Skip to main content

ଭାରତ - ଇରାନ ଉନବିଂଶତମ ଯୁଗ୍ମ କମିଶନ ବୈଠକ

ଭାରତର ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର ଦୁଇ ଦେଶ ମଧ୍ୟରେ ଯୁଗ୍ମ କମିଶନ ବୈଠକରେ ଯୋଗ ଦେବା ଲାଗି ଇରାନ ଗସ୍ତରେ ଯାଇଥିଲେ | ଏହି ଦୁଇ ବନ୍ଧୁ ରାଷ୍ଟ୍ର ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ନିବିଡ କରିବା ଲାଗି ଯୁଗ୍ମ କମିଶନ ହେଉଛି ଏକ ଉପଯୁକ୍ତ ମାଧ୍ୟମ | ଏହି ବୈଠକ ଭାରତ ଓ ଇରାନର ବୈଦେଶିକ ମନ୍ତ୍ରୀଙ୍କ ସହଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥାଏ | ଡଃଜୟଶଙ୍କର ତାଙ୍କ ଗସ୍ତ କାଳରେ ଇରାନର ରାଷ୍ଟ୍ରପତି ଡଃ ହସାନ ରୁହାନିଙ୍କ ସହ ସାକ୍ଷାତ କରି ଯୁଗ୍ମ କମିଶନ ବୈଠକ ବିଷୟରେ ଅବଗତ କରାଇଥିଲେ | ସେ ମଧ୍ୟ ଇରାନର ସର୍ବୋଚ୍ଚ ଜାତୀୟ ନିରାପତ୍ତା ପରିଷଦର ସେକ୍ରେଟାରୀ ରିଅର ଆଡମିରାଲ ଅଲି ଶାମଖାନି ତଥା ସେଠାକାର ସଡକ ଓ ସହରାଞ୍ଚଳ ଉନ୍ନୟନ ମନ୍ତ୍ରୀ ମହମ୍ମଦ ଇସଲାମିଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ |

ଭାରତ ଓ ଇରାନ ମଧ୍ୟରେ ଦ୍ଵିପକ୍ଷୀୟ ସମ୍ପର୍କ ବୃଦ୍ଧି ଲାଗି ଏହି ବୈଠକ ଏକ ଏପରି ସମୟରେ ହୋଇଛି ଯେତେବେଳେ ଇରାନ ଓ ଆମେରିକା ମଧ୍ୟରେ ଜାରି ଅଚଳାବସ୍ଥା ଯୋଗୁଁ ଇରାନ ତୀବ୍ର ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି | ଆମେରିକା ଦ୍ଵାରା ଇରାନ ଉପରେ କଡା ଅର୍ଥନୈତିକ ଓ ରାଜନୈତିକ ପ୍ରତିବନ୍ଧକ ଲଗାଯାଇଥିବା ଯୋଗୁଁ ଏହି ଅଚଳାବସ୍ଥା ସୃଷ୍ଟି ହୋଇଛି | ସୂଚନାଯୋଗ୍ୟ ଯେ ଆମେରିକା ଏକତରଫା ଭାବେ ଇରାନ ପରମାଣୁ ଚୁକ୍ତିରୁ ଓହରିଯାଇଥିଲା |

ଏହି ଫଳପ୍ରଦ ଯୁଗ୍ମ କମିଶନ ବୈଠକରେ ଉଭୟ ପକ୍ଷ ଭାରତ-ଇରାନ ସମ୍ପର୍କ ନେଇ ବ୍ୟାପକ ସମୀକ୍ଷା କରିବା ସହ ଇରାନରେ ଚବାହାର ବନ୍ଦର ପ୍ରକଳ୍ପ କାର୍ଯ୍ୟର ତ୍ୱରାନ୍ୱିତ ଲାଗି ଦୁଇ ଦେଶ ରାଜି ହୋଇଛନ୍ତି | ଇରାନ ବୈଦେଶିକ ମନ୍ତ୍ରୀ ଶ୍ରୀ ଜାଭେଦ ଜାରିଫ ଭାରତ ଓ ଇରାନ ମଧ୍ୟରେ ଦ୍ଵିପକ୍ଷୀୟ ସମ୍ପର୍କ ଉପରେ ଫଳପ୍ରଦ ଆଲୋଚନା ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ଓ ଦୁଇ ଦେଶ ମଧ୍ୟରେ ଥିବା ପ୍ରାଚୀନ, ଐତିହାସିକ ତଥା ଅତୁଟ ସମ୍ପର୍କ ବିଷୟରେ ଦୋହୋରାଇଥିଲେ |

ଏହି ବୈଠକ ସମୟରେ ସଂଯୋଗୀକରଣ, ବାଣିଜ୍ୟ ଓ ବ୍ୟାପାର ଆଦି ପ୍ରସଙ୍ଗ ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା | ଦୁଇ ପକ୍ଷ ଭାରତ ଓ ଇରାନ ଉପରେ ପ୍ରଭାବ ପକାଉଥିବା ଆଞ୍ଚଳିକ ଓ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ନିଜ ନିଜର ମତ ଆଦାନ ପ୍ରଦାନ କରିଥିଲେ ଓ ଚବାହାରରେ ଶହୀଦ ବେହେଷ୍ଟି ବନ୍ଦର ପରିଚାଳନାର ପ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଥିଲେ | ଉଲ୍ଲେଖଯୋଗ୍ୟଯେ ଚବାହାର ବନ୍ଦରର, ଭାରତୀୟ ଉପମହାଦେଶ, ଇରାନ, ଆଫଗାନିସ୍ଥାନ, ମଧ୍ୟଏସିଆ ଓ ୟୁରୋପ ମଧ୍ୟରେ ପ୍ରବେଶ ଦ୍ଵାର ଭାବେ କାର୍ଯ୍ୟ କରିବାର କ୍ଷମତା ରହିଛି | ଶକ୍ତି ସମୃଦ୍ଧ ରାଷ୍ଟ୍ର ଇରାନର ଦକ୍ଷିଣାଞ୍ଚଳ ଉପକୂଳ ସ୍ଥିତ ଏହି ବନ୍ଦରକୁ ଭାରତର ପଶ୍ଚିମ ଉପକୂଳରୁ ସହଜରେ ପହଞ୍ଚିହେବ | ଏହା ପାକିସ୍ତାନ ର ଗ୍ଵାଦର ବନ୍ଦରର ବିକଳ୍ପ ଭାବରେ ଉଭା ହେବ ବୋଲି କୁହାଯାଉଛି | ଚବାହାରରୁ ପ୍ରାୟ 80 କିଲୋମିଟର ଦୂରରେ ଅବସ୍ଥିତ ଏହି ଗ୍ଵାଦର ବନ୍ଦରକୁ ଚୀନ ର ପୁଞ୍ଜି ନିବେଶ ଦ୍ଵାରା ବିକଶିତ କରାଯାଉଛି |

ଭାରତ ଓ ଇରାନ ର ବୈଦେଶିକ ମନ୍ତ୍ରୀ ଚବାହାର ବନ୍ଦର ଦେଇ ଆଗଫଗାନିସ୍ତାନରୁ ସାମଗ୍ରୀ ରପ୍ତାନି କରିବା ପଦକ୍ଷେପକୁ ସ୍ଵାଗତ ଜଣାଇଥିଲେ ଓ ସେମାନେ ମଧ୍ୟ ବାଣିଜ୍ୟ ଓ ପାରଗମନ ଲକ୍ଷ୍ୟରେ ବ୍ୟାପକ ଆଞ୍ଚଳିକ ଯୋଗାଯୋଗ ବୃଦ୍ଧି କରିବା ପାଇଁ ଏହି ବନ୍ଦରକୁ ବିକଶିତ କରିବାଲାଗି ସମ୍ଭାବ୍ୟ ପନ୍ଥାଗୁଡିକ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ |

ଏହି ଯୁଗ୍ମ କମିଶନ ବୈଠକରେ ଭାରତ ଓ ଇରାନ, ଦ୍ଵିପକ୍ଷୀୟ ବାଣିଜ୍ୟ କାରବାରକୁ ଆହୁରି ମଜବୁତ କରିବା ଲାଗି ସେମାନଙ୍କ ସହଯୋଗ ବିଷୟ ଦୋହୋରାଇଥିଲେ | ଏହି ପରିପ୍ରେକ୍ଷୀରେ ଅଗ୍ରାଧିକାର ବାଣିଜ୍ୟ ରାଜିନାମାର ଚୁଡାନ୍ତ କରିବା, ଦ୍ଵିପକ୍ଷୀୟ ନିବେଶ ଚୁକ୍ତି ଓ ବହିଃଶୁଳ୍କ ମାମଲାରେ ଭାରତ-ଇରାନ ସହଯୋଗକୁ ପ୍ରୋତ୍ସାହନ ଦେବା ଲାଗି ଉଭୟଙ୍କ ମଧ୍ୟରେ ଖୁବ ଶୀଘ୍ର ବାଣିଜ୍ୟ ସଙ୍କ୍ରାନ୍ତୀୟ ଏକ ଯୁଗ୍ମ କ୍ରିୟାନ୍ବୟନ ଗୋଷ୍ଠୀ ବୈଠକର ଆୟୋଜନ କରିବା ଲାଗି ମଧ୍ୟ ଦୁଇ ଦେଶ ଏକମତ ହୋଇଛନ୍ତି|

ସବୁଠୁ ବଡ କଥା ହେଲା ସନ୍ତ୍ରାସବାଦ ଦ୍ଵାରା ଉପୁଜିଥିବା ବିପଦ ନେଇ ପରସ୍ପର ମଧ୍ୟରେ ମତ ଆଦାନ ପ୍ରଦାନ କରିଥିଲେ ଓ ସବୁ ପ୍ରକାର ସନ୍ତ୍ରାସବାଦ ର ମୂଳୋତ୍ପାଟନ ଲାଗି ଆହ୍ଵାନ ଜଣାଇଥିଲେ | ସେମାନେ ମଧ୍ୟ ଅଞ୍ଚଳରେ ଶାନ୍ତି, ନିରାପତ୍ତା ଓ ସ୍ଥିରତା ବଜାୟ ରଖିବା ପାଇଁ ସହଯୋଗ ଜାରି ରଖିବେ ବୋଲି ସହମତି ପ୍ରଦାନ କରିଥିଲେ |

ଆସନ୍ତା ବର୍ଷ ଦ୍ଵିପକ୍ଷୀୟ ବନ୍ଧୁତ୍ଵ ଚୁକ୍ତିର 70 ତମ ବର୍ଷ ପୂର୍ତ୍ତି ପାଳନ ଲାଗି ଦୁଇ ଦେଶ ମଧ୍ୟରେ ଏକ ରାଜିନାମାରେ ସ୍ଵାକ୍ଷର କରିବା ହେଉଛି ଭାରତ-ଇରାନ 19ତମ ଯୁଗ୍ମ କମିଶନ ବୈଠକର ଆଉ ଏକ ଉଲ୍ଲେଖନୀୟ ବିଷୟ | ଏହି ଅବସରରେ ଭାରତ ଓ ଇରାନ ସେମାନଙ୍କ ସାଂସଦ ମାନଙ୍କ ମଧ୍ୟରେ ଆଦାନ ପ୍ରଦାନ କରିବା ସହ ସାଂସ୍କୃତିକ ମହୋତ୍ସବ ଗୁଡିକୁ ପ୍ରୋତ୍ସାହନ ଦେବାଲାଗି ଯୋଜନା କରୁଛନ୍ତି |

ଆମେରିକାର କଡା କଟକଣା ଯୋଗୁଁ ଇରାନରୁ ଭାରତର ତୈଳ ଆମଦାନୀ ଅଧିକ ମାତ୍ରାରେ ପ୍ରଭାବିତ ହେଉଥିବା ବେଳେ ଯୁଗ୍ମ କମିଶନ ବୈଠକକୁ, ଭାରତ ଓ ଇରାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଘନିଷ୍ଠ ସମ୍ପର୍କକୁ ଜାରି ରଖିବା ନେଇ ଏକ ଦୃଢ ପ୍ରୟାସ ଭାବେ ଦେଖାଯାଉଛି | ଦୁଇ ପକ୍ଷ ଅତୀତରେ ନିୟମିତ ଭାବେ ଉଚ୍ଚସ୍ତରୀୟ ସାକ୍ଷାତ ଆଲୋଚନା କରିଆସିଛନ୍ତି ଓ ଉଭୟଙ୍କ ମଧ୍ୟରେ ଏହି ନିବିଡ ସମ୍ପର୍କ ଲାଗି ସେମାନଙ୍କ ପ୍ରତିଶୃତିବଦ୍ଧତା ଦୋହୋରାଇଛନ୍ତି | ଇରାନ ରାଷ୍ଟ୍ରପତି ଡଃ ହାସନ ରୁହାନି ଗତବର୍ଷ ଭାରତ ଗସ୍ତରେ ଆସିଥିଲେ | ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଜାତିସଂଘ ସାଧାରଣ ସଭାର 74 ତମ ଅଧିବେଶନରେ ଯୋଗ ଦେବା ଅବସରରେ ନ୍ୟୁୟର୍କରେ ଇରାନ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିଲେ ଓ ଭାରତ-ଇରାନ ଦ୍ଵିପକ୍ଷୀୟ ସମ୍ପର୍କ ନେଇ ଆଳାପ ଆଲୋଚନା କରିଥିଲେ | ସମ୍ପ୍ରତ୍ତି ଶେଷ ହୋଇଥିବା ଯୁଗ୍ମ କମିଶନ ବୈଠକ ଭାରତ-ଇରାନ ଦ୍ଵିପକ୍ଷୀୟ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ସ୍ପଷ୍ଟ ପ୍ରତୀୟମାନ ହେଉଛି |

ମୂଳ ଲେଖା : ଡଃ ଆସିଫ ଶୁଜା, ଇରାନ ଉପରେ ସାମରିକ ବ୍ୟାପାରୀୟ ବିଶ୍ଳେଷକ 

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...