ଭାରତ ଓ ମରିସସ ଆଉ ଏକ ଉଲ୍ଲେଖନୀୟ ଘଟଣା ନେଇ ସେମାନଙ୍କ ସ୍ଵତନ୍ତ୍ର ବନ୍ଧୁତ୍ଵ ସମ୍ପର୍କକୁ ପାଳନ କରିଛନ୍ତି | ଭାରତର ଆର୍ଥିକ ସହାୟତାରେ ପୋର୍ଟ ଲୁଇସରେ ନବନିର୍ମିତ ସୁପ୍ରିମକୋର୍ଟର ନୂତନ ଅଟ୍ଟାଳିକା, ଭାରତ-ମରିସସ ସହଯୋଗର ଏକ ପ୍ରତୀକ ତଥା ମୂଲ୍ୟବୋଧ ଆଦାନ ପ୍ରଦାନର ପରିଚାୟକ ଅଟେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମରିସସରେ ତାଙ୍କ ପ୍ରତିପକ୍ଷ ପ୍ରବିନ୍ଦ ଜଗନ୍ନାଥ ଏହି ଅଟ୍ଟାଳିକାକୁ ମିଳିତ ଭାବେ ଉଦଘାଟନ କରିଥିଲେ | ଭାରତ ଏବଂ ମରିସସ ସେମାନଙ୍କ ନ୍ୟାୟପାଳିକାର ସ୍ଵାଧୀନତାକୁ ନିଜର ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ରୂପେ ସମ୍ମାନ କରନ୍ତି | ଏହି ପ୍ରକଳ୍ପଟି ସମୟାନୁଯାୟୀ ତଥା ଅଟକଳ କରାଯାଇଥିବା ଖର୍ଚ୍ଚସୀମା ମଧ୍ୟରେ ସମ୍ପର୍ଣ୍ଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକଟ କରିଛନ୍ତି |
ଶ୍ରୀ ମୋଦୀ କହିଛନ୍ତି ଯେ ସେ ଏବଂ ପ୍ରଧାନମନ୍ତ୍ରୀ ଜଗନାଥ ମାତ୍ର କିଛି ମାସ ପୂର୍ବରୁ ମିଳିତ ଭାବେ ଦ୍ଵିପ ରାଷ୍ଟ୍ରର ମେଟ୍ରୋ ପ୍ରକଳ୍ପ ଓ ଏକ ନୂତନ ଅତ୍ୟାଧୁନିକ ହସ୍ପିଟାଲର ଲୋକାର୍ପଣ କରିଥିଲେ | ଏହି ଦୁଇ ପ୍ରକଳ୍ପ ମରିସସ ବାସୀଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଛି |
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରିସସରେ ହିଁ ପ୍ରଥମେ ଭାରତର ଦୃଷ୍ଟିକୋଣ ‘ସାଗର’ (ଅଞ୍ଚଳର ସମସ୍ତଙ୍କ ପାଇଁ ସୁରକ୍ଷା ଏବଂ ଅଭିବୃଦ୍ଧି ) ବିଷୟରେ ଆଲୋକପାତ କରିଥିଲେ | ଏହାର ମୁଖ୍ୟ କାରଣ ହେଉଛି, ଭାରତ ମହାସାଗର ଅଞ୍ଚଳରେ ମରିସସକୁ ନେଇ ଭାରତର ସ୍ପଷ୍ଟ ଆଭିମୂଖ୍ୟ ରହିଛି |. ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅଞ୍ଚଳର ବିକାଶମୂଳକ ଭାଗୀଦାରୀତା ପାଇଁ ମଧ୍ୟ ଭାରତର ଆଭିମୁଖ୍ୟରେ ମରିସସକୁ ପ୍ରାଧାନ୍ୟ ଦିଆଯାଉଛି|. ମହାତ୍ମା ଗାନ୍ଧୀଙ୍କ ଏକ ଉକ୍ତିକୁ ଉଦ୍ଧାର କରି ସେ କହିଛନ୍ତି “ମୁଁ ସମଗ୍ର ବିଶ୍ଵକୁ ଦୃଷ୍ଟିରେ ରଖି ଚିନ୍ତା କରିବାକୁ ଚାହେଁ | ମୋର ଦେଶପ୍ରେମ ସାଧାରଣତଃ ମାନବ ଜାତିର କଲ୍ୟାଣ ପାଇଁ ଉଦ୍ଦିଷ୍ଟ | ତେଣୁ ମୋର ଭାରତ ମାତାର ସେବାରେ ମାନବିକତାର ସେବା ନିହିତ ଅଛି” | ଭାରତର ଏହା ହିଁ ମୂଳମନ୍ତ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି | ଭାରତ ବିକାଶ କରିବାକୁ ଚାହେଁ ଏବଂ ଅନ୍ୟମାନଙ୍କ ବିକାଶମୂଳକ ଚାହିଦା ଅନୁଯାୟୀ ସେମାନଙ୍କୁ ସହାୟତା କରିବାକୁ ଚାହେଁ ବୋଲି ସେ କହିଛନ୍ତି |
ବିକାଶ ପାଇଁ ଭାରତର ଆଭିମୁଖ୍ୟ ମୁଖ୍ୟତଃ, ମାନବ- କେନ୍ଦ୍ରିତ ଅଟେ | ଭାରତ ମାନବ ଜାତିର ମଙ୍ଗଳ କାମନା ନିମନ୍ତେ କାର୍ଯ୍ୟ କରିବାକୁ ଚାହେଁ | ଇତିହାସରୁ ଆମେ ଜାଣିଛୁ ଯେ ବିକାଶ ଭାଗୀଦାରୀତା ନାମରେ ଅନେକ ରାଷ୍ଟ୍ର ନିର୍ଭରଶୀଳ ହେବା ଲାଗି ବାଧ୍ୟ ହେଉଥିଲେ ଏବଂ ଏହା ଉପନିବେଶବାଦ ଏବଂ ସାମ୍ରାଜ୍ୟ ଶାସନକୁ ବୃଦ୍ଧି କରିଥିଲା | ଏହା ମଧ୍ୟ ବୈଶ୍ଵିକ କ୍ଷମତା ଗୋଷ୍ଠୀ ବୃଦ୍ଧି କରିଛି ଓ ଏଥିଯୋଗୁଁ ମାନବ ଜାତି ହିଁ ଦୁଃଖ ଭୋଗିଛି ବୋଲି ପ୍ରଧାନମନ୍ତ୍ରୀ ଅଭିହିତ କରିଛନ୍ତି |
ଭାରତ ବିକାଶ ସହଭାଗିତା ସ୍ଥାପନ କରୁଛି ଯାହା ସମ୍ମାନ, ବିବିଧତା, ଭବିଷ୍ୟତ ପାଇଁ ଯତ୍ନଶୀଳ ଓ ନିରନ୍ତର ବିକାଶ ଉପରେ ପର୍ଜ୍ୟବେଶିତ | ବିକାଶ ସହଯୋଗ କ୍ଷେତ୍ରରେ ଭାରତ ପାଇଁ ମୌଳିକ ନୀତି ହେଉଛି ଏହାର ଭାଗୀଦାର ମାନଙ୍କୁ ସମ୍ମାନ ଜଣାଇବା | ବିକାଶମୂଳକ ସୂଚନା ଆଦାନ ପ୍ରଦାନ କରିବା ହେଉଛି ଭାରତର ଏକମାତ୍ର ଉଦ୍ଦେଶ୍ୟ | ଭାରତର ବିକାଶ ସହଯୋଗ କୌଣସି ସର୍ତ୍ତ ଉପରେ ଆଧାରିତ ନୁହେଁ କି ଏହା ରାଜନୈତିକ କିମ୍ବା ବ୍ୟବସାୟିକ ବିଚାର ଧାରା ଦ୍ଵାରା ମଧ୍ୟ ପ୍ରଭାବିତ ହୋଇନଥାଏ |
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ବିକାଶ ସହଭାଗିତା ବିବିଧ ଅଟେ | ଭାରତ, ବାଣିଜ୍ୟ ଠାରୁ ସଂସ୍କୃତି, ଶକ୍ତି ଠାରୁ ଇଞ୍ଜିନିଅରିଙ୍ଗ, ସ୍ୱାସ୍ଥ୍ୟରୁ ଆବାସିକ, ଆଇଟି ରୁ ଭିତ୍ତିଭୂମି ଓ କ୍ରିଡାରୁ ବିଜ୍ଞାନ ଆଦି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବିଶ୍ଵର ଅନେକ ଦେଶ ସହିତ କାର୍ଯ୍ୟ କରୁଛି | ଭାରତ ଯଦି ଆଫଗାନିସ୍ତାନରେ ସଂସଦ ଭବନ ନିର୍ମାଣରେ ସହାୟତା କରି ଗୌରବାନ୍ଵିତ ମନେ କରୁଛି ତେବେ ସେ ମଧ୍ୟ ନାଇଜରରେ ମହାତ୍ମା ଗାନ୍ଧୀ ସମ୍ମିଳନୀ କେନ୍ଦ୍ର ପ୍ରତିଷ୍ଠାରେ ଜଡିତ ହୋଇ ମଧ୍ୟ ଗର୍ବ ଅନୁଭବ କରୁଛି | ନେପାଳରେ ଏକ ଜରୁରୀକାଳିନ ଓ ଟ୍ରଉମା ହସ୍ପିଟାଲ ନିର୍ମାଣ ଜରିଆରେ ଏହାର ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣି ନୂଆଦିଲ୍ଲୀ ସନ୍ତୋଷ ବ୍ୟକ୍ତ କରିଛି | ସେହିପରି ଶ୍ରୀଲଙ୍କାରେ ସମସ୍ତ ନଟି ଯାକ ପ୍ରଦେଶରେ ଜରୁରୀକାଳିନ ଆମ୍ବୁଲାନ୍ସ ସେବା ପ୍ରତିଷ୍ଠା ପାଇଁ ମଧ୍ୟ ଭାରତ ସହାୟତା କରିଛି |
ଶ୍ରୀ ମୋଦୀ କହିଛନ୍ତି ନେପାଳରେ ଭାରତ ଦ୍ଵାରା ଜାରି ରହିଥିବା ତୈଳ ପାଇପଲାଇନ ପ୍ରକଳ୍ପ ସେହି ଦେଶରେ ପେଟ୍ରୋଲିୟମ ଉତ୍ପାଦର ଉପଲବ୍ଧତାକୁ ନିଶ୍ଚିତ କରିବାରେ ସହାୟତା କରିବ | ଭାରତ ଆହୁରି ମଧ୍ୟ ମାଳଦ୍ଵୀପର ଚବିଶଟି ଦ୍ଵୀପପୁଞ୍ଜରେ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ଉପଲବ୍ଧ କରିବାରେ ସାହାଯ୍ୟ କରିଛି | ଭାରତ ଷ୍ଟାଡିୟମ ନିର୍ମାଣରେ ସହାୟତା କରିବା ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ କରି ଆଫଗାନିସ୍ତାନ ଏବଂ ଗୟାନା ଭଳି ବିଭିନ୍ନ ଦେଶରେ କ୍ରିକେଟକୁ ଲୋକପ୍ରିୟ କରିଛି | ଭାରତ, ଶ୍ରୀଲଙ୍କାରେ ଏକ ପ୍ରମୁଖ ଆବାସିକ ପ୍ରକଳ୍ପରେ ଏକ ଅଗ୍ରଣୀ ଭୂମିକା ନିଭାଉଥିବାରୁ ଏହା ଏକ ଅତ୍ୟନ୍ତ ଗର୍ବର ବିଷୟ ବୋଲି ମନେ କରେ | ଆମର ବିକାଶ ଭାଗୀଦାରୀତା ଆମର ସହଭାଗୀ ରାଷ୍ଟ୍ର ଗୁଡିକର ବିକାଶ ପ୍ରାଥମିକତାକୁ ସ୍ପଷ୍ଟ ଭାବେ ପ୍ରତିଫଳିତ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି |
ଶ୍ରୀ ମୋଦୀ କହିଛନ୍ତି ଯେ ଭବିଷ୍ୟତ ନିରନ୍ତର ବିକାଶ ଉପରେ ନିହିତ ରହିଛି | ମଣିଷର ଆବଶ୍ୟକତା, ଆଶା ଓ ଆକାଂକ୍ଷା ଆମର ପ୍ରାକୃତିକ ପରିବେଶ ସହିତ ବିରୋଧାଭାସ ହୋଇପାରିବ ନାହିଁ | ଏହି ଦର୍ଶନ ଉପରେ ଆଧାର କରି ଭାରତ, ଆନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସଏ) ଭଳି ନୂତନ ସଂସ୍ଥାର ବିକଶିତ କରିବା ଲାଗି ପ୍ରୟାସ କରିଛି |
ମରିସସ ସହ ଭାରତର ସ୍ଵତନ୍ତ୍ର ଭାଗୀଦାରୀତାରେ ଏହି ସବୁ ମୂଲ୍ୟବୋଧର ସମ୍ମିଶ୍ରଣ ହୋଇଛି | ମରିସସ ସହିତ ଭାରତ କେବଳ ଭାରତ ମହାସାଗରର ଜଳପରିସୀମାରେ ସୀମିତ ନୁହେଁ ବରଂ ଉଭୟଙ୍କ ମଧ୍ୟରେ ସମାନ ସଂସ୍କୃତି , ଭାଷା ଓ ଏକ ସାଧାରଣ ଐତିହ୍ୟ ମଧ୍ୟ ରହିଛି | ଆମର ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଅତୀତରୁ ରହି ଆସିଛି ଓ ଭବିଷ୍ୟତରେ ମଧ୍ୟ ଆହୁରି ନିବିଡ ହେବା ଦିଗରେ ଅଗ୍ରସର ହେଉଛି | ମରିସସ ଲୋକଙ୍କ ସଫଳତା ପାଇଁ ଭାରତ ସଦା ସର୍ବଦା ଗର୍ବିତ | ମରିସସ ନିର୍ମାଣ କରିଥିବା ପବିତ୍ର ‘ଅପ୍ରବାସୀ ଘାଟ’ ରୁ ଆଧୁନିକ ଅଟ୍ଟାଳିକା ପର୍ଯ୍ୟନ୍ତ, ଏହି ସବୁ କଠିଣ ପରିଶ୍ରମ ଓ ଅଭିନବତା ଦ୍ଵାରା ହିଁ ସଫଳ ହୋଇଛି | ଆଗାମୀ ଦିନ ଗୁଡିକରେ ନିଶ୍ଚିତ ରୂପରେ ଭାରତର ସହଭାଗିତା ଆହୁରି ମଜବୁତ ହେବ ବୋଲି ଦୃଢ ଆଶା ରହିଛି |
ମୂଳଲେଖା : ପଦମ ସିଂ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ
Comments
Post a Comment