Skip to main content

ପାର୍ଲାମେଣ୍ଟରେ ଚଳିତ ସପ୍ତାହ

ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ରାଜ୍ୟସଭାର 250 ତମ ଅଧିବେଶନ ସହ ଗତ ସୋମବାର ଦିନ ଆରମ୍ଭ ହୋଇଛି| ତିନି ସପ୍ତାହ ଧରି ଚାଲିବାକୁ ଥିବା ଅଧିବେଶନର ଏହା ହେଉଛି ମୁଖ୍ୟ କାର୍ଯ୍ୟକ୍ରମ | ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଂସଦ ମାନଙ୍କୁ ଜାତୀୟ ପ୍ରସଙ୍ଗ ଓ ଆଞ୍ଚଳିକ ସ୍ଵାର୍ଥ ମଧ୍ୟରେ ସମତୁଲତା ବଜାୟ ରଖିବାକୁ ପରାମର୍ଶ ଦେଇ କହିଛନ୍ତି ଯେ ସେମାନେ ପ୍ରତିରୋଧ ନ କରି ଆଲୋଚନା ମାଧ୍ୟମରେ ଲୋକାଭିମୁଖୀ ପ୍ରସଙ୍ଗ ଗୁଡିକୁ ସଦନରେ ଉଜାଗର କରିବା ଉଚିତ | ସେ କହିଛନ୍ତି ଯେ ଗଣତନ୍ତ୍ରରେ ନିୟନ୍ତ୍ରଣ ତଥା ସନ୍ତୁଳନତା ରକ୍ଷା ପାଇଁ ଉଚ୍ଚ ସଦନର ଅତ୍ୟନ୍ତ ମହତ୍ଵ ରହିଛି | ସଭାଗୃହର କାର୍ଯ୍ୟଧାରାରେ ବାଧା ପହଞ୍ଚାଇବା ଓ ସଦନର କାର୍ଯ୍ୟଧାରାକୁ ଅଚଳ କରିବା ମଧ୍ୟରେ ପାର୍ଥକ୍ୟ ଜାଣିବାର ଆବଶ୍ୟକତା ରହିଛି ବୋଲି ସେ ସଦସ୍ୟ ମାନଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ସ୍ମରଣ କରାଇଥିଲେ ଯେ ସଂସଦର ଉଚ୍ଚ ସଦନ ବା ରାଜ୍ୟସଭାରେ ଭାରତର ବିବିଧତାରେ ଏକତାର ଭାବନା ଅତି ସୁନ୍ଦର ଭାବେ ପରିଲକ୍ଷିତ ହୋଇଥାଏ|

ଭାରତୀୟ ରାଜନୀତିରେ ଏହି ସଦନର ଭୂମିକା ଓ ସଂସ୍କାରର ଆବଶ୍ୟକତା ବିଷୟ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମ୍ବିଧାନର ପ୍ରଣେତା ମାନେ ଏକ ଦ୍ୱିସଦନ ସଂସଦୀୟ ବ୍ୟବସ୍ଥାର କଳ୍ପନା କରିଥିଲେ ଓ ଏହି ଦୂରଦୃଷ୍ଟି ଦେଶର ଗଣତନ୍ତ୍ରକୁ ସମୃଦ୍ଧ କରିଛି | ସେ କହିଛନ୍ତି ଯେ ରାଜ୍ୟସଭା ସେହି ମହାନ ବ୍ୟକ୍ତି ମାନଙ୍କୁ ସୁଯୋଗ ଦେଇଥାଏ ଯେଉଁମାନେ ରାଜନୀତିରୁ ଦୂରରେ ରହି ଦେଶ ତଥା ଏହାର ବିକାଶ ଲାଗି କାମ କରିବାକୁ ଚାହାନ୍ତି | ସେ ମଧ୍ୟ କହିଛନ୍ତି ରାଜ୍ୟସଭା, ସାଂସଦ ମାନଙ୍କୁ ସହଯୋଗାତ୍ମକ ସଙ୍ଘିୟବାଦ ଭାବନାକୁ ଆଗକୁ ବଢାଇବାରେ ସକ୍ଷମ କରିଥାଏ | ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ରାଜ୍ୟସଭା ସମଗ୍ର ଦେଶର ବିକାଶ ଲାଗି ଏକ ସହାୟକ ସଦନ ଭାବେ କାର୍ଯ୍ୟ କରିବା ଉଚିତ | ସଭାଗୃହର ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ କହିଛନ୍ତି ରାଜ୍ୟସଭା ଦେଶର ସାମାଜିକ- ଅର୍ଥନୈତିକ ପରିବର୍ତ୍ତନରେ ଏକ ମହତ୍ବପୂର୍ଣ୍ଣ ଭୂମିକା ନିଭାଇଛି |

ସ୍ଵରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ଲୋକସଭାରେ ଏକ ଲିଖିତ ଉତ୍ତର ଦେଇ କହିଥିଲେ ଯେ ଜାମ୍ମୁ କାଶ୍ମୀର ସରକାରଙ୍କ ସୂଚନା ଅନୁଯାୟୀ ଗତ ଛ ମାସ ସମୟ ମଧ୍ୟରେ 13,000 ବିଦେଶୀ ନାଗରିକଙ୍କ ସମେତ ମୋଟ 35 ଲକ୍ଷ ପର୍ଯ୍ୟଟକ ଜାମ୍ମୁ କାଶ୍ମୀର ପରିଭ୍ରମଣରେ ଯାଇଥିଲେ | ସେ ମଧ୍ୟ କହିଥିଲେ ଯେ ରାଜ୍ୟ ସରକାର ଏହି ସମୟ ମଧ୍ୟରେ ପର୍ଯ୍ୟଟନ କ୍ଷେତ୍ରରୁ ମୋଟ 25 କୋଟି ଟଙ୍କା ଆୟ କରିଛନ୍ତି |

ଲୋକସଭାରେ ଏକ ଲିଖିତ ଜବାବରେ ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ସୂଚନା ଦେଇଛନ୍ତି ଯେ ଜାମ୍ମୁ ଓ କାଶ୍ମୀରରେ 370 ଧାରା ଉଚ୍ଛେଦ ପରେ ପଥର ଫିଙ୍ଗା ଘଟଣା ବହୁ ମାତ୍ରାରେ ହ୍ରାସ ପାଇଛି | 2019 ଅଗଷ୍ଟ ମାସ 5 ତାରିଖରୁ ନଭେମ୍ବର 15 ତାରିଖ ମଧ୍ୟରେ ପଥର ଫିଙ୍ଗା ଓ ଆଇନ ଶୃଙ୍ଖଳା ସଙ୍କ୍ରାନ୍ତୀୟ ଘଟଣା ନେଇ 190ଟି ମାମଲା ରୁଜ୍ଜୁ କରାଯାଇଛି ବୋଲି ସେ ଜଣାଇଛନ୍ତି |

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଅତିରିକ୍ତ ପ୍ରଶ୍ନ ଗୁଡିକର ଜବାବ ଦେବା ବେଳେ ଦୃଢୋକ୍ତି ପ୍ରକାଶ କରି କହିଥିଲେ ଯେ ଜାମ୍ମୁ ଓ କାଶ୍ମୀରରେ ପରିସ୍ଥିତି ସମ୍ପୁର୍ଣ୍ଣ ସ୍ଵାଭାବିକ ରହିଛି ଓ ସମସ୍ତ 195ଟି ଥାନା ଇଲାକାରେ କଟକଣା ପ୍ରତ୍ୟାହାର କରିନିଆଯାଇଛି | ସେ କହିଛନ୍ତି ଯେ ଅଞ୍ଚଳରେ ନିରାପତ୍ତା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ କର୍ତ୍ତୃପକ୍ଷଙ୍କ ସୁପାରିଶ ଅନୁଯାୟୀ ଇଣ୍ଟର୍ନେଟ ସେବାର ପୁନଃସ୍ଥାପନ ଲାଗି ଉଚିତ ସମୟରେ ନିଷ୍ପତ୍ତି ନିଆଯିବ | ମନ୍ତ୍ରୀ ମହୋଦୟ କହିଥିଲେ ଯେ 370 ଧାରା ଉଚ୍ଛେଦ ଓ ରାଜ୍ୟ ବିଭାଜନ ପରେ ପୋଲିସ ଗୁଳି ଚାଳନାରେ କୌଣସି ଲୋକର ମୃତ୍ୟୁ ଘଟିନାହିଁ |

ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେବା ବେଳେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ‘ଏକ ରାଷ୍ଟ୍ର –ଏକ ଭାଷା’ ପାଇଁ ସରକାରଙ୍କ କୌଣସି ପ୍ରସ୍ତାବ ଥିବା ବିଷୟକୁ ଖଣ୍ଡନ କରି କହିଥିଲେ ଯେ ସମ୍ବିଧାନ ଦେଶର ସବୁ ଭାଷାକୁ ସମାନ ମହତ୍ଵ ଦେଇଥାଏ | 

ବୈଦେଶିକ ବ୍ୟାପାରୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭି ମୁରଲୀଧରନ ଏକ ପ୍ରଶ୍ନର ଜବାବ ଦେବା ବେଳେ କହିଛନ୍ତି ଚୀନର ୱାନ ବେଲ୍ଟ-ୱାନ ରୋଡ (ଓବିଓଆର) ଉପରେ ଭାରତର ସ୍ପଷ୍ଟ ଆଭିମୁଖ୍ୟ ରହିଛି | ସେ କହିଛନ୍ତି ସରକାର ଏବିଷୟ ନେଇ ଚିନ୍ତିତ ଅଛନ୍ତି ଯେ ତଥାକଥିତ ଚୀନ-ପାକିସ୍ତାନ ଅର୍ଥନୈତିକ କୋରିଡରରେ ଚୀନର ୱାନ ବେଲ୍ଟ-ୱାନ ରୋଡ କଲ୍ୟାଣକାରୀ ପ୍ରକଳ୍ପ ଭାରତର ସାର୍ବଭୌମତ୍ଵ ଓ କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ସିଧାସଳଖ ପ୍ରଭାବ ପକାଉଛି | ସୂଚନା ଯୋଗ୍ୟଯେ ଏହି କୋରିଡର କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ଓ ଲଦାଖର କିଛି ଭାଗ ଦେଇ ଗତି କରୁଛି ଯାହା ପାକିସ୍ତାନ ଦ୍ଵାରା ଅବୈଧ ଭାବେ ଅଧିକୃତ କରାଯାଇଛି| ସେ କହିଛନ୍ତି ଯେ ସଂଯୋଗୀକରଣ ଅଭିଯାନ ସାର୍ବଭୌମିକ ସ୍ଵୀକୃତିପ୍ରାପ୍ତ ଆନ୍ତର୍ଜାତୀୟ ମାନଦଣ୍ଡ ଉପରେ ଆଧାରିତ ହେବା ଉଚିତ ବୋଲି ଭାରତ ବିଶ୍ଵାସ କରେ |

ଲୋକସଭାରେ, ଜାତୀୟ ରାଜଧାନୀ ଦିଲ୍ଲୀରେ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଉଥିବା ପ୍ରଦୂଷଣ ନେଇ ବିତର୍କ ହୋଇଥିଲା| ଦଳ ମତ ନିର୍ବିଶେଷରେ ସବୁ ପାର୍ଟିର ନେତା ମାନେ କହିଥିଲେ ଯେ ରାଜନୀତିରୁ ଊର୍ଦ୍ଧ୍ଵକୁ ଉଠି ବାୟୁପ୍ରଦୂଷଣ ଭଳି ଏକ ଗମ୍ଭୀର ସମସ୍ୟାର ତତ୍କାଳ ସମାଧାନ କରିବାର ଆବଶ୍ୟକତା ରହିଛି | ଏହାର ମୁକାବିଲା ଲାଗି ସଦସ୍ୟ ମାନେ ଅନେକ ପ୍ରସ୍ତାବ ଦେଇଥିଲେ ଯେପରିକି ନଡା ଜଳାଇବା ରୋକିବା ଲାଗି କୃଷକ ମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଓ ବାୟୁ ବିଶୁଦ୍ଧକାରୀ ଟାୱାର ନିର୍ମାଣ ଲାଗି ପ୍ରତ୍ୟେକ ସାଂସଦଙ୍କ ପାଣ୍ଠିରୁ ଦୁଇ କୋଟି ଟଙ୍କା ଲେଖାଏଁ ପ୍ରଦାନ କରିବା ଇତ୍ୟାଦି |



ମୂଳ ଲେଖା : ଭି. ମୋହନ ରାଓ, ସାମ୍ବାଦିକ 

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...