ଇମ୍ରାନ ଖାଁଙ୍କ ନେତୃତ୍ଵାଧୀନ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ସରକାର ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି । ଗୋଟିଏ ପଟେ ଅର୍ଥ ହେରଫେର ତଥା ଆତଙ୍କବାଦ ଅର୍ଥ ଯୋଗାଣ ବିରୋଧରେ ସଂଗ୍ରାମରେ ବିଶ୍ୱସ୍ତରୀୟ ପ୍ରତିଶ୍ରୁତି ତଥା ମାନଦଣ୍ଡ ପୂରଣ କରିବା ପାଇଁ ଇସଲାମାବାଦର ପ୍ରଦର୍ଶନ ଉପରେ ଆଧାର କରି ପାକିସ୍ତାନ ଏହାର “ଗ୍ରେ” ତାଲିକାରେ ବଳବତ୍ତର ରହିବ କି ନାହିଁ ସେ ନେଇ ଆର୍ଥିକ କ୍ରିୟାନ୍ବୟନ ଟାସ୍କ ଫୋର୍ସ (FATF) ର ଏକ ଭର୍ଚୁଆଲ୍ ପ୍ଲେନାରୀ ଅଧିବେଶନରେ ସ୍ଥିର କରିବାକୁ ଥିବା ବେଳେ ଅନ୍ୟ ପଟେ JUI-F ମୁଖ୍ୟ ମୌଲାନା ଫଜଲ-ଉର୍-ରେହମାନଙ୍କ ନେତୃତ୍ୱରେ ନବଗଠିତ ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ (ପିଡିଏମ୍) ମେଣ୍ଟରେ ବିରୋଧୀ ଦଳମାନେ ହାତ ମିଳାଇ ଦେଶରେ ରାଜନୈତିକ ହଟଚମଟ ସୃଷ୍ଟି କରିଛନ୍ତି । ପିଡିଏମ୍, ଗୁଜରାନୱାଲା ଏବଂ କରାଚିରେ ସଫଳତାର ସହ ଦୁଇଟି ସରକାର ବିରୋଧୀ ବିକ୍ଷୋଭ ପ୍ରଦର୍ଶନର ଆୟୋଜନ କରିଥିଲା ଏବଂ ରବିବାର ଦିନ କ୍ୱେଟାରେ ତୃତୀୟ ପ୍ରତିବାଦ ପ୍ରଦର୍ଶନର ଆୟୋଜନ କରିବାକୁ ଧାର୍ଯ୍ୟ କରିଛି ।
ଇମ୍ରାନ ଖାଁ ସରକାର ଏଫଏଟିଏଫ ନିୟମାବଳୀ ସହ ଜଡିତ ଅନେକ ବିଲ୍ ଏବଂ ବିଧେୟକ ଆଗତ କରିଥିଲେ। ତେବେ ଏହା ତୀବ୍ର ବିରୋଧର ସମ୍ମୁଖୀନ ହୋଇଥିଲା ଓ ଏଥିଯୋଗୁଁ ସଂସଦରେ ପ୍ରବଳ ତୁମ୍ବିତୋଫାନ ଜାରିରହି ଏହି ବିଲକୁ ଅବରୋଧ କରାଯାଇଥିଲା । ତେବେ 16 ସେପ୍ଟେମ୍ବରରେ ସଂସଦର ମିଳିତ ଅଧିବେଶନରେ ବିରୋଧୀ ପକ୍ଷର ପ୍ରବଳ ପ୍ରତିବାଦ ଓ କକ୍ଷତ୍ୟାଗ ମଧ୍ୟରେ ଆତଙ୍କବାଦ ବିରୋଧୀ ଆଇନ (ସଂଶୋଧନ) ବିଲ୍, 2020, ଅର୍ଥ ହେରଫେର ବିରୋଧୀ (ଦ୍ୱିତୀୟ ସଂଶୋଧନ) ବିଲ୍ ଏବଂ ଇସଲାମାବାଦ କ୍ୟାପିଟାଲ୍ ଟେରିଟୋରୀ ୱାକଫ୍ ପ୍ରପର୍ଟିଜ୍ ବିଲ୍ ଆଦି ଏଫଏଟିଏଫ ସହ ଜଡିତ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଲ ଗୃହିତ ହୋଇଥିଲା। | ଏଫଏଟିଏଫ ସହ ଜଡିତ ବିଲ୍କୁ ରୋକିବା ପାଇଁ ବିରୋଧୀଙ୍କ ପଦକ୍ଷେପ ପ୍ରତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି, ସେମାନଙ୍କ ବିରୁଦ୍ଧରେ ରହିଥିବା ଦୁର୍ନୀତି ମାମଲାରୁ ମୁକୁଳିବା ଲାଗି ସେମାନେ ଗୁରୁତ୍ୱପୂର୍ଣ୍ଣ ଏଫଏଟିଏଫ ବିଲକୁ ଅବରୋଧ କରୁଛନ୍ତି ଓ ତାଙ୍କ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ବୋଲି ଅନେକ ଟ୍ୱିଟ୍ କରି ଜଣାଇଛନ୍ତି ।
ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ତାଙ୍କ ଭର୍ଚୁଆଲ୍ ଅଭିଭାଷଣରେ ସାମରିକ ପ୍ରତିଷ୍ଠାନକୁ ରାଷ୍ଟ୍ରର ବହୁ ଉର୍ଦ୍ଧ୍ବରେ ବୋଲି ଆକ୍ଷେପ କରିଥିଲେ ଯାହାକି ଉଭୟ ପିଟିଆଇ ସରକାର ଓ ସାମରିକ ପ୍ରତିଷ୍ଠାନକୁ ବ୍ୟସ୍ତ ବିବ୍ରତ କରିଦେଇଛି | ଦେଶଦ୍ରୋହ ତଥା ଷଡଯନ୍ତ୍ର ମାମଲା ନେଇ ନୱାଜ ସରିଫ ଏବଂ ଅନ୍ୟାନ୍ୟ ବିରୋଧୀଦଳଙ୍କ ବିରୋଧରେ ଏକ ଏଫଆଇଆର ରୁଜ୍ଜୁ କରାଯାଇଛି । ହେଲେ ତୀବ୍ର ସମାଲୋଚନା ପରେ ଯଦିଓ ଅନ୍ୟ ନେତାଙ୍କ ବିରୁଦ୍ଧରେ ମାମଲା ପ୍ରତ୍ୟାହାର କରି ନିଆଯାଇଥିଲା, ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ବିରୁଦ୍ଧରେ ମାମଲା ପ୍ରତ୍ୟାହାର କରାଯାଇନାହିଁ | ଏହାର ମୁଖ୍ୟ କାରଣ ହେଉଛି ସରକାରଙ୍କ ମତରେ ଶ୍ରୀ ସରିଫ ପଡୋଶୀ ଭାରତର ନୀତିକୁ ସମର୍ଥନ କରୁଛନ୍ତି ଯଦ୍ୱାରା ପାକିସ୍ତାନକୁ ଏଫଏଟିଏଫ ର ‘’ଗ୍ରେ’’ ଲିଷ୍ଟ ରେ ତାଲିକାଭୁକ୍ତ ହୋଇ ରହିବାକୁ ପଡିବ | ତେଣେ ପାକିସ୍ତାନ ଦାବି କରିଛି ଯେ ଅର୍ଥ ହେରଫେର ଏବଂ ଆତଙ୍କବାଦ ଆର୍ଥିକ ସହାୟତା ବିରୁଦ୍ଧରେ ବହୁ ପଦକ୍ଷେପ ନେଇଛି ଓ ଆର୍ଥିକ କ୍ରିୟାନ୍ଵୟନ ଟାସ୍କ ଫୋର୍ସ (ଏଫଏଟିଏଫ) କୁ ଏବିଷୟରେ ଅବଗତ ମଧ୍ୟ କରାଇଛି | ହେଲେ ବାସ୍ତବରେ ପାକିସ୍ତାନ ଏ ବାବଦରେ କେତେ ଯେ ନିଷ୍ଠାବାନ ତାହା କାହାକୁ ହେଲେ ଅଛପା ନୁହେଁ |
ଗୁଜରାନୱାଲାରେ ନୱାଜ ସରିଫ ଭର୍ଚୁଆଲ୍ ଭାଷଣ ଦେବା ବେଳେ ସିପିଇସି ଅଧ୍ୟକ୍ଷ ଜେନେରାଲ୍ ଅସୀମ ସଲିମ ବାଜୱାଙ୍କ ବିରୁଦ୍ଧରେ ରହିଥିବା ଦୁର୍ନୀତି ମାମଲା ଉପରେ ଆଲୋକପାତ କରିଥିଲେ । ପରେ ବାଜୱା ସୂଚନା ଓ ପ୍ରସାରଣ ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହକାରୀ ପଦରୁ ଇସ୍ତଫା ଦେଇଥିଲେ। ପାକିସ୍ତାନ ସେନା ଲଗାତାର ରାଜନୀତିରେ ହସ୍ତକ୍ଷେପ କରୁଥିବା କଥା ପିଡିଏମ ଦ୍ୱାରା ଦୋଷାରୋପ କରାଯିବା ପରେ ସେନା ପ୍ରତିଷ୍ଠାନ ଏକ ସରକାରୀ ବିବୃତ୍ତି ଦେବାକୁ ବାଧ୍ୟ ହୋଇଥିଲା । ଇମ୍ରାନ ଖାଁ ବିରୋଧୀଙ୍କ ପ୍ରତି କଡା ସମାଲୋଚନା କରି କହିଛନ୍ତି ଯେ ବର୍ତ୍ତମାନ ପାକିସ୍ତାନ ଏକ “ନୂଆ ଇମ୍ରାନ ଖାଁ ” ଦେଖିବାକୁ ପାଇବେ | ଶ୍ରୀ ସରିଫଙ୍କୁ ପାକିସ୍ତାନକୁ ଫେରାଇ ଆଣି ତାଙ୍କୁ ଜେଲ ଦଣ୍ଡ ଦେବା ତାଙ୍କର ପ୍ରାଥମିକତା ହେବ ବୋଲି ସେ କହିଛନ୍ତି।
ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ସିନ୍ଧ ରେଞ୍ଜରଙ୍କ ଦ୍ୱାରା ପିଏମଏଲ-ଏନ ର କ୍ୟାପଟେନ (ଅବସରପ୍ରାପ୍ତ) ସଫଦାରଙ୍କ ଗିରଫ, ସେନା ସହିତ ଜଡିତ ଆଉ ଏକ ରାଜନୈତିକ ସଙ୍କଟ ସୃଷ୍ଟି କରିଛି | ଯଦିଓ ତାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା ତେବେ ଉଲ୍ଲେଖ ଯୋଗ୍ୟ ଯେ, ସଙ୍ଘିୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସିନ୍ଧର ଆଇଜିପିଙ୍କୁ ଅପହରଣ କରାଯାଇଥିଲା ଓ କ୍ୟାପଟେନ ସଫଦାରଙ୍କ ଗିରଫ ୱାରେଣ୍ଟରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିଲା ! ସିନ୍ଧର ଆଇଜିପିଙ୍କ ସମେତ ବହୁ ବରିଷ୍ଠ ପୋଲିସ କର୍ମଚାରୀ ଏହି ଘଟଣାରେ ଅପମାନିତ ହୋଇଥିବା ଏବଂ ଆଇଜିପି ଅପହରଣ ଘଟଣାର ତଦନ୍ତ କରାଯିବା ଲାଗି ଦାବି ଜଣାଇ ସମସ୍ତେ କାର୍ଯ୍ୟରୁ ଛୁଟିରେ ଯାଇଥିଲେ। ତେଣେ ସିନ୍ଧର ମୁଖ୍ୟମନ୍ତ୍ରୀ ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ପର୍ଦ୍ଦାଫାସ କରି କହିଥିଲେ ଯେ ଯଦି ସେ ପିଏମଏଲ-ଏନ ନେତା କ୍ୟାପ୍ଟେନ (ଅବସରପ୍ରାପ୍ତ) ସଫଦରଙ୍କ ବିରୋଧରେ ମାମଲା ରୁଜୁ ନକରନ୍ତି ତେବେ ତାଙ୍କ ସରକାରକୁ ବରଖାସ୍ତ କରାଯିବ ବୋଲି ତାଙ୍କୁ ଧମକ ଦିଆଯାଇଥିଲା ।
ପାକିସ୍ତାନର ସେନା ମୁଖ୍ୟ ଜେନେରାଲ କାମାର ବାଜୱା ସିନ୍ଧର କର୍ପ କମାଣ୍ଡରଙ୍କୁ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସିନ୍ଧ ପୋଲିସ ବାହିନୀକୁ କାର୍ଯ୍ୟରେ ଯୋଗ ଦେବାକୁ କହିଛନ୍ତି।ଏକ ପ୍ରଦେଶର ଆଇନ ପ୍ରଣୟନକାରୀ ସଂସ୍ଥାର ମୁଖ୍ୟଙ୍କୁ ଅପହରଣ କରିବା ପାଇଁ ଏକ ସଙ୍ଘିୟ ଅର୍ଦ୍ଧସାମରିକ ବାହିନୀ ରାଜନୈତିକ ଉଦ୍ଦେଶ୍ୟରେ ବେଆଇନ ଭାବରେ ବ୍ୟବହୃତ ହୋଇଥିଲା |ପିଡିଏମ ମେଣ୍ଟ ଦ୍ଵାରା ପ୍ରତିବାଦ ଯୋଗୁଁ ସୃଷ୍ଟି ହୋଇଥିବା ଆଭ୍ୟନ୍ତରୀଣ ରାଜନୈତିକ ସଙ୍କଟ ପିଟିଆଇ ସରକାର ର ଭବିଷ୍ୟତ ପାଇଁ ହାନିକାରକ ହୋଇପାରେ।
ଆଲେଖ୍ୟ : ଜୈନାବ ଅଖତର, ପାକିସ୍ତାନ ମାମଲାରେ ବିଶ୍ଳେଷକ
Comments
Post a Comment