ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଭାରତ, ଆମେରିକା ନୌବାହିନୀ ସହ ଏକ ମିଳିତ ନୌବାହିନୀ ସମରାଭ୍ୟାସ କରିଛି | ପାସେକ୍ସ ନାମକ ଏହି ସମରାଭ୍ୟାସରେ ଦୁଇ ଦେଶର ନୌବାହିନୀ ମଧ୍ୟରେ ଆନ୍ତଃ କାର୍ଯ୍ୟକ୍ଷମତା ଯାଞ୍ଚ କରିବା ତଥା ଏସଂକ୍ରାନ୍ତରେ ସୂଚନା ଆଦାନ ପ୍ରଦାନ ଲାଗି ଏଥିରେ ଭୁପୃଷ୍ଠରେ କାର୍ଯ୍ୟାନୁଷ୍ଠାନ, ନିରୀକ୍ଷଣ ଓ ବୁଡାଜାହାଜ ନିରୋଧୀ ଅଭ୍ଯାସ ଭଳି ବିଭିନ୍ନ ସମନ୍ଵିତ ଅଭ୍ୟାସ କରାଯାଇଛି | ଭାରତୀୟ ମହାସାଗରରେ ଚୀନର ଉପସ୍ଥିତି ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏହି ନୌସମରାଭ୍ୟାସର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି|
ଚୀନ ସମେତ ଆନ୍ତର୍ଜାତୀୟ ବାଣିଜ୍ୟ କାରବାର ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ, ମଳକ୍କା ଜଳସନ୍ଧି ନିକଟରେ ବଙ୍ଗୋପ ସାଗରର ଏକ ସାମୁଦ୍ରିକ ଅଞ୍ଚଳରେ କରାଯାଇଥିବା ଏହି ନୌସମରାଭ୍ୟାସକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି | ଏହି ସମରାଭ୍ୟାସରେ ଭାରତୀୟ ନୌବାହିନୀର ଚାରୋଟି ଜାହାଜ ଓ ଆମେରିକା ନୌବାହିନୀର ଏକ ପରମାଣୁ କ୍ଷମତା ସମ୍ପର୍ଣ୍ଣ ଯୁଦ୍ଧ ଜାହାଜ ୟୁଏସଏସ ନିମିଜ ଆଦି ଅନ୍ତର୍ଭୁକ୍ତ ଅଛି ଯାହାକି ଦକ୍ଷିଣ ଚୀନ ସାଗରରେ ସ୍ଵତନ୍ତ୍ର ନେଭିଗେସନ ଅଭିଯାନ ଚଳେଇଛି | ଏହି ସମରାଭ୍ୟାସ ଏପରି ସମୟରେ ହୋଇଥିଲା ଯେତେବେଳେ ଚୀନ, ପାରାସେଲ ଦ୍ଵିପପୁଞ୍ଜ ନିକଟରେ ଦକ୍ଷିଣ ଚୀନ ସାଗରରେ ଏହାର ସମରାଭ୍ୟାସ କରୁଛି |
ଲଦାଖ ସେକ୍ଟରରେ ସଂଘର୍ଷ ପରେ ଭାରତ ଓ ଚୀନ ମଧ୍ୟରେ ସୀମା ପ୍ରସଙ୍ଗ ନେଇ ତିକ୍ତତା ବୃଦ୍ଧି ପାଇଥିବା ଯୋଗୁଁ ଭାରତୀୟ ନୌବାହିନୀ ଭାରତୀୟ ମହାସାଗରରେ ଉଚ୍ଚ ସତର୍କତା ଜାରି କରିଛି ଓ ସେଠାରେ ବହୁ ସଂଖ୍ୟାରେ ଯୁଦ୍ଧ ଜାହାଜ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ସଜାଗ ରହିଛି | ଦସ୍ୟୁ ଦମନ ଲାଗି ପହରା ଦେଉଥିବା ଆଳରେ ଗତ କିଛି ବର୍ଷ ହେଲା ଚୀନ ନୌବାହିନୀର ଉପସ୍ଥିତି ବୃଦ୍ଧି ପାଉଥିବାରୁ ଭାରତୀୟ ମହାସାଗର ଅଞ୍ଚଳର ଘଟଣାକ୍ରମ ଉପରେ ଭାରତୀୟ ନୌବାହିନୀ ପକ୍ଷରୁ ତୀକ୍ଷଣ ନଜର ରଖା ଯାଇଛି | 2017ରେ ଚୀନ, ହର୍ନ ଅଫ ଆଫ୍ରିକାର ଯିବୁତିରେ ଏହାର ପ୍ରଥମ ବିଦେଶୀ ସାମରିକ ଘାଟି ଖୋଲିଥିଲା | ଭାରତ, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଏହାର ଭିତ୍ତିଭୂମିରେ ପ୍ରଗତି କରିଛି ଓ ଭାରତୀୟ ସାମରିକ ବାହିନୀର ଆଣ୍ଡାମାନ ଓ ନିକୋବର କମାଣ୍ଡ ର ସୁବିଧା ଗୁଡିକରେ ନବୀକରଣ କରୁଛି | ଭାରତୀୟ ବିମାନ ବାହିନୀ ପ୍ରକୃତ ନିୟନ୍ତ୍ରଣ ସୀମା ରେଖାରେ ଉତ୍ତେଜନା ବୃଦ୍ଧି ପାଉଥିବା ଯୋଗୁଁ ଏହାର କ୍ଷମତା ପ୍ରଦର୍ଶନ ଲାଗି ଏହାର ଜାଗୁଆର ଯୁଦ୍ଧ ବିମାନର 8 ରୁ 10ଟି ଯୁଦ୍ଧ ବିମାନକୁ ରଣନୀତିକ କାର ନିକୋବର ବିମାନ ଘାଟିରେ ମୁତୟନ କରିଛି |
ଗତ ମାସରେ ଭାରତ-ଜାପାନ ମଧ୍ୟରେ ମଲ୍ଲକା ଜଳସନ୍ଧି ନିକଟରେ କରାଯାଇଥିବା ନୌସମରାଭ୍ୟାସ ଭଳି ଭାରତ –ଆମେରିକା ମଧ୍ୟରେ ଏହି ନୌସମରାଭ୍ୟାସ କରାଯାଇଛି | ଏହି ଅଞ୍ଚଳରେ ଭାରତ, ଆମେରିକା ଓ ଜାପାନ ହେଉଛନ୍ତି ଘନିଷ୍ଠ ନୌବାହିନୀ ସହଯୋଗୀ ରାଷ୍ଟ୍ର ଏବଂ ମାଲାବାର ନୌବାହିନୀ ସମରାଭ୍ୟାସ ସମେତ ମିଳିତ ସମରାଭ୍ୟାସ ଗୁଡିକରେ ନିୟମିତ ଭାବେ ଏମାନେ ଅଂଶଗ୍ରହଣ କରନ୍ତି |
ଭବିଷ୍ୟତରେ ଆଷ୍ଟ୍ରେଲିଆ ମଧ୍ୟ ତ୍ରିପକ୍ଷୀୟ ନୌବାହିନୀ ସମରାଭ୍ୟାସରେ ଅଂଶଗ୍ରହଣ କରିବାର ଆଶା ରହିଥିବା ବେଳେ ଏକ ମୁକ୍ତ, ସମନ୍ଵିତ ଓ ଖୋଲା ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ସମସ୍ତ ଚାରୋଟି ଯାକ ଦେଶକୁ ନେଇ ଗଠିତ ‘କ୍ଵାଡ’ (ଚତୁର୍ଭୁଜ)ପ୍ରଥମ ଥର ଲାଗି ଏକ ସମାରାଭ୍ୟାସରେ ଯୋଗ ଦେବେ | ପ୍ରଥମ ଥର ଲାଗି ଆଞ୍ଚଳିକ ଗୋଷ୍ଠୀର ସମସ୍ତ ସଦସ୍ୟ ସାମରିକ ସ୍ତରରେ ଅଂଶଗ୍ରହଣ କରିବେ | ଚୀନ ଏହି ଗୋଷ୍ଠୀ ପ୍ରତି ସତର୍କ ରହିଆସିଛି | ପ୍ରଳୟଙ୍କାରୀ ସୁନାମୀ ପରେ ଭାରତ-ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ଗୁଡିକୁ ସହାୟତା ଲାଗି 2004ରେ ଏହି ଗୋଷ୍ଠୀ ଗଠନ ହୋଇଥିଲା ଓ 2017ରେ ଏହାର ପୁନର୍ଗଠନ କରାଯାଇଥିଲା | ଏହି ଚାରୋଟିଯାକ ଦେଶ 2019ରେ ମନ୍ତ୍ରୀସ୍ତରୀୟ ବୈଠକର ଆୟୋଜନ କରିଥିବାରୁ ବେଜିଂ ମଧ୍ୟ ଏହି ଘଟଣାକ୍ରମ ଉପରେ ନଜର ରଖିଛି |
ଇତିମଧ୍ୟରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର କହିଛନ୍ତି ଯେ ଗୋଟିଏ ପଟେ ଚୀନ ପ୍ରଣାଳିବଦ୍ଧ ଭାବେ ନିୟମ ଭଙ୍ଗ କରି ବଳ ପ୍ରୟୋଗ କରି ଚାଲିଥିବା ବେଳେ ଅନ୍ୟ ପଟେ ଆମେରିକା ଭାରତ ସହିତ ସୁରକ୍ଷା ସହଯୋଗକୁ ଆହୁରି ମଜବୁତ କରିଚାଲିଛି ଯାହାକି ଏକବିଂଶ ଶତାବ୍ଦୀର ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ସହଯୋଗ ମଧ୍ୟରୁ ଅନ୍ୟତମ ଭାବେ ମନେ କରାଯାଉଛି | ସେ କହିଛନ୍ତି ଭାରତୀୟ ମହାସାଗରରେ ଭାରତୀୟ ନୌବାହିନୀର ଯୁଦ୍ଧ ଜାହାଜ ଓ ୟୁଏସଏସ ନିମିତ୍ଜର ନେତୃତ୍ଵରେ ଆମେରିକା ନୌବାହିନୀ ମଧ୍ୟରେ ମିଳିତ ସମରାଭ୍ୟାସ, ଏକ ମୁକ୍ତ ଓ ଖୋଲା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସହଯୋଗକୁ ଆହୁରି ନିବିଡ କରିବା ପାଇଁ ଦୁଇ ଦେଶର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି |
ଇଣ୍ଟରନେସନାଲ ଇନଷ୍ଟିଚ୍ୟୁଟ ଫର ଷ୍ଟ୍ରାଟେଜିକ ଷ୍ଟଡିଜ (ଆଇଆଇଏସଏସ) ଦ୍ଵାରା ଆୟୋହିତ ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଏସ୍ପର ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସୁରକ୍ଷା ପାଇଁ ଆମେରିକାର ଦୃଷ୍ଟିକୋଣ ଓ ରଣନୀତି ଉପରେ ଆଲୋକପାତ କରିଥିଲେ | ଏହି ଅବସରରେ ଶ୍ରୀ ଅସପର ଉଦବୋଧନ ଦେଇ ବେଜିଂ ରୀତିମତ ନିୟମ ଲଙ୍ଘନ କରିଚାଲିଛି ଓ ବିଶେଷକରି ଦକ୍ଷିଣ ଚୀନ ସାଗର ଓ ଦକ୍ଷିଣ ପୂର୍ବ ଏସିୟ ରାଷ୍ଟ୍ର (ଆସିଆନ)ର ସଦସ୍ୟ ମାନଙ୍କ ବିରୁଦ୍ଧରେ ବାଧ୍ୟତା ମୂଳକ ବ୍ୟବହାର ପ୍ରଦର୍ଶନ କରୁଥିବା ବିଷୟ ଉଲ୍ଲେଖ କରି ଅନେକ ଉଦାହରଣ ଦେଇଥିଲେ |
ମୂଳ ଲେଖା : ଡଃ ସ୍ତୁତି ବାନାର୍ଜୀ , ଆମେରିକା ବ୍ୟାପାରୀୟ ରଣନୀତିକ ବିଶ୍ଳେଷକ
Comments
Post a Comment