ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସମ୍ପର୍କରେ ଅଗ୍ରଗତି ସହ 2020 ବର୍ଷର ଅୟମାରମ୍ଭ ହୋଇଛି | ଗତମାସରେ ନ୍ୟୁଜିଲାଣ୍ଡର ଅପ୍ରବାସୀ ମନ୍ତ୍ରୀ ଇୟାନ ଲିସ-ଗାଲୋୱେ ମୁମ୍ବାଇ ଗସ୍ତରେ ଆସିଥିବା ବେଳେ ଫେବୃୟାରିରେ ଦେଶର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ୱିନଷ୍ଟିନ ପିଟର୍ସ ଏବଂ ବାଣିଜ୍ୟ ମନ୍ତ୍ରୀ ଡେଭିଡ ପାର୍କରଙ୍କ ସହ ଏକ ବ୍ୟବସାୟିକ ପ୍ରତିନିଧି ଦଳ ଦ୍ଵାରା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତ ହୋଇଥିଲା | ଏହି ଗସ୍ତ ଯୋଗୁଁ ଦୁଇ ଦେଶ ମଧ୍ୟରେ ସମ୍ପର୍କର ବହୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି |
ଐତିହାସିକ ଦୃଷ୍ଟିରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବ୍ରିଟିଶ ଉପନିବେଶ ଶାସନ, ସଂସଦୀୟ ପ୍ରଣାଳୀ ଶାସନର ବିକାଶ ଏବଂ ରାଷ୍ଟ୍ରଗୋଷ୍ଠୀ ମାଧ୍ୟମରେ ସହଭାଗିତା ଭଳି ଅନେକ ସାମଞ୍ଜସ୍ୟତା ରହିଛି | ଏହା ବ୍ୟତୀତ ଦୁଇ ଦେଶ ଦ୍ଵିପାକ୍ଷିକ ଓ ଭାରତ-ପ୍ରଶାନ୍ତ ମହାସାଗରରେ ବିସ୍ତୃତ ଭାବରେ ସେମାନଙ୍କ ଆପୋଷ ହିତସାଧନକାରୀ ତଥା ଏକାଭିମୁଖତା କ୍ଷେତ୍ରରେ ବୁଝାମଣା ଲାଗି ଇଚ୍ଛା ଜାହିର କରିଛନ୍ତି | ଏହି ପରିପ୍ରେକ୍ଷୀରେ ନ୍ୟୁଜିଲାଣ୍ଡର ଉପ ପ୍ରଧାନମନ୍ତ୍ରୀ “ଭାରତ 2025- ସମ୍ପର୍କରେ ବିନିଯୋଗ” ଶୀର୍ଷକ ଏକ ନୁତନ ରଣନୀତିକ ଦସ୍ତାବିଜ ଜାରି କରିଛନ୍ତି ଯାହାକି କେତୋଟି ନିର୍ଦ୍ଦିଷ୍ଟ କ୍ଷେତ୍ର ସହ ସମ୍ପର୍କକୁ ଆହୁରି ଆଗକୁ ବଢାଇବ |
ଦ୍ଵିପାକ୍ଷିକ ଭାବେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାରକୁ ପ୍ରୋତ୍ସାହିତ କରିବା ଏହି ଗସ୍ତର ମୂଳ ଉଦ୍ଦେଶ୍ୟ ଥିଲା | ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବାଣିଜ୍ୟ ପରିମାଣ ଅପେକ୍ଷାକୃତ କମ ରହି ପାଖାପାଖି 1.5 ବିଲିୟନ ନ୍ୟୁଜିଲାଣ୍ଡ ଡଲାର ରହିଥିବା ବେଳେ ଉଭୟ ସାମଗ୍ରୀ ଓ ସେବା ସମେତ ଦ୍ଵିପକ୍ଷୀୟ ବାଣିଜ୍ୟ 2.64 ବିଲିୟନ ନ୍ୟୁଜିଲାଣ୍ଡ ଡଲାର ରହିଛି | ବାଣିଜ୍ୟ ମନ୍ତ୍ରୀ ଓ ବ୍ୟବସାୟିକ ପ୍ରତିନିଧି ଦଳ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି କରିବା ଉପରେ ପ୍ରାଧାନ୍ୟ ଦେଇଥିଲେ ଏବଂ ଏକ ଭାରତ-ନ୍ୟୁଜିଲାଣ୍ଡ ଦ୍ଵିପାକ୍ଷିକ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ଦିଗକୁ ଅଗ୍ରସର ହେବା ନେଇ ଆଳାପ ଆଲୋଚନା କରିଥିଲେ | ଆଞ୍ଚଳିକ ବିସ୍ତୃତ ଅର୍ଥନୈତିକ ଭାଗିଦାରୀତା (ଆରସିଇପି) ରୁ ପ୍ରତ୍ୟାହାର ହୋଇଯାଇଥିବା ଦୃଷ୍ଟିରୁ ଭାରତ ମଧ୍ୟ ନ୍ୟୁଜିଲାଣ୍ଡ ସହିତ ଦ୍ଵିପକ୍ଷୀୟ ସ୍ତରର ମୁକ୍ତ ବାଣିଜ୍ୟ ରାଜିନାମାରେ ଉପନୀତ ହେବାକୁ ଚାହିଁବ |
ୱେଲିଙ୍ଗଟନ ସମ୍ପ୍ରତି ଭାରତ-ପ୍ରଶାନ୍ତ ମହାସାଗରର ରଣନୀତିକ ବାସ୍ତବତାକୁ ସମର୍ଥନ କରୁଛି । ଆଞ୍ଚଳିକ ପରିପ୍ରେକ୍ଷୀରେ ଏକ ବୃହତ ଢାଞ୍ଚା ମଧ୍ୟରେ ୱେଲିଙ୍ଗଟନ ନୂଆଦିଲ୍ଲୀ ସହ ଘନିଷ୍ଠ ସମ୍ପର୍କର ମହତ୍ଵ ଉପରେ ପ୍ରାଥମିକତା ଦେଉଛି | ଆଜି ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ଆଞ୍ଚଳିକ ଆର୍ଥିକ ମାମଲାରେ ଭାରତ-ପ୍ରଶାନ୍ତ ବଦଳରେ ଏସିଆ-ପ୍ରଶାନ୍ତ ଶବ୍ଦାବଳୀର ପ୍ରୟୋଗ କରିଆସୁଥିଲା | ଏହାର କାରଣ ଆଞ୍ଚଳିକ ପରିବର୍ତ୍ତେ ବ୍ୟାପକ ଆନ୍ତର୍ଜାତୀୟ ପରିଦୃଶ୍ୟକୁ ପ୍ରାଧାନ୍ୟ ଦେବା ହୋଇଥାଇପାରେ | ଭୌଗୋଳିକ ଦୃଷ୍ଟିରୁ ନ୍ୟୁଜିଲାଣ୍ଡ ପ୍ରଶାନ୍ତ ମହାସାଗର ର ଦକ୍ଷିଣ ଭାଗରେ ଅବସ୍ଥିତ | ତେଣୁ ଏହି ଦେଶ ଏହାର ଜାତୀୟ ସ୍ଵାର୍ଥ ସାଧନ ଲାଗି ଏସିଆ-ପ୍ରଶାନ୍ତ ଆଞ୍ଚଳିକ ପରିଚୟର ଉପଯୋଗ କରିଆସୁଛି ।
ତେବେ ନ୍ୟୁଜିଲାଣ୍ଡ ତଥା ଅନେକ ଆଞ୍ଚଳିକ ରାଷ୍ଟ୍ରମାନଙ୍କୁ ବର୍ତ୍ତମାନର ଭୂ-ରାଜନୈତିକ ବାଧ୍ୟତା ଯୋଗୁଁ ପାରମ୍ପରିକ ଗ୍ରହଣୀୟ ସର୍ତ୍ତରୁ ଉପରକୁ ଯାଇ, ଆଞ୍ଚଳିକ ତଥା ବିଶ୍ଵ ସ୍ତରରେ ଶାନ୍ତିଶ୍ରୁଙ୍ଖଳା ବଜାୟ ରଖିବା ଲାଗି ଢାଞ୍ଚାଗତ ପରିବର୍ତ୍ତନ କରିବା ଆବଶ୍ୟକ। ଭାରତ-ପ୍ରଶାନ୍ତକୁ ଏହାର ବୈଦେଶିକ ନୀତିରେ ଗୁରୁତ୍ଵ ଦେଇ ନ୍ୟୁଜିଲାଣ୍ଡ, ଭାରତ ସହ ନୁତନ କ୍ଷେତ୍ର ଗୁଡିକରେ ସହଯୋଗ ବୃଦ୍ଧି କରିଛି । ଭାରତ ମହାସାଗରରେ ନିଜର ସ୍ଥିତି ତଥା ଭାରତ-ପ୍ରଶାନ୍ତ ମହାସାଗରର ସାମୁଦ୍ରିକ ଅଞ୍ଚଳରେ ଏହାର ବୃହତ ତଥା ଦୀର୍ଘକାଳୀନ ସ୍ଵାର୍ଥ ଦୃଷ୍ଟିରୁ ଭାରତର ଏଦିଗରେ ଯଥେଷ୍ଟ ମହତ୍ଵ ରହିଛି | ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଆପୋଷ ସହଭାଗିତା ପ୍ରସଙ୍ଗ ନେଇ ସ୍ପଷ୍ଟ ଆଭିମୁଖ୍ୟ ରହିଛି ଯାହାର ସିଦ୍ଧାନ୍ତ ଜାତିସଂଘ ସାମୁଦ୍ରିକ ଆଇନ ସମ୍ମିଳନୀ ର ନୀତି ନିୟମାବଳୀକୁ ଆଧାର କରି କରାଯାଇପାରେ । ଦୁଇ ଦେଶ ମଧ୍ୟରେ ଭବିଷ୍ୟତରେ ହେବାକୁ ଥିବା କଥାବାର୍ତ୍ତାରେ ମଧ୍ୟ ଏହା ମୁଖ୍ୟ ଆଲୋଚ୍ୟ ବିଷୟ ହେବ |
ବହୁପକ୍ଷୀୟ ସ୍ତରରେ ଦୁଇ ଦେଶ ଅନେକ ଆନ୍ତର୍ଜାତୀୟ ସଂସ୍ଥାରେ ସହଭାଗୀ ଅଛନ୍ତି | ଏଥିମଧ୍ୟରେ ପୂର୍ବ ଏସିଆ ସମ୍ମିଳନୀ (ଇଏଏସ) ଏବଂ ଆସିଆନ ପ୍ରତିରକ୍ଷା ମନ୍ତ୍ରୀ ମିଟିଙ୍ଗ ପ୍ଲସ (ଏଡ଼ିଏମଏମ +) ବୈଠକ ଉଲ୍ଲେଖନୀୟ ଅଟେ, ଯାହା ଜରିଆରେ ଆଞ୍ଚଳିକ ସ୍ତରରେ ମଧ୍ୟ ସେମାନଙ୍କ ପାରସ୍ପରିକ ସମ୍ପର୍କ ବୃଦ୍ଧି କରାଯାଇପାରିବ | ଏହା ଉଭୟ ଦେଶକୁ ଏକ ସାଧାରଣ ନିୟମ ଅନୁଯାୟୀ ସ୍ଥିରତା ଓ ଶାନ୍ତି ପ୍ରୋତ୍ସାହନ ଲାଗି ଆଞ୍ଚଳିକ ସ୍ତରରେ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ଲାଗି ସହାୟତା କରିଥାଏ | ଭାରତ ନିଜର ବୈଦେଶିକ ନୀତିରେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶକୁ ସାମିଲ କରିଥିବାବେଳେ, ନ୍ୟୁଜିଲାଣ୍ଡ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବିବେଚନା କରାଯାଉଛି |
ମୂଳ ଲେଖା : ପ୍ରଫେସର ଶଙ୍କରୀ ସୁନ୍ଦରାରମଣ
ଅନୁବାଦ : ରୀତା ଯୋଶୀ
Comments
Post a Comment