରପ୍ତାନି ନିୟମ ଲାଗୁ କରି ଦକ୍ଷିଣ କୋରିଆ କୁ ବିଶ୍ୱାସଯୋଗ୍ୟ ବାଣିଜ୍ୟ ସହଯୋଗୀ ରାଷ୍ଟ୍ର ପାଇଁ ଉଦ୍ଦିଷ୍ଟ ‘ହ୍ଵାଇଟ ଲିଷ୍ଟ’ ବା ଶ୍ଵେତ ତାଲିକାରୁ ହଟାଇଦେଇଛି | ବାଣିଜ୍ୟ କାରବାର ଉପରେ ଏପରି କଟକଣା ଲାଗୁ ଯଦି ବୃଦ୍ଧି ପାଇବ ତେବେ ବୈଶ୍ଵିକ ଯୋଗାଣ ଶୃଙ୍ଖଳାରେ ଏହାର ପ୍ରତିକୂଳ ପ୍ରଭାବ ପଡିବାର ସମ୍ଭାବନା ରହିଛି | 

ଚିପ୍ସ ଓ ଅତ୍ୟାଧୁନିକ ସ୍କ୍ରିନ ର ଉତ୍ପାଦନରେ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ହୋଇଥିବା ରସାୟନର ଏକ ମୁଖ୍ୟ ଯୋଗାଣକାରୀ ଭାବେ ଦକ୍ଷିଣ କୋରିଆର ପ୍ରମୁଖ କମ୍ପାନୀ ଗୁଡିକ ଜାପାନ ଉପରେ ନିର୍ଭରଶୀଳ ଅଟନ୍ତି | ତେବେ ସମ୍ପ୍ରତି ଲାଗୁ କରାଯାଇଥିବା ପ୍ରତିବନ୍ଧକ ଯୋଗୁଁ ଜାପାନୀ ରପ୍ତାନିକାରୀ ମାନଙ୍କୁ ଦକ୍ଷିଣକୋରିଆ କୁ ସାମଗ୍ରୀ ପଠାଇବା ପୂର୍ବରୁ ଅନୁମତି ନେବାକୁ ପଡୁଛି ଯାହାକି ନବେ ଦିନ ପର୍ଯ୍ୟନ୍ତ ସମୟ ଲାଗିପାରେ | ଦକ୍ଷିଣ କୋରିଆ କମ୍ପାନୀ ଗୁଡିକ ନିରନ୍ତର ଉତ୍ପାଦନ ଲାଗି ମହଜୁଦ ରସାୟନ ସାମଗ୍ରୀ ଉପରେ ନିର୍ଭରଶୀଳ ଅଟନ୍ତି | ତେବେ ସମ୍ପ୍ରତ୍ତି ଜାରି ରହିଥିବା ବାଣିଜ୍ୟ ବିବାଦ ଯଦି ଆହୁରି ଘନୀଭୂତ ହୁଏ ତେବେ ସ୍ମାର୍ଟ ଫୋନ, କମ୍ପ୍ୟୁଟର ଓ ଅନ୍ୟାନ୍ୟ ଇଲେକଟ୍ରୋନିକ୍ସ ବସ୍ତୁ ଗୁଡିକର ଉତ୍ପାଦନ ଉପରେ ପ୍ରତିକୂଳ ପ୍ରଭାବ ପଡିବାର ଆଶଙ୍କା ରହିଛି | ଇତିମଧ୍ୟରେ , ଦକ୍ଷିଣ କୋରିଆ ମଧ୍ୟ ଜାପାନ କୁ ଫାଷ୍ଟ-ଟ୍ରାକ ବାଣିଜ୍ୟ ମାନ୍ୟତା ସହ ଏହାର ‘ହ୍ଵାଇଟ ଲିଷ୍ଟ’ ରୁ ହଟେଇଦେଇଛି ଓ ଟୋକିଓ କୁ ଆନ୍ତର୍ଜାତୀୟ ନିୟମ ଅନୁଯାୟୀ ରପ୍ତାନି ନିୟନ୍ତ୍ରଣ ବ୍ୟବସ୍ଥା କାର୍ଯ୍ୟକାରୀ କରୁନଥିବା ଦେଶଗୁଡିକ ପାଇଁ ଉଦ୍ଦିଷ୍ଟ ଏକ ନୂତନ ଡିଜାଇନ ଯୁକ୍ତ ବାଣିଜ୍ୟ ଶ୍ରେଣୀରେ ରଖାଯିବ ବୋଲି କୁହାଯାଉଛି | ଏଥିସହିତ ଆନ୍ତର୍ଜାତୀୟ ସ୍ତରରେ ସାହାଯ୍ୟ ସମର୍ଥନ ହାସଲ କରିବା ଲାଗି ସିଓଲ, ବିଶ୍ଵ ବାଣିଜ୍ୟ ସଂଗଠନ ର ଜେନେରାଲ ପରିଷଦରେ ଏହାର ମାମଲା ଉପରେ ବିଚାର ବିମର୍ଶ କରିବା ପାଇଁ ପ୍ରଚେଷ୍ଟା ଚଳେଇଛି |

ଜାରି ରହିଥିବା ବାଣିଜ୍ୟ ଉତ୍ତେଜନା ର ଯଦି ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରାନଯାଏ ଓ ଜାପାନ ର ରପ୍ତାନି କଟକଣା ରଣନୀତିକ ଦ୍ରବ୍ୟ ଯୋଗାଣରେ ବାଧା ସୃଷ୍ଟି କରେ ତେବେ ଏହା ମଧ୍ୟବର୍ତ୍ତୀ ସାମଗ୍ରୀ ଉପରେ ପ୍ରତିକୂଳ ପ୍ରଭାବ ପକାଇବା ସହ ଉଦ୍ଯୋଗ ଜଗତରେ ମଧ୍ୟ ଏହାର କୁପ୍ରଭାବ ପଡିବ | ଦକ୍ଷିଣ କୋରିଆ ଏହାର ଅର୍ଥନୈତିକ ଅଭିବୃଦ୍ଧି ହାରକୁ ପୂର୍ବର 2.6-2.7 ପ୍ରତିଶତ ତୁଳନାରେ ଚଳିତ ବର୍ଷ 2.4-2.5 ପ୍ରତିଶତ କୁ ହ୍ରାସ କରିଦେଇଛି | ଦକ୍ଷିଣ କୋରିଆ ସରକାର, ଜାପାନ ଦ୍ଵାରା ଲାଗୁ ରପ୍ତାନି କଟକଣା ର ମୁକାବିଲା କରିବା ଲାଗି ସହାୟତା କରିବା ପାଇଁ ସ୍ଥାନୀୟ ଉଦ୍ଯୋଗ କ୍ଷେତ୍ରରେ 1.6 ବିଲିଅନ ଆମେରିକୀୟ ଡଲାର ବହୁଳ ପୁଞ୍ଜି ବିନିଯୋଗ ଲାଗି ଯୋଜନା କରିଛନ୍ତି | 

ଦ୍ଵିପକ୍ଷୀୟ ସମ୍ପର୍କ କ୍ଷେତ୍ରରେ ପ୍ରମୁଖ ଐତିହାସିକ ପ୍ରସଙ୍ଗ ଗୁଡିକୁ ମୁକାବିଲା କରିବା ଦିଗରେ ଟୋକିଓ ଅସମର୍ଥ ହୋଇଥିବା ଯୋଗୁଁ ଜାପାନର ଅର୍ଥବ୍ୟବସ୍ଥା ଭୁଷୁଡିପଡିଛି ବୋଲି ଦକ୍ଷିଣ କୋରିଆ ଯୁକ୍ତି ବାଢି ଗ୍ରହଣ କରାଯାଇଥିବା ବାଣିଜ୍ୟ ସଙ୍କ୍ରାନ୍ତୀୟ ପ୍ରତିବନ୍ଧକ ମୂଳକ ପଦକ୍ଷେପ ରାଜନୀତି ପ୍ରରୋଚିତ ବୋଲି ଦର୍ଶାଇଛି | ଏହା ପୂର୍ବରୁ 2018 ରେ ଦକ୍ଷିଣ କୋରିଆର ସୁପ୍ରିମକୋର୍ଟ ଔପନିବେଶିକ ଅବଧି ସମୟରେ ବାଧ୍ୟତାମୂଳକ ଶ୍ରମ ପାଇଁ କ୍ଷତିପୂରଣ ଦେବା ଲାଗି ଜାପାନ ର ମିତସୁବିଶି ଭାରି ଉଦ୍ୟୋଗକୁ ନିର୍ଦ୍ଦେଶ ଜାରି କରିଥିଲେ ଓ ଏହା ପରେ ଏହାର ସମ୍ପତ୍ତି ଜବତ କରାଯାଇଥିଲା | ବାଧ୍ୟତାମୂଳକ ଶ୍ରମ ଲାଗି ନିପ୍ପନ ଷ୍ଟିଲ କର୍ପୋରେସନ ଓ ନାଚି-ଫୁଜିକୋଶୀ କର୍ପୋରେସନ ସମେତ ଜାପାନ ର ଅନ୍ୟ ଦୁଇଟି କମ୍ପାନୀ ର ସମ୍ପତ୍ତି ମଧ୍ୟ ଜବତ କରାଯାଇଥିଲା | ଇତିମଧ୍ୟରେ 1965 ର ସନ୍ଧି ଅନୁଯାୟୀ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସ୍ଵାଭାବିକ କରିବା ଲାଗି ଏପରି ସବୁ ଦାବିର ପରିପୂରଣ କରାଯାଇଥିଲା ବୋଲି ଜାପାନ ସରକାର ଦୃଢୋକ୍ତି ପ୍ରକାଶ କରିଛନ୍ତି |

ପୂର୍ବ ଏସିଆରେ ଆମେରିକାର ଏହି ଦୁଇ ପାରମ୍ପରିକ ସହଯୋଗୀ ରାଷ୍ଟ୍ର ମଧ୍ୟରେ ଚାଲିଥିବା ବାଣିଜ୍ୟ ତିକ୍ତତା ଆର୍ଥିକ କ୍ଷେତ୍ର ତଥା ସୁରକ୍ଷା ସଙ୍କ୍ରାନ୍ତୀୟ ମାମଲା ଉପରେ ଅତ୍ୟଧିକ ପ୍ରଭାବ ପକାଇଛି | ଦକ୍ଷିଣ କୋରିଆ ଜାପାନ ସହ ସାମରିକ ସୂଚନା ର ସାଧାରଣ ସୁରକ୍ଷା ରାଜିନାମାକୁ ସସ୍ପେଣ୍ଡ କରିଦେଇଛି | ଏହା ଏଥିପାଇଁ କରିଛି କାରଣ ସିଓଲ, ଟୋକିଓ ସହ ଗୁଇନ୍ଦା ସୂଚନା ଆଦାନ ପ୍ରଦାନ କରିବା କଷ୍ଟସାଧ୍ୟ ବୋଲି ଅନୁଭବ କରିଛି ଯିଏକି ସିଓଲ ର ସମ୍ବେଦନଶୀଳ ସାମଗ୍ରୀ ର ପରିଚାଳନାକୁ ନେଇ ପ୍ରଶ୍ନବାଚୀ ଉଠାଇଛି | ଏହି ରାଜିନାମା ପୂର୍ବରୁ ଜାପାନ ଓ ଦକ୍ଷିଣ କୋରିଆ ସଂଯୁକ୍ତ ରାଷ୍ଟ୍ର ଆମେରିକା ଜରିଆରେ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ କରୁଥିଲେ |

ଉଭୟ ପକ୍ଷକୁ ସେମାନଙ୍କ ଦ୍ଵିପକ୍ଷୀୟ ସମ୍ପର୍କ କ୍ଷେତ୍ରରେ ଥିବା ପ୍ରମୁଖ ପ୍ରସଙ୍ଗ ଗୁଡିକର ସମାଧାନ କରିବାଲାଗି ରାଜନୈତିକ ଇଚ୍ଛା ଶକ୍ତି ପ୍ରଦର୍ଶନ କରିବାର ଆବଶ୍ୟକତା ରହିଥିବା ସହ ବର୍ତ୍ତମାନର ଜାପାନ-ଦକ୍ଷିଣ କୋରିଆ ବାଣିଜ୍ୟ ବିବାଦ ଯୋଗୁଁ ଉପୂଜିଥିବା ବାଣିଜ୍ୟ ନିଅଣ୍ଟ ର ମୁକାବିଲା କରିବା ଲାଗି ନିବେଶ କରିବା ର ଆବଶ୍ୟକତା ରହିଛି | ବର୍ତ୍ତମାନ ପରିପ୍ରେକ୍ଷୀରେ ଆମେରିକା-ଚୀନ ବାଣିଜ୍ୟ ବିବାଦ ରପ୍ତାନି ଅର୍ଥନୀତି ରେ ପ୍ରତିକୂଳ ପ୍ରଭାବ ପକାଉଥିବା ବେଳେ ଜାପାନ-ଦକ୍ଷିଣ କୋରିଆ ବାଣିଜ୍ୟ ବିବାଦ ଉଦ୍ୟୋଗ କ୍ଷେତ୍ରରେ ଆହୁରି ଖରାପ ପ୍ରଭାବ ପକାଇବ |

ଉଭୟ ଜାପାନ ଓ ଦକ୍ଷିଣ କୋରିଆ ଭାରତର ମହତ୍ବପୂର୍ଣ୍ଣ ରଣନୀତିକ ସହଯୋଗୀ ରାଷ୍ଟ୍ର ହୋଇଥିବା ବେଳେ ଭାରତର ‘ଆକ୍ଟ ଇଷ୍ଟ’ ନୀତି ରେ ଏହାର ପ୍ରମୁଖ ଭୂମିକା ରହିଛି | ମୁକ୍ତ ବାଣିଜ୍ୟ କାରବାର ଓ ଖୋଲା ବଜାର କ୍ଷେତ୍ରରେ ବାଣିଜ୍ୟ ବିବାଦର ପରିସମାପ୍ତି ଘଟାଇବା ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଅଟେ |



ମୂଳ ଲେଖା : ଡଃ ତିତଲି ବାସୁ, ପୂର୍ବ ଓ ଦକ୍ଷିଣ ପୂର୍ବ ଏସିଆ ଉପରେ ରଣନୀତିକ ବିଶ୍ଳେଷକ 


ଅନୁବାଦ: ରୀତା ଯୋଶୀ

Comments