ବ୍ୟାଙ୍କକରେ ସମ୍ପ୍ରତ୍ତି ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀତା (ଆରସିଇପି) ବୈଠକ ଅନୁଷ୍ଠିତ ହୋଇଛି | ଆମେରିକା-ଚୀନ ବାଣିଜ୍ୟ ବିବାଦ ଓ ଜାପାନ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଆର୍ଥିକ ସଙ୍କ୍ରାନ୍ତୀୟ ତିକ୍ତତା ଜାରୀ ରହିଥିବା ବେଳେ ଏହି ବୈଠକର ଆୟୋଜନ କରାଯାଇଛି | ଗତ ମାସ ଅନୁଷ୍ଠିତ ଆରସିଇପି ବୈଠକରେ ଭାରତ ଯୋଗ ଦେଇନଥିଲା | ଭାରତର ବାଣିଜ୍ୟ ତଥା ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋଏଲ ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ | ଏହା ବୈଶ୍ଵିକ ଆର୍ଥିକ କ୍ରିୟାକଳାପରେ ଭାରତର ଗତିଶୀଳତା କୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା | ଶ୍ରୀ ଗୋଏଲ ଗୋଷ୍ଠୀର ଅନ୍ୟ ସଦସ୍ୟ ରାଷ୍ଟ୍ର ଗୁଡିକ ସହ ଦେଶର ବହୁପକ୍ଷୀୟ ଓ ଦ୍ଵିପକ୍ଷୀୟ ପ୍ରସଙ୍ଗ ନେଇ କଥାବାର୍ତ୍ତା କରିବା ପାଇଁ ଏହି ମନ୍ତ୍ରୀସ୍ତରୀୟ ବୈଠକରେ ଭାଗ ନେଇଥିଲେ |
ଦକ୍ଷିଣ-ପୂର୍ବ ଆସିଆନ ରାଷ୍ଟ୍ରର ଦଶ ସଦସ୍ୟ ଓ ଭାରତ, ଚୀନ, ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଭଳି ଅନ୍ୟ ଛ ଟି ଆଞ୍ଚଳିକ ରାଷ୍ଟ୍ରକୁ ନେଇ ଆରସିଇପି ଗଠିତ | ଉଲ୍ଲେଖଯୋଗ୍ୟ ଯେ ସମଗ୍ର ଆସିଆନ ତଥା ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଏକ ମୁକ୍ତ ବାଣିଜ୍ୟ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଏହି ସଂସ୍ଥା ଗଠନ କରାଯାଇଥିଲା | ସପ୍ତମ ମନ୍ତ୍ରୀସ୍ତରୀୟ ବୈଠକ ପରେ ଏଥିରେ ଭାଗ ନେଇଥିବା 16 ଟି ରାଷ୍ଟ୍ର ଦ୍ଵାରା ଜାରୀ ମିଳିତ ବିବୃତ୍ତିରେ ସଂପୂର୍ଣ୍ଣ କ୍ଷେତ୍ରରେ ଏକ ମୁକ୍ତ ବ୍ୟାପାର ବ୍ୟବସ୍ଥା ସ୍ଥାପିତ କରିବା ଉପରେ ଜୋର ଦିଆଯାଇଥିଲା | ଆୟୋଜକ ଥାଇଲାଣ୍ଡ ର ଉପପ୍ରଧାନମନ୍ତ୍ରୀ ତଥା ବାଣିଜ୍ୟ ମନ୍ତ୍ରୀ ଶ୍ରୀ ଜୁରିନ ଲକ୍ଷନସାବିତ କହିଛନ୍ତି ଯେ ଏକ ମୁକ୍ତ ବ୍ୟାପାର ବ୍ୟବସ୍ଥା ଉପରେ ଆସନ୍ତା ବର୍ଷ ସୁଦ୍ଧା ଚୁଡାନ୍ତ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି |
ଏହା ଉଲ୍ଲେଖ୍ୟଯୋଗ୍ୟ ଯେ ୟୁରୋପୀୟ ସଂଘ (ଇୟୁ) ପରେ ଆସିଆନ ହେଉଛି ବିଶ୍ଵର ଦ୍ଵିତୀୟ ସବୁଠୁ ବଡ ଅର୍ଥନୈତିକ ଗୋଷ୍ଠୀ। ମୁଖ୍ୟତଃ ଆର୍ଥିକ କ୍ଷେତ୍ରରେ ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ (ସାର୍କ) ର ଆଶାନୁରୂପ ଫଳ ନମିଳିବାରୁ , ଭାରତ ଆସିଆନ ସହ ଏହାର ସହଯୋଗ ଓ ସମ୍ପର୍କ ବୃଦ୍ଧି କରିଛି | ଅଧୁନା ଭାରତର ସବୁଠୁ ବଡ ବାଣିଜ୍ୟ ସହଯୋଗୀ ରାଷ୍ଟ୍ର ମଧ୍ୟରେ ଆସିଆନ ସଦସ୍ୟ ରାଷ୍ଟ୍ର ମାନେ ସାମିଲ ଅଛନ୍ତି | ଆସିଆନ ରାଷ୍ଟ୍ର ସହ ଭାରତର ଦ୍ଵିପକ୍ଷୀୟ ବାଣିଜ୍ୟ କାରବାର 2005-06 ର 21 ବିଲିୟନ ଆମେରିକୀୟ ଡଲାର ତୁଳନାରେ 2018-19 ରେ 96.7 ବିଲିୟନ ଆମେରିକୀୟ ଡଲାର ରେ ପହଞ୍ଚିଯାଇଛି | ଭାରତର ମୋଟାମୋଟି ବ୍ୟାପାରରେ 11.47 ପ୍ରତିଶତ ଅଂଶଧନ ସହ 2018-19 ରେ ଆସିଆନ ଦେଶ ଗୁଡିକ ଭାରତର ଶୀର୍ଷ ବ୍ୟାପାର ଭାଗୀଦାରୀ ଭାବେ ଉଭା ହୋଇଛି | 2018 ରେ ଭାରତ ଆସିଆନ ବ୍ଲକ ର ଷଷ୍ଠ-ସର୍ବବୃହତ ବାଣିଜ୍ୟ ଭାଗୀଦାର ରାଷ୍ଟ୍ର ଥିଲା |
ଏହି ପରିପ୍ରେକ୍ଷୀରେ ଯଦି ଏକ ମୁକ୍ତ ବାଣିଜ୍ୟ ରାଜିନାମା ରେ ଉପନୀତ ହୁଅନ୍ତି ତେବେ ଭାରତକୁ ସାମଗ୍ରୀ, ସେବା, ପୁଞ୍ଜି ନିବେଶ, ବୌଦ୍ଧିକ ସମ୍ପତ୍ତି ଓ ସରକାରୀ କ୍ରୟ ଭଳି ଅନେକ ସୁଯୋଗ ପ୍ରାପ୍ତି ହେବ | ସୂଚନା ଯୋଗ୍ୟଯେ ଆସିଆନ ରାଷ୍ଟ୍ର ସହ ଭାରତର ବୃଦ୍ଧି ପାଉଥିବା ସମ୍ପର୍କ ଭାରତର ‘ଆକ୍ଟ ଇଷ୍ଟ’ ନୀତି ର ପରିଣାମ ଅଟେ | ବୃହତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଲାଗି ଆସିଆନ ହେଉଛି ଭାରତପାଇଁ ପ୍ରବେଶ ଦ୍ଵାର | ଘନିଷ୍ଠ ଭାଗିଦାର ଭାବେ ଉଭୟ ଭାରତ ଓ ଆସିଆନ ର ଦୃଷ୍ଟିକୋଣରେ ସହଯୋଗ ଓ ବାଣିଜ୍ୟ କାରବାର କ୍ଷେତ୍ରରେ ଏକାଭିମୁଖତା ରହିଛି | ଏହି ଅଞ୍ଚଳର ଅନେକ ଦେଶ ସହ ଭାରତର ନିବିଡ ବାଣିଜ୍ୟ ସମ୍ପର୍କ ରହିଛି | ତେବେ ମାଳୟେସିଆ ଓ ଦକ୍ଷିଣ କୋରିଆ ଭଳି କେତୋଟି ଦେଶ ର ବାଣିଜ୍ୟ ନିଅଣ୍ଟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି |
2018-19 ଅବଧିରେ ଆସିଆନ ରୁ ଭାରତରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ର ପରିମାଣ 16.41 ବିଲିୟନ ଡଲାର ଥିଲା ଯାହାକି ଭାରତରେ ମୋଟ ଏଫଡ଼ିଆଇ ପୁଞ୍ଜି ପ୍ରବାହ ର ପ୍ରାୟ 37 ପ୍ରତିଶତ ଅଟେ | 2018 ରେ ଭାରତରୁ ଆସିଆନ ପାଇଁ ଏଫଡ଼ିଆଇ ବହିର୍ଗମନ 1.7 ବିଲିୟନ ଡଲାର ଥିଲା ଯାହାଫଳରେ ଭାରତ ଆସିଆନ ର ଏଫଡ଼ିଆଇ ର ଷଷ୍ଠ-ସର୍ବାଧିକ ସ୍ରୋତ ଭାବେ ସ୍ଥାନିତ ହୋଇଛି |
ଭାରତୀୟ ବାଣିଜ୍ୟ ତଥା ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋଏଲ ଆରସିଇପି ବୈଠକ ଅବସରରେ ଜାପାନ, ସିଙ୍ଗାପୁର, ଚୀନ, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଫିଲିପାଇନ୍ସ ଓ ଥାଇଲାଣ୍ଡ ର ତାଙ୍କ ପ୍ରତିପକ୍ଷ ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଳାପ ଆଲୋଚନା କରିଥିଲେ |
ଭାରତୀୟ-ଆସିଆନ ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ) ଜାନୁଆରୀ 2010 ରେ କାର୍ଯ୍ୟକାରୀ ହୋଇଥିଲା | ସେହି ସମୟରେ ପାମ ତେଲ, ରବର, କଫି, ବ୍ଲାକ ଟି ଓ ଗୋଲମରିଚ ଭଳି କେତେ ସାମଗ୍ରୀର ଅଧିକ କାରବାର ହେଉଥିଲା | ଭାରତରେ ବ୍ୟାପକ ଆଶଙ୍କାର ବାତାବରଣ ଖେଳି ଯାଇଥିଲା ଯେ ଏଫଟିଏ ଆସିଆନ ଦେଶ ରୁ ଏହି ସାମଗ୍ରୀ ର ଆମଦାନୀ ବୃଦ୍ଧି କରିବ ଓ ଭାରତୀୟ ଉଦ୍ୟୋଗ କ୍ଷେତ୍ରରେ ଏହାର ଅତ୍ୟଧିକ ପ୍ରଭାବ ପଡିବ | ଏହି ସାମଗ୍ରୀଗୁଡିକୁ ଅତ୍ୟଧିକ ପ୍ରତିବନ୍ଧିତ ଟିକସ ହ୍ରାସ ସହ ସ୍ଵତନ୍ତ୍ର ଉତ୍ପାଦ ଭାବେ ଘୋଷିତ କରାଯାଇଥିଲା ବା ବହିଷ୍କରଣ ତାଲିକାରେ ଉତ୍ପାଦ ଭାବେ ରାଜିନାମାରେ ଅନ୍ତର୍ଭୁକ୍ତ କରାଯାଇନଥିଲା | ଏହି ଏଫଟିଏ ନୀତିର ଅର୍ଥନୈତିକ ଅସମାନତା ଉପରେ ସମୀକ୍ଷା କରାଯାଉଛି |
ତେବେ ଆସିଆନ ସହ ଏହାର ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ) ର ସମୀକ୍ଷା କରିବା ନେଇ ଭାରତର ନିଷ୍ପତ୍ତି ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀତା (ଆରସିଇପି) ବୈଠକର କଥାବାର୍ତ୍ତା ଉପରେ କୌଣସି ପ୍ରଭାବ ପଡିବ ନାହିଁ | ଆସନ୍ତା ବର୍ଷ ପହିଲା ସୁଦ୍ଧା ଆରସିଇପି ଉପରେ ଏକ ଚୁଡାନ୍ତ ବୁଝାମଣା ବାସ୍ତବତାରେ ପରିଣତ ହେବାର ସମ୍ଭାବନା ରହିଛି | ଭାରତୀୟ ବାଣିଜ୍ୟ ତଥା ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ଯେ ଆନ୍ତର୍ଜାତୀୟ ଅର୍ଥବ୍ୟବସ୍ଥାରେ ଭାରତର ଏକ ମହତ୍ଵପୂର୍ଣ୍ଣ ସ୍ଥାନ ରହିଛି ଓ ଭାରତ ବ୍ୟାପାର ଓ ନିବେଶ କ୍ଷେତ୍ର ରେ ସ୍ଥିର ଅଭିବୃଦ୍ଧି ପାଇଁ ବିଚାର ବିମର୍ଶ କରି ଏହାର ମତାମତ ଉପସ୍ଥାପିତ କରିବ |
ମୂଳ ଲେଖା : ମନୋହର ମନୋଜ, ସାମ୍ବାଦିକ
ଅନୁବାଦ : ରୀତା ଯୋଶୀ
Comments
Post a Comment