Skip to main content

ଇମ୍ରାନ ଖାଁ ସରକାରଙ୍କ ଏକ ବର୍ଷ ପୂର୍ତ୍ତି : ପାଳନ ଓ ବିକ୍ଷୋଭ ପ୍ରଦର୍ଶନ

ପାକିସ୍ତାନରେ ଗତ ସପ୍ତାହରେ ଇମ୍ରାନ ଖାଁ ସରକାରଙ୍କ କାର୍ଯ୍ୟକାଳ ଏକ ବର୍ଷ ପୁରିଛି | ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଏହି ଦିନକୁ ଏକ ଧନ୍ୟବାଦ ଅର୍ପଣ ଦିବସ ଭାବେ ପାଳନ କରାଯାଉଥିବା ବେଳେ ବିରୋଧୀ ପକ୍ଷ ସମଗ୍ର ପାକିସ୍ତାନ ରେ ପ୍ରବଳ ବିରୋଧ ପ୍ରଦର୍ଶନ କରି 25 ଜୁଲାଇ କୁ ପାକିସ୍ତାନ ଇତିହାସର ସବୁଠୁ କଳା ଦିବସ ବୋଲି ଆଖ୍ୟା ଦେଇଛି | ପିଏମଏଲ (ଏନ), ପିପିପି ଓ ଜେଇଏଲ ଆଦି ସମସ୍ତ ପ୍ରମୁଖ ବିରୋଧୀ ପାର୍ଟି ପରସ୍ପର ମଧ୍ୟରେ ହାତ ମିଳାଇଛନ୍ତି ଓ ଲାହୋର, କରାଚି, କ୍ୱେଟା ଓ ଅନ୍ୟାନ୍ୟ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି | ଏହି ବିରୋଧୀ ପାର୍ଟିର ନେତା ମାରିୟମ ନୱାଜ , ବିଲାୱାଲ ଭୂଟ୍ଟୋ ଜର୍ଦାରୀ ଓ ମୌଲାନା ଫଜଲୁର ରେହମାନ, ସରକାର ବିରୁଦ୍ଧରେ ନିଜ ବିରୋଧୀ ମାନଙ୍କୁ ଭୟଭୀତ କରାଇବା, ଗଣମାଧ୍ୟମ ର କଣ୍ଠରୁଦ୍ଧ କରିବା, ଦେଶକୁ ଆର୍ଥିକ ବିପର୍ଯ୍ୟୟ ଓ ଦେବାଳିଆ ପରିସ୍ଥିତି ଆଡକୁ ଟାଣି ନେବା, ରାଜନୈତିକ ଭାବନାକୁ ଆହୁରି ତୀବ୍ର କରିବା ଓ ଆମେରିକାର ଆଦେଶ ଅନୁଯାୟୀ କାମ କରିବା ଆଦି ଦୋଷାରୋପ କରିଛନ୍ତି | ତେବେ ମୌଲାନା ଫଜଲୁର ରେହମାନ ସରକାରଙ୍କ ବିରୁଦ୍ଧରେ କଡା ବିରୋଧ ପ୍ରକଟ କରି ଅଗଷ୍ଟ ମାସ ମଧ୍ୟରେ ଇସ୍ତଫା ଦେବା ଲାଗି ଇମ୍ରାନ ଖାଁ ଙ୍କୁ ଏକ ସମୟ ସୀମା ଦେଇଛନ୍ତି ଓ ଏହାକୁ କାର୍ଯ୍ୟକାରୀ ନକଲେ ସରକାରଙ୍କୁ ଆତ୍ମସମର୍ପଣ କରିବା ପାଇଁ ବାଧ୍ୟ କରିବାକୁ ସମଗ୍ର ଦେଶ ଇସଲାମାବାଦ ପର୍ଯ୍ୟନ୍ତ ଶୋଭାଯାତ୍ରା କରିବ ବୋଲି ଚେତାବନୀ ଦେଇଛନ୍ତି |

ଉଲ୍ଲେଖ ଯୋଗ୍ୟ ଯେ ଇମ୍ରାନ ଖାଁ କ୍ଷମତାକୁ ଆସିବା ପୂର୍ବରୁ ନୱାଜ ସରିଫଙ୍କ ସରକାରକୁ ହଟାଇବାଲାଗି ଅନେକ ରାଲି ଓ ଆନ୍ଦୋଳନର ପନ୍ଥା ଅକ୍ତିଆର କରିଥିଲେ | ତାଙ୍କ ବିରୋଧ ପ୍ରଦର୍ଶନ ଇସଲାମାବାଦ ରେ ‘ଲଙ୍ଗ ମାର୍ଚ୍ଚ’ ବା ଦୀର୍ଘ ଶୋଭାଯାତ୍ରା ଭାବେ ସମାପନ ହୋଇଥିଲା ଓ ପରେ ପରେ ଦୀର୍ଘ ଚାରି ମାସ ବ୍ୟାପୀ ଦିନ ରାତି ଆନ୍ଦୋଳନ ଜାରି ରହିଥିବା ଯୋଗୁଁ ଇସଲାମାବାଦ ସହରରେ ଅଚଳାବସ୍ଥା ପରିସ୍ଥିତି ସୃଷ୍ଟି ହୋଇଥିଲା | ବିରୋଧୀ ପାର୍ଟି ମଧ୍ୟ ଠିକ ସେହିଭଳି ଇମ୍ରାନ ଖାଁ ଙ୍କ ସରକାରକୁ ହଟାଇବା ଲାଗି ଅନୁରୂପ ପନ୍ଥା ଅବଲମ୍ବନ କରୁଛି |

ଇମ୍ରାନ ଖାଁ ଯୁବକ ମାନଙ୍କୁ ରୋଜଗାର ପ୍ରଦାନ କରିବା, ଅର୍ଥନୀତିରେ ସୁଧାର ଆଣିବା ଓ ଉତ୍ତମ ପ୍ରଶାସନ ପ୍ରଦାନ କରି ‘ନୟା‘ (ନୁତନ) ପାକିସ୍ତାନ ଗଠନ କରିବାର ପ୍ରତିଶୃତି ଦେଇ କ୍ଷମତାସୀନ ହୋଇଥିଲେ | କିନ୍ତୁ ଦେଶର ଅର୍ଥବ୍ୟବସ୍ଥା ଘୋର ସଙ୍କଟମୟ ପରିସ୍ଥିତିର ସମ୍ମୁଖୀନ ହେଉଥିବା ବେଳେ ଲୋକମାନେ ଚାକିରି ହରଉଛନ୍ତି ଓ ଆବଶ୍ୟକୀୟ ସାମଗ୍ରୀର ଦର ଦାମ ଆକାଶ ଛୁଆଁ ବୃଦ୍ଧି ପାଇଛି | ଏହା ଅତ୍ୟନ୍ତ ବିଡମ୍ବନା ର ବିଷୟ ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବେ ‘ରୋଟି’ ଓ ‘ନାନ ‘ ର ଦର ହ୍ରାସ କରିବା ଲାଗି ଏକ ଆଦେଶ ଜାରି କରିଛନ୍ତି | ଏଥିରୁ ଏହା ସ୍ପଷ୍ଟ ପ୍ରତୀତ ହେଉଛି ଯେ ସତେ ଯେପରି ସେ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀର ଦର ଦାମ ପ୍ରତି ଆଦୌ ଭୃକ୍ଷେପ କରୁନାହାନ୍ତି | ଏଥିସହିତ ପ୍ରଧାନମନ୍ତ୍ରୀ ବିରୋଧୀ ନେତା ମାନଙ୍କ ବିରୁଦ୍ଧରେ ଜାତୀୟ ଉତ୍ତରଦାୟିତ୍ବତା ବ୍ଯୁରୋ ର ଉପଯୋଗ କରିଛନ୍ତି | ଏହାର ପରିଣାମ ସ୍ୱରୂପ ନୱାଜ ସରିଫ, ଆସିଫ ଅଲି ଜର୍ଦାରୀ ଓ ସାହିଦ ଖାକାନ ଅବ୍ବାସୀ ଆଦି ତିନି ଜଣ ପୂର୍ବତନ ନେତା ଦୁର୍ନୀତି ମାମଲାରେ ଜେଲ ଦଣ୍ଡ ଭୋଗ କରୁଛନ୍ତି | ଶ୍ରୀ ଜର୍ଦାରୀ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଥିଲେ |

ବିରୋଧୀ ପାର୍ଟି ଇମ୍ରାନ ଖାଁଙ୍କୁ ଜଣେ କଣ୍ଢେଇ ପ୍ରଧାନମନ୍ତ୍ରୀ ବୋଲି ଦୋଷାରୋପ କରି ସେ ସାମରିକ କର୍ତ୍ତୃପକ୍ଷ ଙ୍କ ହାତର କଣ୍ଢେଇ ସାଜିଛନ୍ତି ବୋଲି ତାଙ୍କ ପ୍ରତି କଡା ସମାଲୋଚନା କରିଛନ୍ତି | ସରକାରଙ୍କ କ୍ଷମତା ସୈନ୍ୟ ପ୍ରତିଷ୍ଠାନ ସହ ନ୍ୟସ୍ତ ଅଛି ଯିଏ ତାଙ୍କୁ କ୍ଷମତାସୀନ କରିଛନ୍ତି ଓ ତାଙ୍କୁ ‘ଚୟନିତ’ ପ୍ରଧାନମନ୍ତ୍ରୀ ବୋଲି ଉପନାମ ଦେଇଛନ୍ତି | ବେସାମରିକ ସରକାରଙ୍କ ଉପରେ ସାମରିକ ସରକାରଙ୍କ ପ୍ରଭାବ ସେତେବେଳେ ସ୍ପଷ୍ଟ ହୋଇଥିଲା ଯେତେବେଳେ ସେନାଧ୍ୟକ୍ଷ ଜେନେରାଲ କମର ଜାବେଦ ବାଜୱା ଙ୍କୁ ନବ ଗଠିତ ଆର୍ଥିକ ବିକାଶ ପରିଷଦର ସଦସ୍ୟ ଭାବେ ମନୋନୀତ କରାଯାଇଥିଲା | ଦେଶର ଇତିହାସରେ ପ୍ରଥମ ଥର ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଙ୍କ ସହ କଥାବାର୍ତ୍ତା କରିବା ପାଇଁ ସେନାଧ୍ୟକ୍ଷ , ପ୍ରଧାନମନ୍ତ୍ରୀ ଙ୍କ ସହ ଆମେରିକା ଗସ୍ତରେ ଯାଇଥିଲେ |

ଏହି ଘଟଣାକ୍ରମରୁ ପାକିସ୍ଥାନକୁ ଶାସନ କରିବାରେ ସାମରିକ ପ୍ରତିଷ୍ଠାନ ର କେତେ ହାତ ରହିଛି ତାହା ସ୍ପଷ୍ଟ ଅନୁମେୟ ହେଉଛି | ଏଠାରେ ସ୍ମରଣ କରିଦିଆଯାଇପାରେ ଯେ ଗୋଟିଏ ବର୍ଷ ପୂର୍ବରୁ ଇମ୍ରାନ ଖାଁ ପଦ ଦାୟିତ୍ବ ଗ୍ରହଣ କରିବା ପରେ ପରେ ପାକିସ୍ତାନ ମୂଳବଂଶୋଦଭବ ଆମେରିକୀୟ ଅର୍ଥନୀତିଜ୍ଞ ଆତିଫ ମିଆଁ ଙ୍କୁ ଅର୍ଥନୀତି ବିକାଶ ପରିଷଦରେ ସାମିଲ କରିବାକୁ ନେଇ ଦେଇଥିବା ପ୍ରସ୍ତାବ ପ୍ରତ୍ୟାହାର କରିନେଇଥିଲେ | ସୂଚନା ଯୋଗ୍ୟ ଯେ ଅର୍ଥନୀତିଜ୍ଞ ଆତିଫ ମିଆଁଙ୍କୁ ଅର୍ଥନୀତି ବିକାଶ ପରିଷଦରେ ସଦସ୍ୟ ଭାବେ ସାମିଲ କରିବା ପ୍ରତି ସେନା ଓ କଠୋରପନ୍ଥୀ ମାନେ ବିରୋଧ କରିଥିବାରୁ ତାଙ୍କୁ ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ପଡିଥିଲା | ସେହିଦିନଠୁ ପାକିସ୍ତାନ ସେନା ଆଧିପତ୍ୟ ବିସ୍ତାର କରିବା ଜାରି ରଖିଛି | ରିମୋଟ କଣ୍ଟ୍ରୋଲ ଜରିଆରେ ସେନା ଅଧିକାରୀ ମାନଙ୍କ ଦ୍ଵାରା ସଞ୍ଚାଳିତ ସରକାର ପାଇଁ ଇମ୍ରାନ ଖାଁ ଙ୍କୁ ଜଣେ ବେସାମରିକ ଶାସକ ଭାବେ ଦର୍ଶାଯାଉଛି | ଇମ୍ରାନ ଖାଁ ଙ୍କୁ ମଧ୍ୟ ବିରୋଧୀ ପାର୍ଟି ଗୁଡିକ ସହ ମୁକାବିଲା କରିବା ପାଇଁ ସେନାର ଆବଶ୍ୟକତା ରହିଛି କାରଣ ଦେଶରେ ତାଙ୍କ ନିଜ ତେହରିକ-ଇ-ଇନସାଫ ପାର୍ଟି ମଧ୍ୟ ସେତେଟା ସୁଦୃଢ ନୁହେଁ |

ଏହି ସରକାର ଗଣମାଧ୍ୟମକୁ ମଧ୍ୟ ନିଜ ଆୟତ୍ତରେ ରଖିଛି | ଟେଲିଭିଜନ ଚାନେଲ ଗୁଡିକରେ 25 ଜୁଲାଇରେ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆୟୋଜିତ ସରକାରୀ ସମାରୋହର ପ୍ରସାରଣ କରାଯାଉଥିବା ବେଳେ ବିରୋଧୀ ପାର୍ଟି ପକ୍ଷରୁ କରାଯାଉଥିବା ବିକ୍ଷୋଭ ପ୍ରଦର୍ଶନ ର ପ୍ରସାରଣ କରିବାକୁ ଗଣମାଧ୍ୟମକୁ ଅନୁମତି ଦିଆଯାଇନଥିଲା | ଗଣମାଧ୍ୟମ କର୍ମଚାରୀ ମାନଙ୍କୁ ଧମକ ଦିଆଯାଉଛି ଓ ଗଣମାଧ୍ୟମ ସଂଗଠନ ପକ୍ଷରୁ କରାଯାଉଥିବା ବିକ୍ଷୋଭ ପ୍ରଦର୍ଶନରୁ ଏହା ସ୍ପଷ୍ଟ ପ୍ରମାଣ ମିଳୁଛି | ଶ୍ରୀ ଇମ୍ରାନ ଖାଁ ବୋଧେ ଭୁଲି ଯାଉଛନ୍ତି ଯେ ଏଇଟା ହେଉଛି ସେହି ଗଣମାଧ୍ୟମ ଯାହାଙ୍କ ଲାଗି ସେ 2018 ନିର୍ବାଚନରେ ବିଜୟର ସ୍ଵାଦ ଚାଖିଥିଲେ ଓ ଜଣେ ବିରୋଧୀ ନେତା ଭାବେ ତାଙ୍କ କାର୍ଯ୍ୟକଳାପ ନେଇ ଗଣମାଧ୍ୟମ ଦ୍ଵାରା ପୂର୍ଣ୍ଣ ପ୍ରସାରଣ କରାଯାଉଥିଲା | ସମ୍ପ୍ରତି, ଗଣମାଧ୍ୟମ- ବିରୋଧୀ ଅଭିଯାନର ଏକ ଅଂଶବିଶେଷ ଭାବେ ଗଣମାଧ୍ୟମ ଅଦାଲତ ର ସ୍ଥାପନା କରିବା ଲାଗି ମଧ୍ୟ ବିଚାର ବିମର୍ଶ ଚାଲିଛି |

ଏହି ପରିପ୍ରେକ୍ଷୀରେ ଆଇନର ଶାସନ ଉପରେ ଆଧାରିତ ଏକ ନୂତନ ପାକିସ୍ତାନ ଗଢି ତୋଳିବା ପାଇଁ ଦେଇଥିବା ପ୍ରତିଶୃତି ଇମ୍ରାନ ଖାଁ ଙ୍କ ହାତରୁ ଖସି ଯିବା ପରି ମନେ ହେଉଛି | ଆଗାମୀ ଦିନ ଗୁଡିକରେ ସରକାର ଓ ବିରୋଧୀ ପାର୍ଟି ଗୁଡିକ ମଧ୍ୟରେ କଡା ମୁକାବିଲା ହେବାର ଆଶଙ୍କା କରାଯାଉଛି |

ମୂଳ ଲେଖା : ଅଶୋକ ହାଣ୍ଡୁ , ରାଜନୈତିକ ଭାଷ୍ୟକାର 

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...