ପାର୍ଲାମେଣ୍ଟରେ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହେବା ପରେ ସଭାଗୃହର ଉଭୟ ସଦନରେ ମହତ୍ବପୂର୍ଣ୍ଣ କାର୍ଯ୍ୟଧାରା ଚାଲିଥିଲା | ବଜେଟ ଅଧିବେଶନ ସମୟରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୁଦ୍ଧରେ ଅନେକ ବିରୋଧୀ ପାର୍ଟି ସ୍ଵର ଉତ୍ତୋଳନ କରି ପ୍ରବଳ ତୁମ୍ବି ତୋଫାନ ଜାରି ରଖିଥିବା ବେଳେ ସଭାଗୃହର ଅଧ୍ୟକ୍ଷଙ୍କ ଦ୍ଵାରା ଅନୁମତି ପ୍ରାପ୍ତ ସବୁ ପ୍ରସଙ୍ଗ ନେଇ କଥାବାର୍ତ୍ତା ଲାଗି ପ୍ରସ୍ତୁତ ଅଛନ୍ତି ବୋଲି ସରକାର କହିଥିଲେ | ଚଳିତ ଅଧିବେଶନ ଲାଗି ସରକାରଙ୍କ କାର୍ଯ୍ୟସୂଚୀରେ 45ଟି ବିଲ ଓ ସାତୋଟି ଆର୍ଥିକ ପ୍ରସଙ୍ଗ ସାମିଲ ରହିଛି | ପାର୍ଲାମେଣ୍ଟରେ ବିରୋଧୀ ପାର୍ଟି ଗୁଡିକ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ଅଛନ୍ତି।
ନାଗରିକତା ସଂଶୋଧନ ଆଇନ, ଏନପିଆର ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବିରୋଧୀ ପାର୍ଟି ଗୁଡିକ ପ୍ରବଳ ହଟ୍ଟଗୋଳ ସୃଷ୍ଟି କଲାରୁ ରାଜ୍ୟସଭାର କାର୍ଯ୍ୟଧାରାକୁ ମୁଲତବୀ ରଖାଯାଇଥିଲା | ଏହା ପରେ ସଭାଗୃହର କାର୍ଯ୍ୟଧାରା ଆରମ୍ଭ ହେବା କ୍ଷଣି କଂଗ୍ରେସ, ବାମପନ୍ଥୀ, ଟିଏମସି, ଡ଼ିଏମକେ ଓ ଏସପି ପାର୍ଟି ର ସଦସ୍ୟ ମାନେ ସଭାଗୃହର ମଧ୍ୟ ଭାଗକୁ ଚାଲି ଆସି ସ୍ଲୋଗାନ ମାନ ଦେଇଥିଲେ। ସଭାଗୃହରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଉପାଧ୍ୟକ୍ଷ ହରିବଂଶ, ପାର୍ଲାମେଣ୍ଟର ଉଭୟ ସଦନର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ। ସଭାଗୃହର ନେତା ଥାୱର ଚାନ୍ଦ ଗେହଲୋତ ସଦନର କାର୍ଯ୍ୟଧାରା ଚଳେଇବା ଲାଗି ବିରୋଧୀ ପକ୍ଷକୁ ନିବେଦନ କରିବା ସତ୍ତ୍ୱେ କାର୍ଯ୍ୟଧାରା ଚାଲିପାରିନଥିଲା | ବିରୋଧୀ ପାର୍ଟି ଗୁଡିକ ସିଏଏ, ଏନପିଆର ଓ ତତସଙ୍କ୍ରାନ୍ତୀୟ ପ୍ରସଙ୍ଗ ଉପରେ ମୁଲତବୀ ନୋଟିସ ଦେଇଥିଲେ, ହେଲେ ସଭାଗୃହର ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୂ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ଏବଂ ସଭାଗୃହର କାର୍ଯ୍ୟଧାରା ଜାରି ରଖିବା ଲାଗି କହିଥିଲେ ।
ସଭାଗୃହରେ ଓମାନର ଦିବଙ୍ଗତ ସୁଲତାନ କବୁସ ବିନ ସଇଦ ଅଲ ସଇଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା | ଏଥିସହିତ ଅଷ୍ଟ୍ରେଲିଆରେ ଭୟଙ୍କର ଜଙ୍ଗଲ ଅଗ୍ନିକାଣ୍ଡ ଯୋଗୁଁ ବହୁ ଜଣ ମୃତାହତ ହୋଇଥିବା ଘଟଣା ପ୍ରତି ମଧ୍ୟ ଗଭୀର ଶୋକ ପ୍ରକାଶ କରାଯାଇଥିଲା | କରୋନା ଭାଇରସ, ପିଆଜ ରପ୍ତାନି ଓ ରାଜସ୍ଥାନରେ ପଙ୍ଗପାଳ ଆକ୍ରମଣ ଭଳି ପ୍ରସଙ୍ଗ ନେଇ ସାଂସଦ ମାନେ ମୁଖ୍ୟତଃ ଆଲୋଚନା କରିଥିଲେ |
ଲୋକସଭାରେ ମଧ୍ୟ କଂଗ୍ରେସ ନେତୃତ୍ଵାଧୀନ ବିରୋଧୀ ସଦସ୍ୟ ମାନେ ପ୍ରବଳ ହୋହାଲ୍ଲା ଜାରି ରଖିଥିଲେ | ସଦନରେ କାର୍ଯ୍ୟଧାରା ଆରମ୍ଭ ହେବା କ୍ଷଣି କଂଗ୍ରେସ, ଡ଼ିଏମକେ, ବିଏସପି ଓ ବାମପନ୍ଥୀ ଦଳର ସାଂସଦ ମାନେ ସଭାଗୃହର ମଧ୍ୟ ଭାଗକୁ ଚାଲି ଯାଇ ସ୍ଲୋଗାନ ମାନ ଦେଇଥିଲେ | ଏହି ସଦସ୍ୟ ମାନେ ନାଗରିକତା ସଂଶୋଧନ ଆଇନ ଓ ଜାତୀୟ ନାଗରିକ ପଞ୍ଜୀକରଣ ଉପରେ ସ୍ଲୋଗାନ ମାନ ଦେଇ ପ୍ରବଳ ପାଟିତୁଣ୍ଡ କରିଥିଲେ |
ସୁପ୍ରିମ କୋର୍ଟଙ୍କ ଆଦେଶାନୁଯାୟୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଏକ ଟ୍ରଷ୍ଟ ଗଠନ କରିବା ବିଷୟ ନେଇ ଲୋକସଭାରେ, ଗତ 5 ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଚଳିତ ସପ୍ତାହର ପ୍ରମୁଖ ପ୍ରସଙ୍ଗ ଥିଲା |ସୂଚନାଯୋଗ୍ୟ ଯେ ଗତବର୍ଷ ନଭେମ୍ବର ମାସରେ ରାମ ଜନ୍ମଭୂମି – ବାବ୍ରି ମସଜିଦ ମାମଲାରେ ସୁପ୍ରିମ କୋର୍ଟ ଐତିହାସିକ ରାୟ ପ୍ରଦାନ କରି ରାମ ମନ୍ଦିର ନିର୍ମାଣ ଲାଗି ଆଦେଶ ଦେଇଥିଲେ |
ନାଗରିକତା ସଂଶୋଧନ ଆଇନ ଓ ପ୍ରସ୍ତାବିତ ଜାତୀୟ ନାଗରିକ ପଞ୍ଜୀକରଣ, ଏନଆରସି ବିରୁଦ୍ଧରେ ପ୍ରତିବାଦ କରାଯାଉଥିବା ବେଳେ ଦେଶବ୍ୟାପୀ ଏନଆରସିକୁ ଲାଗୁ କରିବା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ସରକାର ଲୋକସଭାରେ ନିଜ ଆଭିମୁଖ୍ୟ ଦୋହୋରାଇଥିଲେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଜନସଂଖ୍ୟା ପଞ୍ଜୀକରଣ (ଏନପିଆର)ର ପ୍ରାକ-ଜନଗଣନା ଅପଡେଟ ପାଇଁ ସଂଗ୍ରହ କରାଯାଉଥିବା ବ୍ୟକ୍ତିଗତ ଡାଟା ଉପରେ ଉପୁଜୁଥିବା ଆଶଙ୍କାକୁ ଖଣ୍ଡନକରି, ଏହି ପ୍ରକ୍ରିୟା ସମୟରେ କୌଣସି ଦସ୍ତାବେଜ ସଂଗ୍ରହ କରାଯିବ ନାହିଁ ଏବଂ ଆଧାର ନମ୍ବର ପ୍ରଦାନ କରିବା ସ୍ଵେଚ୍ଛାକୃତ ହେବ ବୋଲି ସ୍ପଷ୍ଟ କରିଛନ୍ତି | ପ୍ରଧାନମନ୍ତ୍ରୀ କହିଥିଲେ ଯେ 2010 ମସିହାରେ ୟୁପିଏ ସରକାରଙ୍କ ଦ୍ଵାରା ଏନପିଆର ଆରମ୍ଭ କରାଯାଇଥିଲା ଏବଂ ଲୋକ ମାନଙ୍କୁ ଫାଇଦା ପହଞ୍ଚାଇବା ପାଇଁ ଏହା ଉଦ୍ଦିଷ୍ଟ ଅଟେ | ଲୋକମାନଙ୍କ ହିତସାଧନ କ୍ଷେତ୍ରରେ ରାଜନୀତି କରିବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ | ଏନଆରସି ଉପରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ ଯେ ସରକାର ଜାତୀୟ ସ୍ତରରେ ଭାରତୀୟ ନାଗରିକ ମାନଙ୍କ ଜାତୀୟ ପଞ୍ଜୀକରଣ ପ୍ରସ୍ତୁତ ଲାଗି ଏଯାଏଁ କୌଣସି ନିଷ୍ପତ୍ତି ନେଇନାହାନ୍ତି |
ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ସମ୍ବିଧାନର ଧାରା 370 ର ଉଚ୍ଛେଦ ଯୋଗୁଁ ଦେଶର ଅନ୍ୟ ଭାଗ ସହ ଜାମ୍ମୁ ଓ କାଶ୍ମୀର ର ସମ୍ପୁର୍ଣ୍ଣ ଏକୀକରଣ ହୋଇପାରିଛି | ସେ ଜାମ୍ମୁ ଓ କାଶ୍ମୀରକୁ ଭାରତର ମୁକୁଟ ବୋଲି ବର୍ଣ୍ଣନା କରିବା ସହ ଜାମ୍ମୁ ଓ କାଶ୍ମୀରର ପ୍ରକୃତ ପରିଚୟ ସବୁ ଧର୍ମ ଓ ଏହାର ସୁଫି ପରମ୍ପରା ପ୍ରତି ଏହାର ସମତାବାଦୀ ଆଭିମୁଖ୍ୟ ବୋଲି କହିଥିଲେ |
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ରାମ ଜନ୍ମଭୂମି ମାମଲା ନେଇ ରାୟ ପ୍ରକାଶ ପାଇବା ପରେ ଭାରତର ଲୋକ ମାନେ ଗଣତାନ୍ତ୍ରିକ ପ୍ରକ୍ରିୟା ଓ କାର୍ଯ୍ୟପଦ୍ଧତି ଉପରେ ଦୃଢ ବିଶ୍ଵାସ ପ୍ରଦର୍ଶନ କରିଛନ୍ତି | ସେ କହିଥିଲେ “ଆସ ଆମେ ସବୁ ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ଲାଗି ସମର୍ଥନ କରିବା”| ସରକାରଙ୍କ ଏହି ପଦକ୍ଷେପକୁ ଶାସକ ପାର୍ଟିର ସଦସ୍ୟ ମାନେ ସମର୍ଥନ ଜଣାଇ ସ୍ଲୋଗାନ ମାନ ଦେଇଥିଲେ | ସରକାର ଦେବାଳିଆ ଆଇନ (ସଂଶୋଧନ) ଅଧ୍ୟାଦେଶ, 2019 ଓ ଖଣିଜ ଆଇନ (ସଂଶୋଧନ) ଅଧ୍ୟାଦେଶ, 2020 କୁ ଆଇନରେ ପରିଣତ କରିବା ସକାଶେ ଚଳିତ ଅଧିବେଶନରେ ବିଲ ଆଗତ କରିବାର କାର୍ଯ୍ୟସୂଚୀ ରହିଛି ।
ମୂଳ ଲେଖା : ଯୋଗେଶ ସୂଦ , ସାମ୍ବାଦିକ
ଅନୁବାଦ : ରୀତା ଯୋଶୀ
Comments
Post a Comment