Skip to main content

ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତ ଯୋଗୁଁ ଦ୍ଵିପକ୍ଷୀୟ ରଣନୀତିକ ଭାଗୀଦାରୀତା ଆହୁରି ମଜବୁତ ହେବ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଭାରତରେ ଛତିଶ ଘଣ୍ଟାର ସରକାରୀ ଗସ୍ତ ସମାରୋହ ପୂର୍ଣ୍ଣ ଓ ଅତ୍ୟନ୍ତ ଫଳପ୍ରଦ ହୋଇଛି | ଭାରତ ଗସ୍ତ କରିବାରେ ସେ ହେଉଛନ୍ତି ସପ୍ତମ ଆମେରିକୀୟ ରାଷ୍ଟ୍ରପତି | ଗତ ଦୁଇ ଦଶନ୍ଧିରେ ସମସ୍ତ ଚାରି ଜଣ ଯାକ ରାଷ୍ଟ୍ରପତି ଭାରତ ଗସ୍ତ କରିଥିଲେ ଯେଉଁଥିରୁ ଭାରତ-ଆମେରିକା ମଧ୍ୟରେ ସମ୍ପର୍କ କେତେଯେ ନିବିଡ ରହିଛି ତାହା ସ୍ପଷ୍ଟ ଅନୁମେୟ ହେଉଛି | ରାଷ୍ଟ୍ରପତିଙ୍କ ସହ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ଫ, ଝିଅ ଇଭାଙ୍କା ଓ ଜୋଇଁ ଜେରେଡ କୁଶନର ତଥା ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଥିଲେ |

ରାଷ୍ଟ୍ରପତି ଟ୍ରମ୍ଫଙ୍କୁ ଅହମଦାବାଦରେ ଏକ ବିଶାଳ ଜନସମାଗମରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା | ସାବରମତି ଆଶ୍ରମ ପରିଦର୍ଶନ କରିବା ପରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦର ମୋଟେରା ଷ୍ଟାଡିୟମ ଠାରେ ଆୟୋଜିତ ନମସ୍ତେ ଟ୍ରମ୍ଫ କାର୍ଯ୍ୟକ୍ରମରେ ପ୍ରାୟ 1 ଲକ୍ଷ 25 ହଜାର ଜଣ ଉପସ୍ଥିତ ଥିବା ଏକ ଜନସମୁଦ୍ରରେ ଉଦବୋଧନ ଦେଇଥିଲେ | ଏଠାରେ ସ୍ମରଣ କରିଦିଆଯାଇପାରେ ଯେ ପାଞ୍ଚ ମାସ ପୂର୍ବେ ରାଷ୍ଟ୍ରପତି ଟ୍ରମ୍ଫ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁଷ୍ଟନରେ ଆୟୋଜିତ ହାଉଡି ମୋଦୀ କାର୍ଯ୍ୟକ୍ରମରେ ଭାରତୀୟ ଆମେରିକୀୟ ସମୁଦାୟର ଏକ ବିଶାଳ ସଭାରେ ସମ୍ବୋଧନ କରିଥିଲେ | ରାଷ୍ଟ୍ରପତି ଟ୍ରମ୍ଫ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିତ୍ବ ଓ ନେତୃତ୍ଵ ସହ ଭାରତର ଉପଲବ୍ଧି ଗୁଡିକ ବଖାଣିଥିଲେ | ସେ କହିଥିଲେ ଯେ ମାତ୍ର 70 ବର୍ଷରେ ଭାରତ ଏକ ପ୍ରମୁଖ ଅର୍ଥନୈତିକ ରାଷ୍ଟ୍ର ଭାବେ ଉଭା ହୋଇଛି, ଯାହାକି ଏକ ସର୍ବକାଳିନ ବିଶାଳ ଗଣତନ୍ତ୍ର ତଥା ବିଶ୍ଵର ସବୁଠୁ ବିସ୍ମୟକର ରାଷ୍ଟ୍ର | ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଉତ୍ତମ ବ୍ୟକ୍ତିଗତ ତାଳମେଳ ଥିବାର ସ୍ପଷ୍ଟ ପ୍ରତୀୟମାନ ହୋଇଥିଲା | ବିଶ୍ଵବିଖ୍ୟାତ ତାଜମହଲ ପରିଦର୍ଶନ ଲାଗି ଆଗ୍ରାକୁ ସ୍ୱଳ୍ପ ସମୟ ପାଇଁ ଯାତ୍ରା କରିବା ପରେ ରାଷ୍ଟ୍ରପତି ଟ୍ରମ୍ଫ ଓ ତାଙ୍କ ପ୍ରତିନିଧି ଦଳ ନୂଆଦିଲ୍ଲୀ ରେ ପହଞ୍ଚିଥିଲେ |

ନୂଆଦିଲ୍ଲୀରେ ପହଞ୍ଚିବା ପରେ ରାଷ୍ଟ୍ରପତି ଟ୍ରମ୍ଫଙ୍କୁ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଆନୁଷ୍ଠାନିକ ଭାବେ ଉଚ୍ଛ୍ଵସିତ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା | ଶ୍ରୀ ଟ୍ରମ୍ଫ ଓ ପ୍ରଥମ ମହିଳା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠ ରାଜଘାଟକୁ ଯାଇ ନିଜର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ | ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଟ୍ରମ୍ଫ ଆନୁଷ୍ଠାନିକ କଥାବାର୍ତ୍ତା କରିଥିଲେ | ଏହି କଥାବାର୍ତ୍ତାରେ ଆଞ୍ଚଳିକ ଓ ବୈଶ୍ଵିକ ପ୍ରସଙ୍ଗ ନେଇ ବ୍ୟାପକ ଆଲୋଚନା କରି ଦୁଇ ନେତା ପାକିସ୍ତାନକୁ ଏହା ନିଶ୍ଚିତ କରିବା ପାଇଁ କହିଥିଲେ ଯେ ସନ୍ତ୍ରାସବାଦ କାର୍ଯ୍ୟ ଲାଗି ଏହାର ନିୟନ୍ତ୍ରଣାଧୀନ କୌଣସି ଅଞ୍ଚଳର ଉପଯୋଗ ଯେପରି ନକରୁ ଏବଂ 26/11 ମୁମ୍ବାଇ ତଥା ପଠାନକୋଟ ଭଳି ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ | ଶ୍ରୀ ଟ୍ରମ୍ଫ, ଆଫଗାନିସ୍ତାନରେ ସମ୍ପର୍କ ମାର୍ଗ ସ୍ଥାପିତ କରିବା ଓ ସହାୟତା ପ୍ରଦାନ ଲାଗି ବିକାଶ ଓ ସୁରକ୍ଷା ସହାୟତା ପ୍ରଦାନ କ୍ଷେତ୍ରରେ ଭାରତର ଭୂମିକାକୁ ସ୍ଵାଗତ କରିଥିଲେ | ଏହା ପରେ ଉଭୟ ନେତା ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ନିଜର ବକ୍ତବ୍ୟ ରଖିଥିଲେ | ଶ୍ରୀ ଟ୍ରମ୍ଫ ବ୍ୟବସାୟିକ ନେତା ତଥା ଶିଲ୍ପପତି ମାନଙ୍କ ସହ ମଧ୍ୟ ବୈଠକ କରିଥିଲେ | ଶ୍ରୀ ଟ୍ରମ୍ଫଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ଵାରା ଆୟୋଜିତ ଏକ ନୈଶ୍ୟ ଭୋଜି ସଭାରେ ଆମେରିକା ରାଷ୍ଟ୍ରପତି ଓ ତାଙ୍କ ପ୍ରତିନିଧି ଦଳ ଯୋଗ ଦେଇଥିଲେ |

ଦୁଇ ଦେଶ ମଧ୍ୟରେ ବ୍ୟାପକ ବୈଶ୍ଵିକ ରଣନୀତିକ ଭାଗୀଦାରୀତା କ୍ଷେତ୍ରରେ ଏହି ଉଚ୍ଚ ସ୍ତରୀୟ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି | ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ କ୍ଷେତ୍ରରେ ଭାରତ ଏକ ପ୍ରମୁଖ ପ୍ରତିରକ୍ଷା ସହଯୋଗୀ ରାଷ୍ଟ୍ର ବୋଲି ରାଷ୍ଟ୍ରପତି ଟ୍ରମ୍ଫ ଦୋହୋରାଇଥିଲେ | ସେ ଏମଏଚ-60ଆର ନୌବାହିନୀ ଜାହାଜ ଓ ଏମଏଚ-64ଇ ଅପାଚେ ହେଲିକେପ୍ଟର କ୍ରୟ ନେଇ ଭାରତର ନିଷ୍ପତ୍ତି ପ୍ରତି ମଧ୍ୟ ସ୍ଵାଗତ ଜଣାଇଥିଲେ |

ଏହି ଗସ୍ତ କାଳରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ରଣନୀତିକ ସହଯୋଗ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା | ଭାରତରେ ଅକ୍ଷୟ ଶକ୍ତି ପ୍ରକଳ୍ପ ଲାଗି 600 ନିୟୁତ ଆମେରିକୀୟ ଡଲାରର ଆର୍ଥିକ ସହାୟତା ସହ ଭାରତରେ ଏକ ସ୍ଥାୟୀ ବ୍ୟବସ୍ଥା ସ୍ଥାପିତ କରିବା ଲାଗି ଆମେରିକା ଆନ୍ତର୍ଜାତୀୟ ବିକାଶ ଆର୍ଥିକ ନିଗମ (ଡ଼ିଏଫସି) ପ୍ରତିଷ୍ଠା କରିବା ଏଦିଗରେ ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ ବୋଲି ବିବେଚନା କରାଯାଉଛି |

ଆଭ୍ୟନ୍ତରୀଣ ସୁରକ୍ଷା ସହଯୋଗକୁ ଆହୁରି ମଜବୁତ କରିବା ଲାଗି ମଧ୍ୟ ସ୍ଥିର କରାଯାଇଛି | ପରସ୍ପରର ନ୍ୟାୟ ବ୍ୟବସ୍ଥା ସଂସ୍ଥା ମଧ୍ୟରେ ଏକ ନୂତନ କ୍ରିୟାନ୍ବୟନ ଗୋଷ୍ଠୀ ଗଠନ ଲାଗି ଉଭୟେ ରାଜି ହୋଇଛନ୍ତି | ବାଣିଜ୍ୟ ସଙ୍କ୍ରାନ୍ତୀୟ ଜଟିଳ ପ୍ରସଙ୍ଗ ଉପରେ ମଧ୍ୟ ପ୍ରଗତି ପରିଲକ୍ଷିତ ହୋଇଛି , ଉଭୟ ପକ୍ଷ ଖୁବ ଶୀଘ୍ର ଏକ ସ୍ଵତନ୍ତ୍ର ଚୁକ୍ତିରେ ଉପନୀତ ହେବା ଲାଗି ସହମତି ପ୍ରକାଶ କରିଥିବା ବେଳେ ବାଣିଜ୍ୟ କାରବାର ଉପରେ ବ୍ୟାପକ ଦ୍ଵିପକ୍ଷୀୟ ରାଜିନାମା ନେଇ ମଧ୍ୟ କଥାବାର୍ତ୍ତା କରିଛନ୍ତି ଯାହା ଦୁଇ ରାଷ୍ଟ୍ରର ଅର୍ଥବ୍ୟବସ୍ଥାର ପୂର୍ଣ୍ଣ ସାମର୍ଥ୍ୟକୁ ପ୍ରତିଫଳିତ କରିଥାଏ | 

ଶ୍ରୀ ଟ୍ରମ୍ଫଙ୍କ ଭାରତ ଗସ୍ତ ଫଳରେ ଭାରତ ଓ ଆମେରିକା ମଧ୍ୟରେ ଶକ୍ତି ସହଯୋଗ, ମହାକାଶ, ଶିକ୍ଷା ଓ ସ୍ୱାସ୍ଥ୍ୟ ସହଯୋଗ କ୍ଷେତ୍ର ଆହୁରି ମଜବୁତ ହେବ ବୋଲି ବିବେଚନା କରାଯାଉଛି | ଏହି ଅବସରରେ ଆମେରିକା ରାଷ୍ଟ୍ରପତି, ପରମାଣୁ ଯୋଗାଣକାରୀ ଗୋଷ୍ଠୀ (ଏନଏସଜି)ରେ ପ୍ରବେଶ ସହ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଲାଗି ୱାଶିଙ୍ଗଟନର ସମର୍ଥନ ରହିଥିବା କଥା ସ୍ପଷ୍ଟ କରିଛନ୍ତି | ବାସ୍ତବରେ ଶ୍ରୀ ଟ୍ରମ୍ଫଙ୍କ ଭାରତ ଗସ୍ତ ଏକ ଫଳପ୍ରଦ ଓ ଅବିସ୍ମରଣୀୟ ଗସ୍ତ ଥିଲା ବୋଲି କହିଲେ ଅତ୍ଯୁକ୍ତି ହେବ ନାହିଁ | 

ମୂଳ ଲେଖା : ନବତେଜ ସରନା, ଆମେରିକାରେ ଭାରତର ପୂର୍ବତନ ରାଷ୍ଟ୍ରଦୂତ 



ଅନୁବାଦ : ରୀତା ଯୋଶୀ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...