Skip to main content

ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟା ଉପରେ ଭର୍ଚୁଆଲ ସମ୍ମିଳନୀ

କାବୁଲ, ଆଫଗାନିସ୍ତାନର ଶାନ୍ତି ପ୍ରକ୍ରିୟା ଉପରେ ଏକ ସପ୍ତାହ ବ୍ୟାପୀ ଭର୍ଚୁଆଲ ଆନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରୁଛି | ଦେଶରେ ବନ୍ଧୁତ୍ଵ ସ୍ଥାପନ ପ୍ରକ୍ରିୟା ଉପରେ ଜନମତ ସୃଷ୍ଟି କରିବା ତଥା ଶାନ୍ତି ପ୍ରତିଷ୍ଠା ଉପରେ ଆଲୋଚନା ଲାଗି ପ୍ରେସିଡେନ୍ସିଆଲ ପେଲେସ ଦ୍ଵାରା ଏହି ସମ୍ମିଳନୀର ଆୟୋଜନ କରାଯାଇଛି | ଏହି ସମ୍ମିଳନୀରେ 19ଟି ଦେଶ ଓ ଆନ୍ତର୍ଜାତୀୟ ସଂଗଠନର ପ୍ରତିନିଧି ମାନେ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି | ଇରାନ, ଭାରତ, ପାକିସ୍ତାନ, ଆଜାରବାଇଜାନ, ଇଜିପ୍ଟ, ଚୀନ, କାଜାଖସ୍ତାନ, କିରଗିଜସ୍ତାନ, କାତାର, ସାଉଦିଆରବ, ରୁଷିଆ, ତାଜିକିସ୍ତାନ, ତୁର୍କମେନିସ୍ତାନ, ଉଜବେକିସ୍ତାନ, ତୁର୍କୀ, ସଂଯୁକ୍ତ ଆରବ ଏମିରେଟ୍ସ, ସଂଯୁକ୍ତ ରାଷ୍ଟ୍ର ଆମେରିକା, ଇସଲାମିକ ସହଯୋଗ ସଂଗଠନ ଓ ଜାତିସଂଘ ଆଦି ଏହି ଶିଖର ବୈଠକରେ ଯୋଗ ଦେବେ | ଦେଶର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ମହମ୍ମଦ ହାନିଫ ଅଟମାର ଏହି ସମ୍ମିଳନୀର ଆୟୋଜକ ହେବେ | ଆଫଗାନ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ସପ୍ତାହ ବ୍ୟାପୀ ହେବାକୁ ଥିବା ଶିଖର ବୈଠକରେ ଏହି ଦେଶ ତଥା ଆନ୍ତର୍ଜାତୀୟ ସଂଗଠନର ପ୍ରତିନିଧି ମାନେ ହିଂସା ହ୍ରାସ, ତାଲିବାନ ବନ୍ଦୀ ମାନଙ୍କୁ ମୁକ୍ତ କରିବା, ଆନ୍ତଃ ଆଫଗାନ କଥାବାର୍ତ୍ତା ଆରମ୍ଭ କରିବା ଓ ଅସ୍ତ୍ରବିରତି ଆଦି ପ୍ରସଙ୍ଗ ଉପରେ ମୁଖ୍ୟତଃ ଆଲୋଚନା କରିବେ |

ଆଫଗାନିସ୍ତାନ ସରକାର ଦେଶରେ ଶାନ୍ତି ଓ ସ୍ଥିରତା ବଜାୟ ରଖି ଯୁଦ୍ଧର ପରିସମାପ୍ତି ଘଟାଇବା ଲାଗି ଆଫଗାନ ମଧ୍ୟରେ ତୁରନ୍ତ ବୁଝାମଣା ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରତିଶୃତିବଦ୍ଧ ଥିବା ବେଳେ ଶାନ୍ତି ପ୍ରକ୍ରିୟାରେ ଏବେ ମଧ୍ୟ ଅନେକ ବାଧା ବିଘ୍ନ ଦେଖାଦେଉଛି | ଆନ୍ତଃ ଆଫଗାନ ବୁଝାମଣା ପ୍ରକ୍ରିୟାରେ ବିଳମ୍ବ ହେବାର ଏକ ମୁଖ୍ୟ କାରଣ ହେଲା ଚଳିତ ବର୍ଷ ଫେବୃଆରୀ ଶେଷ ବେଳକୁ ଆମେରିକା-ତାଲିବାନ ମଧ୍ୟରେ ସ୍ବାକ୍ଷରିତ ରାଜିନାମାନୁଯାୟୀ 5,000 ବନ୍ଦୀ ମଧ୍ୟରୁ ଖଲାସ କରିବାକୁ ଥିବା 597ଜଣ ବନ୍ଦୀଙ୍କୁ ମୁକ୍ତ କରିବା ଲାଗି ଆଫଗାନ ସରକାରଙ୍କ ଅସମ୍ମତି ପ୍ରକାଶ କରିବା | ଆଫଗାନ ସରକାରଙ୍କ କହିବାନୁଯାୟୀ ଏପର୍ଯ୍ୟନ୍ତ 4,015 ଜଣ ତାଲିବାନ କଏଦୀଙ୍କୁ ମୁକ୍ତ କରାଯାଇସାରିଲାଣି ଓ ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ହେଲେ ଏହି 597 ଜଣ କଏଦୀଙ୍କ ବିରୁଦ୍ଧରେ ବହୁ ଗମ୍ଭୀର “ନୈତିକ ଅପରାଧ” ମାମଲା ରହିଥିବାରୁ ସେମାନଙ୍କୁ ମୁକ୍ତ କରିବା ପାଇଁ ପୁନର୍ବିଚାର କରିବା ଆବଶ୍ୟକ | ଆଗାମୀ ସପ୍ତାହରେ ତାଲିବାନ ସହ ଆଫଗାନ ସରକାରଙ୍କ ବୁଝାମଣାକାରୀ ଟିମ ପ୍ରଥମଥର ଲାଗି ବୈଠକ କରିବାକୁ ପ୍ରସ୍ତୁତ ହୋଇଥିବା ବେଳେ ଦେଶରେ ସାଧାରଣ ଲୋକ ଓ ନିରାପତ୍ତାବାହିନୀକୁ ଲକ୍ଷକରି ପ୍ରତିଦିନ ଆକ୍ରମଣ, ବୋମାବିସ୍ଫୋରଣ ଓ ହତ୍ୟା ଆଦି ହିଂସାତ୍ମକ ଘଟଣା ଜାରି ରହିଛି | 

ଚଳିତ ବର୍ଷ ଫେବୃଆରୀ 29ରେ ଆମେରିକା-ତାଲିବାନ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହେବା ସତ୍ତ୍ୱେ କଏଦୀ ମାନଙ୍କୁ ଖଲାସ କରିବା ପ୍ରସଙ୍ଗ ନେଇ ତାଲିବାନ ଓ ଆଫଗାନ ସରକାରଙ୍କ ମଧ୍ୟରେ ମତପାର୍ଥକ୍ୟ ଥିବାରୁ ଆଫଗାନିସ୍ତାନରେ ଶାନ୍ତି ପ୍ରକ୍ରିୟାରେ ବାଧା ପହଞ୍ଚିଛି | ମାର୍ଚ୍ଚ 10 ତାରିଖର ଆନ୍ତଃ ଆଫଗାନ କଥାବାର୍ତ୍ତା ଆରମ୍ଭ କରିବା ପାଇଁ ସମୟ ଧାର୍ଯ୍ୟ ହୋଇଥିଲେ ସୁଦ୍ଧା ଏହା ଅସମ୍ଭବ ପରି ମନେ ହେଉଥିଲା | ମୋଟାମୋଟି ଭାବେ କହିବାକୁ ଗଲେ କୋଭିଡ-19 ମହାମାରୀ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ସମୟରେ ରାଷ୍ଟ୍ରପତି ଘାନୀ ଓ ତାଙ୍କ ପ୍ରତିଦ୍ଵନ୍ଦୀ ଅବଦୁଲ୍ଲା ଅବଦୁଲ୍ଲାଙ୍କ ମଧ୍ୟରେ ରାଜନୈତିକ ଅଚଳାବସ୍ଥା , ସହାୟତା ହ୍ରାସ ପାଇବାର ବଢୁଥିବା ଆଶଙ୍କା ତଥା ନିରନ୍ତର ହିଂସାକାଣ୍ଡ ଦେଶର ଶାନ୍ତି ପ୍ରତିଷ୍ଠା ମାର୍ଗକୁ ଆହୁରି ଜଟିଳ କରିଦେଇଛି | 

ପରିଶେଷରେ ରାଷ୍ଟ୍ରପତି ପଦ ପ୍ରତିଦ୍ଵନ୍ଦୀ ମାନଙ୍କ ମଧ୍ୟରେ ଏକ କ୍ଷମତା ବଣ୍ଟନ ବ୍ୟବସ୍ଥା ଚୁଡାନ୍ତ ହୋଇଛି | ଏହି ବ୍ୟବସ୍ଥା ଅନୁଯାୟୀ ଘାନୀ, ଅବଦୁଲ୍ଲା ଅବଦୁଲ୍ଲାଙ୍କ ସହ ସମାନ ସଂଖ୍ୟକ ମନ୍ତ୍ରଣାଳୟ ବଣ୍ଟନ କରି ରାଷ୍ଟ୍ରପତି ଦାୟିତ୍ଵ ତୁଲାଇବେ ଓ ତାଲିବାନ ସହିତ ଶାନ୍ତି କଥାବାର୍ତ୍ତାରେ ନେତୃତ୍ଵ ନେବେ | କାବୁଲରେ ରାଜନୈତିକ ଅଚଳାବସ୍ଥାର ଅବସାନକୁ ଆନ୍ତର୍ଜାତୀୟ ସମୁଦାୟ ଦ୍ଵାରା ସର୍ବସମ୍ମତି କ୍ରମେ ସ୍ଵାଗତ କରାଯାଇଥିଲା ଓ ଆନ୍ତଃ ଆଫଗାନ ବୁଝାମଣା ପ୍ରକ୍ରିୟା ଆରମ୍ଭ କରିବା ଲାଗି ଏହି ନେତା ଦ୍ଵୟ ତାଙ୍କ ପ୍ରତିବଦ୍ଧତା ପ୍ରକଟ କରିବେ ବୋଲି ଆଶା କରାଯାଇଥିଲା |

ଆଫଗାନିସ୍ତାନରେ ବର୍ତ୍ତମାନର ରାଜନୈତିକ ପରିପ୍ରେକ୍ଷୀରେ କେବଳ ତାଲିବାନକୁ ହିଁ ଅଧିକ ଫାଇଦା ମିଳୁଥିବା ସ୍ପଷ୍ଟ ପ୍ରତୀୟମାନ ହେଉଛି | ଆଫଗାନିସ୍ତାନର ରାଜନୈତିକ ଦୃଶ୍ୟପଟରେ ଆଜିର ସନ୍ଦର୍ଭରେ ସେମାନେ ଏକ ପ୍ରମୁଖ ବୈଧ ପ୍ଲେୟାର ଭାବେ ଊଭା ହୋଇଥିବା ଯୋଗୁଁ ଆନ୍ତର୍ଜାତୀୟ ସମୁଦାୟ ଏହି ଗୋଷ୍ଠୀ ସହ କଥାବାର୍ତ୍ତା ଲାଗି ଆଗ୍ରହ ଦେଖାଉଛନ୍ତି | ଅବଶ୍ୟ ଏହି ଗୋଷ୍ଠୀ ଆମେରିକା ସହ ଏକ ଚୁକ୍ତି କରିବାରେ ମଧ୍ୟ ସଫଳ ହୋଇଛି, ଯିଏକି ପୂର୍ବରୁ ଏହି ସଂଘର୍ଷରେ ଏହାକୁ ଏକ ଅଂଶୀଦାର ଭାବେ ଗ୍ରହଣ କରିବାକୁ ମନା କରିଦେଇଥିଲା | କିନ୍ତୁ ଜାତିସଂଘ ରିପୋର୍ଟରେ କୁହାଯାଇଛି ଯେ ତାଲିବାନର ସାମରିକ ଚରମପନ୍ଥୀ ମାନେ ଅଣ-ତାଲିବାନ ଗୋଷ୍ଠୀ ସହ ରଣନୀତିକ ମେଣ୍ଟ ସ୍ଥାପନ କରିଛନ୍ତି ଓ ଆଫଗାନିସ୍ତାନରେ ବିଶୃଙ୍ଖଳା ସୃଷ୍ଟି କରିବା ଜାରି ରଖିଛନ୍ତି | ହକ୍କାନୀ ନେଟୱାର୍କ ଇସ୍ଲାମିକ ଷ୍ଟେଟ ଅଫ ଖୋରାସାନ ସହ ସହଯୋଗ କରି ମାର୍ଚ୍ଚ ମାସରେ କାବୁଲ ଗୁରୁଦ୍ୱାରା ଉପରେ ଆକ୍ରମଣ ଭଳି ଆକ୍ରମଣ କରିବା ପାଇଁ ବୈଷୟିକ ସହାୟତା ଯୋଗାଉଛନ୍ତି |

ଆଫଗାନିସ୍ତାନର ଘଟଣାକ୍ରମ ଉପରେ ଭାରତ ତୀକ୍ଷଣ ନଜର ରଖିଛି ଓ ଏପର୍ଯ୍ୟନ୍ତ ଏକ ସତର୍କତା ମୂଳକ ଆଭିମୁଖ୍ୟ ଗ୍ରହଣ କରିଛି | ତରବାରିଆ ଭାବେ ସ୍ବାକ୍ଷରିତ କୌଣସି ପ୍ରକାର ଚୁକ୍ତିନାମା ଉପରେ ସନ୍ଦେହ ଥିବା ସତ୍ତ୍ୱେ ନୂଆଦିଲ୍ଲୀ ପ୍ରାରମ୍ଭିକ ରାଜିନାମା ପ୍ରତି ସ୍ଵାଗତ ଜଣାଇଥିଲା | ଏହା ଘାନୀ ସରକାରଙ୍କୁ ସମର୍ଥନ ଜଣାଇଛି ଓ ଆଫଗାନିସ୍ତାନରେ ଗଣତାନ୍ତ୍ରିକ ରାଜନୈତିକ ଢାଞ୍ଚାକୁ ତାଲିବାନ ମାନ୍ୟତା ଦେଉ ବୋଲି ଚାହେଁ | ଆଫଗାନର ସାଧାରଣ ନାଗରିକଙ୍କୁ ସହାୟତା କରିବାର ନୀତି ଅନୁକରଣ କରି ଭାରତ, କରୋନା ମହାମାରୀ କାୟା ବିସ୍ତାର କରିଚାଲିଥିବା ସମୟରେ ଏହି ଦେଶକୁ ଔଷଧ ପତ୍ର, ଚିକିତ୍ସା ଉପକରଣ ତଥା ଖାଦ୍ୟ ସାମଗ୍ରୀ ନିରନ୍ତର ଯୋଗାଇ ଆସୁଛି | 



ଡଃ ସ୍ମିତା, ଆଫଗାନିସ୍ତାନ-ପାକିସ୍ତାନ ବ୍ୟାପାରୀୟ ରଣନୀତିକ ବିଶ୍ଳେଷକ 



____________

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...