ଭାରତ ଓ ରୁଷ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵିତୀୟ କାର୍ଯ୍ୟକାଳ ସମୟରେ ସେମାନଙ୍କ ଦ୍ଵିପକ୍ଷୀୟ ସମ୍ପର୍କକୁ ଏକ ନୂତନ ଶିଖରରେ ପହଞ୍ଚାଇବା ଲାଗି ସମସ୍ତ ପ୍ରସ୍ତୁତି ଚଳେଇଛନ୍ତି | ପ୍ରଧାନମନ୍ତ୍ରୀ ଆସନ୍ତା ସେପ୍ଟେମ୍ବର 4 ରୁ 6 ତାରିଖରେ ବ୍ଳାଦିଭୋସ୍ତୋକରେ ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ବିଂଶତମ ବାର୍ଷିକୀ ଦ୍ଵିପକ୍ଷୀୟ ଶିଖର ସମ୍ମିଳନୀରେ ଭାଗ ନେବା ସହ ପୂର୍ବ ଅର୍ଥନୈତିକ ଫୋରମ ର ପଞ୍ଚମ ବାର୍ଷିକୀ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ | ନୂତନ କ୍ଷେତ୍ର ଗୁଡିକରେ ସହଯୋଗ ସ୍ଥାପନା ଲାଗି ସାନି ସୁବିଧା ସୁଯୋଗ ଗୁଡିକର ଅନୁସନ୍ଧାନ କରାଯାଉଛି ଓ ଭାରତ ଓ ରୁଷ ମଧ୍ୟରେ ପ୍ରଚଳିତ ସ୍ଵତନ୍ତ୍ର ତଥା ବିଶେଷାଧିକାର ରଣନୀତିକ ଭାଗୀଦାରୀତାକୁ ଆହୁରି ମଜବୁତ କରିବା ଲାଗି ବିଭିନ୍ନ ପନ୍ଥା ଅନୁକରଣ କରାଯାଉଛି |
ଭାରତୀୟ ସମ୍ବିଧାନର ଧାରା 370 ର ଉଚ୍ଛେଦ ପ୍ରସଙ୍ଗ କୁ ରୁଷ ପ୍ରଥମ ଦେଶ ଭାବେ ଏଥିପ୍ରତି ସ୍ଵାଗତ ଜଣାଇଥିଲା | ମସ୍କୋ ଏହାକୁ ଭାରତର ଆଭ୍ଯନ୍ତରୀଣ ମାମଲା ବୋଲି ବର୍ଣ୍ଣନା କରି ବିଭିନ୍ନ ଆନ୍ତର୍ଜାତୀୟ ମଞ୍ଚରେ ଭାରତର ଆଭିମୁଖ୍ଯ ପ୍ରତି ସମର୍ଥନ ଜଣାଇଛି |
ଚଳିତ ମାସ ପହିଲାରେ ଭାରତ ର ବାଣିଜ୍ୟ ତଥା ଉଦ୍ଯୋଗ ମନ୍ତ୍ରୀ ପିୟୁଷ ଗୋୟଲ ଚାରିଜଣ ମୁଖ୍ୟମନ୍ତ୍ରୀ ଙ୍କ ସହ ବ୍ଳାଦିଭୋସ୍ତୋକ ଗସ୍ତ କରିଥିଲେ | ସେ ରୁଷ ର ଉପ ପ୍ରଧାନମନ୍ତ୍ରୀ ତଥା ସୁଦୂରତମ ପୂର୍ବ ସଙ୍ଘିୟ ଜିଲ୍ଲା ଲାଗି ସ୍ଵତନ୍ତ୍ର ଦୁତ ୟୁରୀ ତୁଟନେ ଙ୍କ ସହ ଭାରତର ରାଜ୍ୟ ଓ ରୁଷ ର ସୁଦୂର ପୂର୍ବ ପ୍ରଦେଶ ମଧ୍ୟରେ ଭାଗୀଦାରୀତା ସଙ୍କ୍ରାନ୍ତୀୟ ପ୍ରସ୍ତାବ ଉପରେ ଆଲୋଚନା କରିବା ଲାଗି ଏହି ଗସ୍ତ କରିଥିଲେ | ଭାରତ ଅର୍ଥନୈତିକ ସହଯୋଗ ଓ ନିବେଶ ବୃଦ୍ଧି କରିବା ଲାଗି ରୁଷ ର ସୁଦୂର ପୂର୍ବାଞ୍ଚଳ କୁ ସର୍ବୋଚ୍ଚ ପ୍ରାଥମିକତା ଦିଏ ବୋଲି ମତ ଦେଇଛି | ନୂଆଦିଲ୍ଲୀ ରୁଷ ର ସୁଦୂର ପୂର୍ବାଞ୍ଚଳ ଉପରେ ପ୍ରାଧାନ୍ଯ ଦେଇ ଏହାର ଦୀର୍ଘସ୍ଥାୟୀ ଦ୍ଵିପକ୍ଷୀୟ ସମ୍ପର୍କରେ ପ୍ରମୁଖ ବିବିଧତା ଆଣିବାକୁ ଚାହେଁ ବୋଲି ଜଣାଇଛି | ଭାରତ ଓ ରୁଷ ପ୍ରତିରକ୍ଷା, ମହାକାଶ, ଶକ୍ତି ଓ ପରମାଣୁ କ୍ଷେତ୍ରରେ ପାରମ୍ପରିକ ସହଯୋଗ ସହ ନୂତନ ଆନ୍ତଃ-ଆଞ୍ଚଳିକ ସହଯୋଗ କ୍ଷେତ୍ର ପ୍ରତି ଧ୍ୟାନ ଦେବାକୁ ପ୍ରଚେଷ୍ଟା ଚଳେଇଛନ୍ତି ଯାହାକି ଦ୍ଵିପକ୍ଷୀୟ ସହଯୋଗ ର ପ୍ରମୁଖ ସ୍ତମ୍ଭ ଭାବେ କାର୍ଯ୍ୟ କରିଥାଏ | ଭାରତ ପାଇଁ ରୁଷ ର ସୁଦୂର ପୂର୍ବାଞ୍ଚଳର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି |ଏହି ଅଞ୍ଚଳ ସହ ନୂଆଦିଲ୍ଲୀ ର ବାଣିଜ୍ୟ କାରବାର ସମ୍ପ୍ରସାରିତ ହୋଇ 2018 ରେ 3 ପ୍ରତିଶତରୁ ଅଧିକ ବୃଦ୍ଧି ପାଇ 790 ନିୟୁତ ଆମେରିକୀୟ ଡଲାର ରେ ପହଞ୍ଚିଥିବା ବେଳେ ରୁଷ ସହ ଭାରତର ମୋଟ ବାଣିଜ୍ୟ କାରବାର ପରିମାଣ 10 ବିଲିୟନ ଡଲାର କୁ ପାର କରିସାରିଛି | ଉଭୟ ଦେଶ 2025 ସୁଦ୍ଧା 30 ବିଲିୟନ ଆମେରିକୀୟ ଡଲାର ବିଶିଷ୍ଟ ଦ୍ଵିପକ୍ଷୀୟ ବାଣିଜ୍ୟ ଲକ୍ଷ ହାସଲ କରିବା ଲାଗି ମନସ୍ଥ କରିଛନ୍ତି |
ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ମଧ୍ୟ ମସ୍କୋ ଗସ୍ତ କରି ତାଙ୍କ ପ୍ରତିପକ୍ଷ ନିକୋଲାଇ ପତୃଶେଭ ଙ୍କ ସହ ସାକ୍ଷାତ କରିଛନ୍ତି ଓ ଉଭୟଙ୍କ ମଧ୍ୟରେ ବୈଠକ ସମୟରେ ସନ୍ତ୍ରାସବାଦ ଦମନ ଲାଗି ସହଯୋଗକୁ ଆହୁରି ତ୍ୱରାନ୍ୱିତ କରିବା ଓ ସାର୍ବୋଭୌମତା , କ୍ଷେତ୍ରୀୟ ଅଖଣ୍ଡତା ଓ ତୃତୀୟ ପକ୍ଷ ର ଅଣ-ହସ୍ତକ୍ଷେପ ର ନୀତିନିୟମ ପାଇଁ ପୂର୍ଣ୍ଣ ସମର୍ଥନ ଉପରେ ଆଲୋକପାତ କରିଛନ୍ତି | ସେ ମଧ୍ୟ ମହାକାଶ କ୍ଷେତ୍ର ଓ ‘ଗଗନଯାନ କାର୍ଯ୍ୟକ୍ରମ ‘ ରେ ଜାରି ରହିଥିବା ସହଯୋଗ ର ଅଗ୍ରଗତି ନେଇ ସମୀକ୍ଷା କରିବା ଲାଗି ROSCOSMOS ର ନିର୍ଦ୍ଦେଶକ ଦିମିତ୍ରି ରୋଗୋଜିନ ଙ୍କ ସହ ଆଳାପ ଆଲୋଚନା କରିଛନ୍ତି | ରୁଷ, 2022 ସୁଦ୍ଧା ପ୍ରକ୍ଷେପଣ ଲାଗି ନିର୍ଦ୍ଧାରିତ ଭାରତର ଗଗନଯାନ ମିଶନ ପାଇଁ ମସ୍କୋ ରେ ୟୁରୀ ଗାଗାରିନ ମହାକାଶଯାତ୍ରୀ ତାଲିମ କେନ୍ଦ୍ରରେ ଏକ 15 ମାସ ଅବଧି ଲାଗି ଭାରତର 12 ଜଣ ମହାକାଶଚାରୀ ମଧ୍ୟରୁ ଚାରି ଜଣଙ୍କୁ ପ୍ରଶିକ୍ଷିତ କରିବ |
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଦାୟିତ୍ଵ ଗ୍ରହଣ କରିବା ପରେ ଚଳିତ ସପ୍ତାହରେ ପ୍ରଥମ ଥର ଲାଗି ମସ୍କୋ ଗସ୍ତରେ ଯାଇଥିଲେ | ସେ ତାଙ୍କ ପ୍ରତିପକ୍ଷ ସରଗେଇ ଲାଭରଭ ଙ୍କ ସହ ସାକ୍ଷାତ କରି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଆଗାମୀ ବ୍ଳାଦିଭୋସ୍ତୋକ ଗସ୍ତ ଲାଗି କଣ ସବୁ ପ୍ରସ୍ତୁତି ଚାଲିଛି ସେ ନେଇ ବ୍ୟାପକ ଆଲୋଚନା କରିଥିଲେ | ସେ ରୁଷ ଉପପ୍ରଧାନମନ୍ତ୍ରୀ ୟୁରୀ ବୋରୀଶୋଭଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ | ଏହି ଅବସରରେ ଉଭୟ ନେତା ଭାରତ-ରୁଷ ଆନ୍ତଃ –ସରକାରୀ କମିଶନ-ଯାନ୍ତ୍ରିକ ଓ ଆର୍ଥିକ ସହଯୋଗ ବୈଠକର ସହ ଅଧ୍ୟକ୍ଷତା କରିଥିଲେ | ଆସନ୍ତା ସେପ୍ଟେମ୍ବର ରେ ଶ୍ରୀ ମୋଦୀ ଓ ଶ୍ରୀ ପୂତିନଙ୍କ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବୈଠକ ବିଷୟ ନେଇ ବିଚାର ବିମର୍ଶ କରିବା ସହ ଶ୍ରୀ ଜୟଶଙ୍କର ଭାରତ-ପ୍ରଶାନ୍ତ ଉପରେ ଭାରତର ପରିପ୍ରେକ୍ଷ ଶୀର୍ଷକ ସଙ୍କ୍ରାନ୍ତୀୟ ବାଳଦାଇ ଆଲୋଚନା କ୍ଲବ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ |
ରୁଷ କୁ ଭାରତରୁ ଏହି ଉଚ୍ଚ ସ୍ତରୀୟ ଗସ୍ତ ଗୁଡିକୁ ଅଞ୍ଚଳରେ ନୂତନ ଭୂ-ରାଜନୈତିକ ଓ ଭୂ-ଅର୍ଥନୈତିକ ପରିପ୍ରେକ୍ଷୀରେ ଦେଖାଯାଉଛି ଏବଂ ଭାରତ ଏହାର ଦୀର୍ଘକାଳୀନ ବିଶ୍ଵସନୀୟ ସହଯୋଗୀ ରାଷ୍ଟ୍ର ରୁଷ ସହ ସହଯୋଗ ସ୍ଥାପନାକୁ ନୂତନ ତାଳମେଳ ସହ ଆହୁରି ସୁଦୃଢୀକରଣ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରୁଥିବାର ପ୍ରତୀୟମାନ ହେଉଛି | ଏହା ଆଶା କରାଯାଉଛି ଯେ ବୃଦ୍ଧି ପାଉଥିବା ଦ୍ଵିପକ୍ଷୀୟ ଭାଗିଦାରୀତା ସମ୍ପର୍କ ର ଏହି ନୂତନ ଅୟମାରମ୍ଭ ରେ କୃଷି, ହୀରା କାଟିବା, ପଲିଶିଙ୍ଗ ଶାଖା ପ୍ରତିଷ୍ଠା କରିବା, ଗରକାଠ ଓ ମଣ୍ଡ ର କାରବାର , ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା, ମତ୍ସ୍ୟପାଳନ ତଥା ଖଣି ଖନନ ଆଦି କ୍ଷେତ୍ରରେ ଆନ୍ତଃ-ଆଞ୍ଚଳିକ ସହଯୋଗ ସ୍ଥାପନା ର ନୂତନ ଉପାୟ ଗୁଡିକ ଉପରେ ପ୍ରାଧାନ୍ଯ ଦିଆଯିବ | ଅତୀତରେ ଭାରତ ଓ ରୁଷ ଦ୍ଵାରା ମିଳିତ ଭାବେ ଶକ୍ତି, ଡିଜିଟାଲ ଅର୍ଥନୀତି, ଷ୍ଟାର୍ଟ ଅପ ଓ ମୌଳିକଢାଞ୍ଚା ଆଦି ଚାରୋଟି ପ୍ରମୁଖ କ୍ଷେତ୍ରରେ ସହଯୋଗ ଲାଗି ଚିହ୍ନଟ କରାଯାଇଥିଲା | ଦୁଇ ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ରୁଷ ଗସ୍ତ ସମୟରେ ସହଯୋଗ ସ୍ଥାପନାକୁ ଏକ ନୂତନ ଶିଖର ରେ ପହଞ୍ଚାଇବା ଲାଗି ପ୍ରସ୍ତୁତି ଚଳେଇଥିବା ବେଳେ ଡଃ ଏସ ଜୟଶଙ୍କର ଓ ଶ୍ରୀ ସରଗେଇ ଲାଭାରୋଭ ଙ୍କ ମଧ୍ୟରେ ଦ୍ଵିପକ୍ଷୀୟ କଥାବାର୍ତ୍ତା ରେ ନୂତନ କ୍ଷେତ୍ରରେ ସହଯୋଗ ନେଇ ଫଳପ୍ରଦ କଥାବାର୍ତ୍ତା ହୋଇଛି | ଭାରତୀୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପୂତିନଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ଉଭୟ ରଣନୀତିକ ଓ ଅର୍ଥନୈତିକ କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରିବ ବୋଲି ଆଶା ଉଜ୍ଜୀବିତ ହୋଇଛି |
ମୂଳ ଲେଖା : ଡଃ ମୀନା ସିଂ ରାୟ , ରୁଷ ଓ ସିଆଇଏସ ଉପରେ ରଣନୀତିକ ବିଶ୍ଳେଷକ
ଅନୁବାଦ : ରୀତା ଯୋଶୀ
Comments
Post a Comment