Skip to main content

ଭାରତ-ଇରାନ ସମ୍ପର୍କରେ ନିବିଡତା

ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଭାରତର ଦୁଇଜଣ କ୍ୟାବିନେଟ ମନ୍ତ୍ରୀଙ୍କ ଦ୍ଵାରା ଇରାନ ଗସ୍ତ ସହ ଭାରତ-ଇରାନ ଦ୍ଵିପାକ୍ଷିକ ସମ୍ପର୍କ ଆହୁରି ମଜବୁତ ହେବା ଦିଗରେ ଅଗ୍ରସର ହେଉଛି | ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରୁଷରେ ସଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ପ୍ରତିରକ୍ଷା ମନ୍ତ୍ରୀ ପରିଷଦ ବୈଠକରେ ଯୋଗ ଦେଇ ପ୍ରତ୍ୟାବର୍ତ୍ତନ କରିବା ସମୟରେ ଗତ ରବିବାର ଦିନ ଇରାନରେ କିଛି ସମୟ ପାଇଁ ଅଟକିଥିଲେ | ଶ୍ରୀ ସିଂହ ତେହେରାନରେ ତାଙ୍କ ଇରାନିୟ ପ୍ରତିପକ୍ଷ ବ୍ରିଗେଡିଅର ଜେନେରାଲ ଆମିର ହାତାମିଙ୍କ ସହ ସାକ୍ଷାତ କରି ଆଞ୍ଚଳିକ ସୁରକ୍ଷା ତଥା ଆପୋଷ ସହଯୋଗ ସଙ୍କ୍ରାନ୍ତୀୟ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ | 

ଭାରତର ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କର ମଧ୍ୟ ଏସସିଓ ର ବୈଦେଶିକ ମନ୍ତ୍ରୀ ସ୍ତରୀୟ ବୈଠକରେ ଯୋଗ ଦେବା ଲାଗି ମସ୍କୋ ଯିବା ବାଟରେ ତେହରାନରେ କିଛି ସମୟ ପାଇଁ ଓହ୍ଲାଇଥିଲେ | ଏହି ଗସ୍ତ ସମୟରେ ଡଃ ଜୟଶଙ୍କର ତାଙ୍କ ପ୍ରତିପକ୍ଷ ମହମ୍ମଦ ଜାଭେଦ ଜରିଫଙ୍କ ସହ ଏକ ବୈଠକ କରି ଫଳପ୍ରଦ ଆଲୋଚନା କରିଥିଲେ | ଏହି ବୈଠକରେ ଦୁଇ ମନ୍ତ୍ରୀ ଆଞ୍ଚଳିକ ବିକାଶର ସମୀକ୍ଷା କରିବା ସହ ଦ୍ଵିପକ୍ଷୀୟ ସହଯୋଗକୁ ଆହୁରି ନିବିଡ କରିବା ନେଇ ବ୍ୟାପକ ଆଲୋଚନା କରିଥିଲେ |

ସୂଚନା ଯୋଗ୍ୟ ଯେ ଡଃ ଜୟଶଙ୍କର ଉଣେଇଶ ତମ ଭାରତ-ଇରାନ ଯୁଗ୍ମ କମିଶନ ବୈଠକରେ ଯୋଗ ଦେବା ଲାଗି ଡିସେମ୍ବର 2019ରେ ତେହେରାନ ଗସ୍ତ କରିଥିବା ବେଳେ ଇରାନର ବୈଦେଶିକ ମନ୍ତ୍ରୀ ଡଃ ଜାଭେଦ ଜାରିଫ ‘ରାଇସିନା ଡାଏଲାଗ 2020‘ ରେ ଯୋଗ ଦେବା ପାଇଁ ଚଳିତ ବର୍ଷ ଜାନୁଆରୀରେ ଭାରତ ଗସ୍ତରେ ଆସିଥିଲେ | ଉଲ୍ଲେଖ ଯୋଗ୍ୟ ଯେ କୋଭିଡ-19 ମହାମାରୀ ଯୋଗୁଁ ଯାତ୍ରା ଉପରେ କଟକଣା ଲାଗୁ କରାଯିବା ପରେ ଏହା ଥିଲା ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ପ୍ରଥମ ବିଦେଶ ଗସ୍ତ | ଦୁଇ ଦେଶର ଦ୍ଵିପାକ୍ଷିକ ସମ୍ପର୍କ ଦୃଷ୍ଟିରୁ ଏହା ଉଭୟ ଭାରତ ଓ ଇରାନ ଦ୍ଵାରା ଦିଆଯାଉଥିବା ଗୁରୁତ୍ଵର ମହତ୍ଵକୁ ପ୍ରତିପାଦିତ କରୁଛି ବିଶେଷକରି ଏପରି ସମୟରେ ଯେତେବେଳେ ଆମେରିକା ଇରାନ ଉପରେ ଅତ୍ୟଧିକ ଚାପ ପକାଇ ଏହା ବିରୁଦ୍ଧରେ ଅଭିଯାନ ଚଳେଇଛି ଏବଂ ଅନ୍ୟ ଦେଶ ଗୁଡିକ ସହ ତେହେରାନର ରାଜନୈତିକ ତଥା ଅର୍ଥନୈତିକ ସହଯୋଗର ସୀମାକୁ ସୀମିତ କରିବାକୁ ଚାହୁଁଛି |

ଏହି ଦୁଇ ଗସ୍ତ ମଧ୍ୟ ଏକ ଏପରି ସମୟରେ ହୋଇଛି ଯେତେବେଳେ ଇରାନ ଓ ଚୀନ ସେମାନଙ୍କ ଦୀର୍ଘସ୍ଥାୟୀ ଦ୍ଵିପାକ୍ଷିକ ସହଯୋଗ ଚୁଡାନ୍ତ କରିବାକୁ ଯାଉଛନ୍ତି | ବେଜିଂ ଓ ତେହେରାନ ଚୀନର ବେଲ୍ଟ ଏଣ୍ଡ ରୋଡ ଇନିସିଏଟିଭ (ବିଆରଆଇ) ପ୍ରକଳ୍ପ ଅଧୀନରେ ଏକ 25 ବର୍ଷର ଦ୍ଵିପାକ୍ଷିକ ରଣନୀତିକ ସହଯୋଗ ସ୍ଥାପନ କରୁଛନ୍ତି ବୋଲି ଖବର ପ୍ରକାଶ ପାଇଛି ଯଦ୍ୱାରା ଚୀନ ଇରାନରେ ବିପୁଳ ପରିମାଣର ପୁଞ୍ଜି ନିବେଶ କରିପାରିବ |

ଆଫଗାନିସ୍ତାନରେ ସ୍ଥିରତା ବଜାୟ ରଖିବା ଲାଗି ହେବାକୁ ଥିବା ଆନ୍ତଃ-ଆଫଗାନ କଥାବାର୍ତ୍ତା ସମୟରେ ଭାରତର ଏହି ଦୁଇଜଣ ବରିଷ୍ଠ ମନ୍ତ୍ରୀ ଇରାନ ଗସ୍ତ କରିଥିଲେ | ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଅନ୍ୟାନ୍ୟ ଆଞ୍ଚଳିକ ତଥା ଆପୋଷ ସ୍ଵାର୍ଥ ବିଜଡିତ ଦ୍ଵିପକ୍ଷୀୟ ପ୍ରସଙ୍ଗ ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ | ଇରାନ ଉପରେ ଲାଗୁ କରାଯାଇଥିବା ଅସ୍ତ୍ରଶସ୍ତ୍ର ପ୍ରତିବନ୍ଧକର ଅବଧିକୁ ଆହୁରି ବଢାଇବା ଲାଗି ଆମେରିକା ଦ୍ଵାରା ବିଫଳ ପ୍ରୟାସ ପରେ ପରେ ଏହି ଗସ୍ତ ହୋଇଥିଲା | ସୂଚନାଯୋଗ୍ୟଯେ ଏହି କଟକଣାର ଅବଧି ଚଳିତ ବର୍ଷ ଅକ୍ଟୋବରରେ ଶେଷ ହେବ | 

ଭାରତ ଓ ଇରାନ ମଧ୍ୟରେ ପ୍ରଗାଢ ସଭ୍ୟତା ସମ୍ପର୍କ ନିହିତ ଅଛି ଯାହା ନିକଟ ଅତୀତରେ ଚବାହାର ବନ୍ଦର ଏବଂ ଚବାହାର-ଯାହାଦାନ ରେଳ ଲାଇନ ପ୍ରକଳ୍ପ ଭଳି ମିଳିତ ମୌଳିକଢାଞ୍ଚା ପ୍ରକଳ୍ପ ଫଳପ୍ରସୂ ହେବା ସହ ଅଗ୍ରଗତି କରିଚାଲିଛି | ଭାରତ ଓ ଇରାନ ମଧ୍ୟ ବର୍ତ୍ତମାନ ଚବାହାର ବନ୍ଦରର ବ୍ୟବହରା ବୃଦ୍ଧି ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି | ଏଠାରେ ସ୍ମରଣ କରିଦିଆଯାଇପାରେ ଯେ ଗତ ମାସରେ ଚବାହାର-ଜାହେଦାନ ରେଳ ଲାଇନ ନେଇ ଦୁଇ ଦେଶ ମଧ୍ୟରେ ହୋଇଥିବା ସହଯୋଗର ସମୀକ୍ଷା ପାଇଁ ଇରାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଇରାନର ଉପମନ୍ତ୍ରୀ ତଥା ରେଳ ବିଭାଗର ମୁଖ୍ୟ ସୟଦ ରସୁଆଳି ନିମନ୍ତ୍ରଣ କରିଥିଲେ|

ଆମେରିକା ଦ୍ଵାରା ଇରାନ ଉପରେ ଅର୍ଥନୈତିକ କଟକଣା ଲାଗୁ କରାଯାଇଥିବାରୁ ଯଦିଓ ଇରାନ ଓ ଭାରତ ମଧ୍ୟରେ ବର୍ତ୍ତମାନର ଦ୍ଵିପାକ୍ଷିକ ବାଣିଜ୍ୟ କାରବାର ଉପରେ ନକାରାତ୍ମକ ପ୍ରଭାବ ପଡିଛି ତେବେ ମଧ୍ୟ ପ୍ରଚଳିତ କଟକଣା ସତ୍ତ୍ୱେ ଭାରତ ଏବଂ ଇରାନ ଦ୍ଵିପାକ୍ଷିକ ବାଣିଜ୍ୟ ସମ୍ପର୍କକୁ ଆହୁରି ମଜବୁତ କରିବା ଲାଗି ପ୍ରତିଶୃତିବଦ୍ଧ ଅଟନ୍ତି | ଭାରତ ପାଇଁ, ଇରାନ ଦ୍ଵିପାକ୍ଷିକ ବାଣିଜ୍ୟ କ୍ଷେତ୍ରରେ ବିପୁଳ ସମ୍ଭାବନା ଥିବା ଏକ ଗୁରୁତ୍ୱପୂର୍ଣ୍ଣ ବିସ୍ତାରିତ ପଡୋଶୀ ରାଷ୍ଟ୍ର ଭାବେ ରହିଆସିଛି ଓ ଆଫଗାନିସ୍ତାନ ଏବଂ ମଧ୍ୟ ଏସିଆରେ ଭାରତର ପ୍ରବେଶ ଲାଗି ରଣନୀତିକ ଭାବେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ | ସେହିପରି ଇରାନ ଉତ୍ପାଦ ଗୁଡିକ ପାଇଁ ଭାରତ ଏକ ସମ୍ଭାବ୍ୟ ବଜାର ଭାବେ କାର୍ଯ୍ୟ କରିଥିବା ବେଳେ ପାରମ୍ପରିକ ଭାବେ ଇରାନିୟ ଅଶୌଧିତ ତୈଳର ଏକ ପ୍ରମୁଖ ସ୍ଥଳୀ ପାଲଟିଛି |

ମଧ୍ୟପୁର୍ବର ବର୍ତ୍ତମାନର ଭୂ-ରାଜନୀତି ଏବଂ ଆମେରିକା, ରୁଷିଆ ଓ ଚୀନ ମଧ୍ୟରେ କ୍ଷମତା ପ୍ରତିଦ୍ୱନ୍ଦିତା ଏହି ଅଞ୍ଚଳରେ ଅଧିକ ପ୍ରଭାବ ପକାଉଛି .ଓ ଏଥିଯୋଗୁଁ ବାହ୍ୟ ଦୁନିଆ ସହ ଇରାନର ସମ୍ପର୍କ ଉପରେ ଏହା ନକାରାତ୍ମକ ପ୍ରଭାବ ପକାଇଛି | ସମଗ୍ର ବିଶ୍ବରେ କାୟା ବିସ୍ତାର କରିଚାଲିଥିବା କୋଭିଡ-19 ମହାମାରୀ ଯୋଗୁଁ ଏହି କଟକଣା ର ପ୍ରଭାବ ଆହୁରି ବୃଦ୍ଧି ହୋଇଛି |

ମହାମାରୀ ସଙ୍କ୍ରାନ୍ତୀୟ ଯାତ୍ରା କଟକଣା କୋହଳ କରିବା କ୍ଷଣି ନୂଆଦିଲ୍ଲୀରୁ ଦୁଇଜଣ ବରିଷ୍ଠ ମନ୍ତ୍ରୀଙ୍କ ଇରାନ ଗସ୍ତରୁ ଇରାନ ସହିତ ଏହାର ସମ୍ପର୍କକୁ ଭାରତ କେତେ ଗୁରୁତ୍ଵ ଦେଉଛି ତାହା ସ୍ପଷ୍ଟ ପ୍ରତିଫଳିତ ହେଉଛି | ଭାରତ-ଇରାନ ସମ୍ପର୍କକୁ ଆହୁରି ଘନିଷ୍ଠ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ | 



ମୂଳ ଲେଖା : ଡଃ ଆସିଫ ଶୁଜା, ବରିଷ୍ଠ ରିସର୍ଚ ଫେଲୋ 



_______________

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...