Skip to main content

ତାଲିବାନ ସହ କଥାବାର୍ତ୍ତା ଟ୍ରମ୍ଫ ଦ୍ୱାରା ବାତିଲ କରାଯିବା  ପରେ ତ୍ରିଶଙ୍କୁ ଅବସ୍ଥାରେ ଆଫଗାନିସ୍ତାନ 

ତାଲିବାନ ଚଳିତ ବର୍ଷ ପହିଲାରେ ଚଉଦ ସଦସ୍ୟ ବିଶିଷ୍ଟ ଏକ ଶାନ୍ତି ପ୍ରତିନିଧି ଦଳ ଗଠନ କରି ଏହାକୁ ଆମେରିକା ସହ ଶାନ୍ତି ବୁଝାମଣା କରିବା ଭଳି ଜଟିଳ ଦାୟିତ୍ଵ ଦେଇଥିଲା | ଆଫଗାନିସ୍ତାନ ସରକାର ଓ ତାଲିବାନ ମଧ୍ୟରେ ସଂଘର୍ଷ ଚାଲିଥିବା ସତ୍ତ୍ୱେ ଏହି ଶାନ୍ତି କଥାବାର୍ତ୍ତା ଆଗେଇ ନେବାପାଇଁ କାର୍ଯ୍ୟସୂଚୀ ଥିଲା | ତାଲିବାନ ଦ୍ଵାରା ନିରୀହ ନାଗରିକ ମାନଙ୍କୁ ଲକ୍ଷ୍ୟ କରି ସବୁବେଳେ ଆଖିବୁଜା ଆକ୍ରମଣ କରାଯାଉଥିବା ସମୟରେ ଶାନ୍ତି କଥାବାର୍ତ୍ତା ଆରମ୍ଭ କରିବା କଷ୍ଟସାଧ୍ୟ ହେବା ପରି ମନେହେଉଥିଲା | 

ଏହି କଥାବାର୍ତ୍ତା ର ମୂଳ ଉଦ୍ଦେଶ୍ୟ ଥିଲା ଏକ ବିସ୍ତ୍ରୁତ ରାଜନୈତିକ ଢାଞ୍ଚା ଗଠନ କରିବା ଯାହାକି ତାଲିବାନର ତଥା କାବୁଲର ମୁଖ୍ୟସ୍ରୋତର ରାଜନୈତିକ ତନ୍ତ୍ର ସହ ଅନ୍ୟ ବର୍ଗ ଗୁଡିକର ଆଶା ଓ ଆକାଂକ୍ଷା କୁ ନେଇ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବା | ତେବେ କଥାବାର୍ତ୍ତାରେ ମୁଖ୍ୟତଃ ସନ୍ତ୍ରାସବାଦ କାର୍ଯ୍ୟକଳାପ ବନ୍ଦ କରିବା ଲାଗି ତାଲିବାନ ନେତାମାନେ ଆମେରିକାକୁ ନିଶ୍ଚିତ କରିବା ଓ 1990 ପରେ ଆନ୍ତର୍ଜାତୀୟ ସନ୍ତ୍ରାସବାଦ ନେଟୱର୍କ ଚଲାଉଥିବା ଆଫଗାନିସ୍ତାନ ଏହାର ପୁନାରାବୃତ୍ତି ନକରିବା ପାଇଁ ପ୍ରତିଶୃତି ଦେବା ଆଦି ଆଲୋଚ୍ୟ ବିଷୟ ହେବାର ସ୍ଥିରୀକୃତ୍ୟ ଥିଲା | ସନ୍ତ୍ରାସବାଦ ନିରୋଧୀ ଗ୍ୟାରେଣ୍ଟି ର ନିରନ୍ତର ପାଳନକୁ ନିଶ୍ଚିତ କରିବା ଲାଗି ଆମେରିକା ସରକାର ତାଲିବାନ ନିକଟରେ ଦାବି ଜଣାଇ କହିଥିଲା ଯେ ଏହା ଆଫଗାନ କ୍ଷେତ୍ରରୁ ସୈନ୍ୟ ପ୍ରତ୍ୟାହାର ପରେ ମଧ୍ୟ ଏହାର ଗୁଇନ୍ଦା ସଂସ୍ଥା ସହ ପୂର୍ଣ୍ଣ କୂଟନୈତିକ ସ୍ଥିତି ବଜାୟ ରହିବ | ତେଣେ ଆମେରିକାର ଗୁଇନ୍ଦା ନେଟୱର୍କ ସମେତ ତାଙ୍କ ସେନା ବାହିନୀ ର ସମ୍ପୁର୍ଣ୍ଣ ପ୍ରତ୍ୟାହାର କରିବା ନେଇ ଆଫଗାନ ତାଲିବାନ ଦାବି କରିଛି | ଏପରି ଘଡିସନ୍ଧି ମୁହୂର୍ତ୍ତରେ କାବୁଲ ରେ ଏକ ସାମରିକ ତାଲିମ କେନ୍ଦ୍ରରେ ଏକ ବୋମା ଆକ୍ରମଣ ରେ ଆମେରିକାର ଜଣେ ଯବାନ ସହ ଅନ୍ୟ ବାର ଜଣଙ୍କ ପ୍ରାଣ ହାନି ଘଟିଥିବା ଘଟଣା ସମସ୍ତଙ୍କୁ ଦୋହୋଲାଇଦେଇଛି |

ତାଲିବାନ ଏହି ଆକ୍ରମଣ ପାଇଁ ଦାୟୀ ଥିବା ବିଷୟ ଦାବି କରିଥିବା ଯୋଗୁଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ତାଲିବାନ ର ଏହି ଅବିବେକୀ ଜଘନ୍ୟ ଆକ୍ରମଣ ଘଟଣାର ତୀବ୍ର ନିନ୍ଦା କରି ସେମାନଙ୍କ ସହ ହେବାକୁ ଥିବା କଥାବାର୍ତ୍ତା ବାତିଲ କରିଦେଇଛନ୍ତି | ପ୍ରାୟ ଦୁଇ ଦଶନ୍ଧି ଧରି ସଂଘର୍ଷ ପରେ ଏକ ରାଜନୈତିକ କଥାବାର୍ତ୍ତା ହେବାର ଆଶା ଉଜ୍ଜୀବିତ ହୋଇଥିଲା କିନ୍ତୁ ଆଫଗାନ ସରକାର ଙ୍କ ବିରୁଦ୍ଧରେ ସକ୍ରିୟତା ର ସହ ସଂଘର୍ଷ କରୁଥିବା ଏକ ଗୋଷ୍ଠୀ ସହ ବୁଝାମଣା କରିବା କେତେ କଷ୍ଟକର ତାହା ଏହି ଆକ୍ରମଣ ଘଟଣାରୁ ସ୍ପଷ୍ଟ ପ୍ରତୀୟମାନ ହେଇଛି |

ତେବେ ତାଲିବାନ ଏଭଳି ପରିସ୍ଥିତି ସୃଷ୍ଟି ହେବା ସତ୍ତ୍ୱେ କଥାବାର୍ତ୍ତା ଲାଗି ପ୍ରସ୍ତୁତ ଅଛି ବୋଲି କହିଥିବା ବେଳେ ତାଲିବାନ ପଛରେ ପାକିସ୍ତାନ ର ଭୂମିକା ଥିବା ଦୃଷ୍ଟିରୁ ଏହାକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ଅଛି ବୋଲି କୂଟନୈତିକ ମାନେ ମତ ଦେଇଛନ୍ତି | ଯଦି ଆଫଗାନିସ୍ତାନ ରୁ ଆମେରିକା ଗୁଇନ୍ଦା ହଟେଇଦିଆଯାଏ, ତାହେଲେ ପାକିସ୍ତାନ ଭିତ୍ତିକ ସନ୍ତ୍ରାସବାଦୀ ମାନଙ୍କୁ ସେଠାରେ ତାଲିମ ନେବାକୁ ସୁବିଧା ହେବା ସହ ଦକ୍ଷିଣ ଏସିଆ ରେ ଅନ୍ୟାନ୍ୟ ଅଞ୍ଚଳରେ ସନ୍ତ୍ରାସବାଦୀ କାର୍ଯ୍ୟ ଚଳେଇବାରେ ମଧ୍ୟ ଏହା ସହାୟକ ହେବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି |

ଏହି ଗୋଷ୍ଠୀ ଚୀନ, ରୁଷ, ଇରାନ ଓ ସାଉଦିଆରବ ଏବଂ କାତାର ଭଳି ଉପସାଗରୀୟ ରାଷ୍ଟ୍ର ମାନଙ୍କ ସହ କଥାବାର୍ତ୍ତା ହୋଇଥିବା ବେଳେ ଭାରତ ସହ କଥାବାର୍ତ୍ତା ହେବାରେ ବିଫଳ ହୋଇଥିଲା | ତେବେ ଭାରତକୁ ମଧ୍ୟ ଏହି କଥାବାର୍ତ୍ତା ରେ ସାମିଲ କରିବାର ଇଚ୍ଛା ଥିବା ବିଷୟ ଅଗଷ୍ଟ ମାସରେ ଏକ ଅନାମଧେୟ ତାଲିବାନ ସୂତ୍ରରୁ ସଙ୍କେତ ଦିଆଯାଇଥିଲା | ଆମେରିକା ସହ ମୁଖ୍ୟ ରାଜନୈତିକ କଥାବାର୍ତ୍ତା ଯଦି ବାତିଲ ହୁଏ ତେବେ ଅନ୍ୟ ଅଂଶୀଦାର ମାନଙ୍କ ସହ କଥାବାର୍ତ୍ତା ହେବା ପ୍ରାୟତଃ ଅସମ୍ଭବ ପରି ଜଣାପଡୁଛି | ଭାରତ ମଧ୍ୟ କୌଣସି ସନ୍ତ୍ରାସବାଦୀ ଗୋଷ୍ଠୀ ସହ କୌଣସି ସ୍ଥାନରେ କଥାବାର୍ତ୍ତା ରେ ସାମିଲ ହେବ ନାହିଁ ବୋଲି ଏହାର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି |

ସବିଶେଷ ରିପୋର୍ଟରୁ ଜଣାପଡିଛି ଯେ ନରୱେ, ଜର୍ମାନୀ ଓ କାତାର ଆମେରିକା ଓ ତାଲିବାନ ମଧ୍ୟରେ ପୁନଃ ଯୋଗାଯୋଗ ସ୍ଥାପିତ କରିବା ପାଇଁ ଉଦ୍ୟମ ଚଳେଇଛନ୍ତି | ରାଷ୍ଟ୍ରପତି ଟ୍ରମ୍ଫ ଙ୍କ ଦ୍ଵାରା ଆମେରିକାର ସ୍ଵତନ୍ତ୍ର ପ୍ରତିନିଧି ଜାଲମେ ଖାଲିଲାଜାଦ ଓ ତାଲିବାନ ଟିମ ମଧ୍ୟରେ ହେବାକୁ ଥିବା କଥାବାର୍ତ୍ତା ବାତିଲ କରିଦିଆଯିବା ପରେ ଉଭୟ ପକ୍ଷ ଆଫଗାନିସ୍ତାନ ରେ ଜାରି ରହିଥିବା ହିଂସାତ୍ମକ କ୍ରିୟାକଳାପର ଏକ ଶାନ୍ତିପୂର୍ଣ୍ଣ ସମାଧାନର ବାଟ ବାହାର କରିବା ଲାଗି ପ୍ରୟାସ କରୁଛନ୍ତି | କଥାବାର୍ତ୍ତା ବାତିଲ ଯୋଗୁଁ ଆଫଗାନିସ୍ତାନରେ ନିର୍ବାଚନ ପ୍ରକ୍ରିୟା କୁ ଏହାର ପ୍ରକୃତ ଫାଇଦା ମିଳିବ ବୋଲି କୁହାଯାଉଛି | ଚଳିତ ମାସ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବାର ଆଶା କରାଯାଉଛି |

ଏଥିଯୋଗୁଁ ହିଂସାକାଣ୍ଡ ଘଟଣା ବୃଦ୍ଧି ହେବାର ମଧ୍ୟ ଆଶଙ୍କା କରାଯାଉଛି କାରଣ ତାଲିବାନ ନିର୍ବାଚନ ପ୍ରକ୍ରିୟା କୁ ବୈଧ ନୁହେଁ ବୋଲି ବିବେଚନା କରି ଏହାକୁ ବିରୋଧ କରିଆସୁଛି | ଏଭଳି ପରିସ୍ଥିତିରେ ଦୀର୍ଘ ଚାରି ଦଶନ୍ଧି ରୁ ଅଧିକ ସମୟ ଧରି ବାହ୍ୟ ଆକ୍ରମଣ ଓ ଗୃହ ଯୁଦ୍ଧ ର ସମ୍ମୁଖୀନ ହୋଇଆସୁଥିବା ଆଫଗାନିସ୍ତାନ ର ଭବିଷ୍ୟତ ଅନିଶ୍ଚିତତା ଦେଇ ଗତି କରୁଛି | ଅଧୁନା ଏହା ପ୍ରତୀତ ହେଉଛି ଯେ ଯଦି ରାଜନୈତିକ କଥାବାର୍ତ୍ତା ବିଫଳ ହୁଏ ତେବେ ତାଲିବାନ, ଆମେରିକା ବାହିନୀ ଓ ଆଫଗାନ ସରକାର ବିରୁଦ୍ଧରେ ଏହାର ସଂଘର୍ଷ ଜାରି ରଖିବ |

ଏହି ହିଂସାଗ୍ରସ୍ତ ଅଞ୍ଚଳରେ ଆମେରିକା ବାହିନୀ ମଧ୍ୟରେ ବୃଦ୍ଧି ପାଉଥିବା ଅବସନ୍ନତା ଓ ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଟ୍ରମ୍ଫଙ୍କ ହାତରେ କୌଣସି ବିକଳ୍ପ ନଥିବା ପରି ମନେ ହେଉଛି | ତେଣେ ଆଫଗାନିସ୍ତାନ ରେ ନିର୍ବାଚନ ହେବା ପରେ ଏହି କଥାବାର୍ତ୍ତା ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ଆଫଗାନ ଶାନ୍ତି କର୍ମୀ ମାନେ କହିଛନ୍ତି | ବର୍ତ୍ତମାନ ପରିପ୍ରେକ୍ଷୀରେ ‘ଏସିଆ ର ହୃଦୟ’ କୁହାଯାଉଥିବା ଆଫଗାନିସ୍ତାନ ତ୍ରିଶଙ୍କୁ ଅବସ୍ଥାରେ ରହିଛି | କଥାବାର୍ତ୍ତା ପୁଣି ଥରେ ଆରମ୍ଭ କରିବାକୁ ହେଲେ ଆମେରିକାର ସନ୍ତ୍ରାସବାଦୀ ନିରୋଧୀ ନିଶ୍ଚିତ କରିବା ଦାବି ପ୍ରତି ତାଲିବାନକୁ ରାଜି ହେବାକୁ ପଡିବ | ଯଦିଓ ଭବିଷ୍ୟତର ମାର୍ଗ ସହଜ ଜଣାପଡୁଛି ତେବେ ତାଲିବାନ ସହ ସାଲିସ କରିବାର ନିହାତି ଆବଶ୍ୟକତା ରହିଛି |

ମୂଳ ଲେଖା: କାଲ୍ଲୋଲ ଭଟ୍ଟାଚାର୍ଜ୍ୟ, ସମ୍ବାଦଦାତା, ଦ ହିନ୍ଦୁ

ଅନୁବାଦ: ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...