ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଏକ ଭର୍ଚୁଆଲ ବୈଠକରେ କଥାବାର୍ତ୍ତା କରିଛନ୍ତି | ଏହି ବୈଠକ ସମୟରେ ସେମାନେ ଦ୍ଵିପକ୍ଷୀୟ ସମ୍ପର୍କ ଏବଂ ଆପୋଷ ସ୍ଵାର୍ଥ ବିଜଡିତ ଆଞ୍ଚଳିକ ଓ ଆନ୍ତର୍ଜାତୀୟ ପ୍ରସଙ୍ଗ ନେଇ ବ୍ୟାପକ ଆଲୋଚନା କରିଥିଲେ | ଦୁଇ ପଡୋଶୀ ରାଷ୍ଟ୍ର ମଧ୍ୟରେ ଦୀର୍ଘ ଦିନରୁ ବନ୍ଧୁତ୍ବପୂର୍ଣ୍ଣ ଓସୌହାର୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିଆସିଛି |
ନଭେମ୍ବର 2019 ଓ ଫେବୃୟାରି 2020ରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଓ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ସଫଳ ଭାରତ ଗସ୍ତକୁ ଦୁଇ ନେତା ସ୍ମରଣ କରିଥିଲେ | ଏହି ଗସ୍ତ ଭବିଷ୍ୟତରେ ସମ୍ପର୍କ ସ୍ଥାପନା ଲାଗି ସ୍ପଷ୍ଟ ରାଜନୈତିକ ଦିଗ ଓ ଦୃଷ୍ଟିକୋଣର ନିଦର୍ଶନ ଥିଲା |
ପ୍ରଧାନମନ୍ତ୍ରୀ ରାଜପକ୍ଷେ, ଏହି ଅଞ୍ଚଳର ଦେଶ ଗୁଡିକୁ ପାରସ୍ପରିକ ସମର୍ଥନ ଓ ସହାୟତା ଦୃଷ୍ଟିକୋଣକୁ ଆଧାର କରି କୋଭିଡ-19 ମହାମାରୀ ବିରୁଦ୍ଧରେ ସଂଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଳିଷ୍ଠ ନେତୃତ୍ଵକୁ ଭୂୟସୀ ପ୍ରଶଂସା କରିଛନ୍ତି | ବର୍ତ୍ତମାନ ଉଭା ହୋଇଥିବା ପରିସ୍ଥିତି ଦ୍ଵିପାକ୍ଷୀୟ ସମ୍ପର୍କକୁ ଆହୁରି ଘନିଭୁତ କରିବା ପାଇଁ ଏକ ନୂତନ ସୁଯୋଗ ପ୍ରଦାନ କରିଛି ବୋଲି ଉଭୟ ନେତା ସହମତ ହୋଇଛନ୍ତି | ମହାମାରୀ ଜନିତ ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ପ୍ରଭାବକୁ କମ କରିବା ପାଇଁ ଶ୍ରୀଲଙ୍କାକୁ ସବୁ ପ୍ରକାରର ସମ୍ଭାବ୍ୟ ସମର୍ଥନ ପ୍ରଦାନ ପାଇଁ ନୂଆଦିଲ୍ଲୀର ପ୍ରତିବଦ୍ଧତାକୁ ଭାରତୀୟ ପ୍ରଧାନମନ୍ତ୍ରୀ ଦୋହୋରାଇଛନ୍ତି |
ଦ୍ଵିପକ୍ଷୀୟ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଆତଙ୍କବାଦ ଓ ନିଶା ଔଷଧ କାରବାରର ମୁକାବିଲା କରିବା, ଗୁଇନ୍ଦା ତଥ୍ୟ ଓ ସୂଚନା ଆଦାନ ପ୍ରଦାନ, ଉଗ୍ରବାଦ ଦମନ ତଥା ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଲାଗି ନେତା ଦ୍ୱୟ ଏକମତ ହୋଇଛନ୍ତି | ଶ୍ରୀଲଙ୍କା ଦ୍ଵାରା ଚିହ୍ନଟ କରାଯାଇଥିବା ପ୍ରାଥମିକ କ୍ଷେତ୍ର ଅନୁଯାୟୀ ଫଳପ୍ରଦ ଏବଂ ପ୍ରଭାବୀ ବିକାଶ ଭାଗୀଦାରୀତା ଜାରି ରଖିବା ଓ 2020-2025 ବର୍ଷ ପାଇଁ ଉଚ୍ଚ ପ୍ରଭାବୀ ସମୁଦାୟ ବ୍ବିକାଶ ପ୍ରକଳ୍ପ (ଏଚଆଇସିଡ଼ିପି) ର କାର୍ଯ୍ୟକାରିତା ପାଇଁ ବୁଝାମଣା ସ୍ମାରକ ପତ୍ର ଅଧୀନସ୍ଥ ଦ୍ବୀପପୁଞ୍ଜର ଯୋଗଦାନକୁ ଆହୁରି ବ୍ୟାପକ କରିବାକୁ ସେମାନେ ରାଜି ହୋଇଛନ୍ତି |
ବୃକ୍ଷରୋପଣ ଇଲାକାରେ 10,000 ଆବାସିକ ୟୁନିଟ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ଉଭୟ ପକ୍ଷ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ସହମତି ପ୍ରକାଶ ପାଇଛି | ସୂଚନାଯୋଗ୍ୟ ଯେ 2017 ମସିହା ମେ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କା ଗସ୍ତ ସମୟରେ ଏବିଷୟରେ ଘୋଷଣା କରିଥିଲେ | ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜି ବିନିଯୋଗ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ସହ କୋଭିଡ-19 ମହାମାରୀ ଦ୍ଵାରା ଉଭା ହୋଇଥିବା ଚାଲେଞ୍ଜ ପରିପ୍ରେକ୍ଷୀରେ ଯୋଗାଣ ଶୃଙ୍ଖଳାର ଏକୀକରଣକୁ ଆହୁରି ପ୍ରଗାଢ କରିବାକୁ ଦୁଇପକ୍ଷ ରାଜି ହୋଇଛନ୍ତି |
ନୂଆଦିଲ୍ଲୀ ଓ କଲୋମ୍ବୋ ଦୁଇ ଦେଶ ମଧ୍ୟରେ ଏକ ଆପୋଷ ହିତକାରୀ ବିକାଶ ସହଯୋଗ ଭାଗୀଦାରୀତା ପ୍ରତି ଦୃଢ ପ୍ରତିବଦ୍ଧତା ଓ ଦ୍ଵିପକ୍ଷୀୟ ରାଜିନାମା ଓ ଏମଓୟୁ ଅନୁଯାୟୀ ରୀତିମତ ବିଚାର ବିମର୍ଶ ଜରିଆରେ ବନ୍ଦର ଓ ଶକ୍ତି କ୍ଷେତ୍ର ସମେତ ଭିତ୍ତିଭୂମି ତଥା ସଂଯୋଗୀକରଣ ପ୍ରକଳ୍ପର ଶୀଘ୍ର କାର୍ଯ୍ୟକାରୀ ଲାଗି ମିଳିମିଶି କାମ କରିବା ପାଇଁ ସହମତ ହୋଇଛନ୍ତି | ଦୁଇ ପକ୍ଷ ମଧ୍ୟ ଭାରତରୁ 100 ନିୟୁତ ଆମେରିକୀୟ ଡଲାରର ଋଣ ସହାୟତାରେ ବିଶେଷକରି ସୌର ପ୍ରକଳ୍ପ ଉପରେ ଅଧିକ ଧ୍ୟାନ ଦେବା ସହ ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଯୋଗକୁ ଆହୁରି ସୁଦୃଢ କରିବା ଲାଗି ମଧ୍ୟ ସହମତ ହୋଇଛନ୍ତି |
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓ ଶ୍ରୀ ରାଜପକ୍ଷେ ବୌଦ୍ଧ ଧର୍ମ, ଆୟୁର୍ବେଦ ଓ ଯୋଗ ଭଳି ସମାନ ସଭ୍ୟତା ସହ ସମ୍ପର୍କ ତଥା ସାଧାରଣ ଐତିହ୍ୟ କ୍ଷେତ୍ରରେ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ନିବିଡ କରିବା ଉପରେ ଗୁରୁତ୍ଵାରୋପ କରିଛନ୍ତି | ଭାରତ, ପବିତ୍ର ସହର କୁଶୀନଗରକୁ ଉଦଘାଟନୀ ଆନ୍ତର୍ଜାତୀୟ ବିମାନରେ ଶ୍ରୀଲଙ୍କାରୁ ବୌଦ୍ଧ ତୀର୍ଥ ଯାତ୍ରୀ ମାନଙ୍କ ଏକ ପ୍ରତିନିଧି ଦଳକୁ ଗସ୍ତ କରିବାର ସୁବିଧା ଯୋଗାଇବ | ଉଲ୍ଲେଖ ଯୋଗ୍ୟ ଯେ ବୌଦ୍ଧ ଧର୍ମରେ ଏହି ସହରର ମହତ୍ଵକୁ ପ୍ରତିପାଦନ କରି ସମ୍ପ୍ରତ୍ତି ଏହାକୁ ଏକ ଆନ୍ତର୍ଜାତୀୟ ବିମାନ ବନ୍ଦରର ମର୍ଯ୍ୟାଦା ଦିଆଯାଇଛି | କୋଭିଡ-19 ଦ୍ଵାରା ଉଭା ହୋଇଥିବା ବିପଦକୁ ଦୃଷ୍ଟିରେ ରଖି ଯାତ୍ରା ଆରମ୍ଭ କରିବା ଲାଗି ଦୁଇ ଦେଶ ମଧ୍ୟରେ ଶୀଘ୍ର “ଏୟାର ବବଲ୍ସ “ ସ୍ଥାପନା କରିବା ଓ ଯୋଗାଯୋଗ ବୃଦ୍ଧି କରି ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ଦୁଇ ପ୍ରଧାନମନ୍ତ୍ରୀ ସହମତ ହୋଇଛନ୍ତି |
ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ ସମେତ ପ୍ରଚଳିତ ଢାଞ୍ଚା ଓ ସହଭାଗୀ ଲକ୍ଷ ଅନୁଯାୟୀ ନିୟମିତ ବିଚାର ବିମର୍ଶ ଏବଂ ଦ୍ଵିପକ୍ଷୀୟ କଥାବାର୍ତ୍ତା ମାଧ୍ୟମରେ ମତ୍ସ୍ୟଜୀବୀଙ୍କ ସହ ଜଡିତ ସମସ୍ୟାର ସମାଧାନ ପାଇଁ ଉଭୟ ପକ୍ଷ ଆଲୋଚନା ଜାରି ରଖିବେ |
ଦୁଇ ଦେଶ ମଧ୍ୟରେ ବୌଦ୍ଧ ଧର୍ମର ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ 15 ନିୟୁତ ଆମେରିକୀୟ ଡଲାରର ଅନୁଦାନ ସହାୟତା ଘୋଷଣାକୁ ଶ୍ରୀ ରାଜପକ୍ଷେ ସ୍ଵାଗତ ଜଣାଇଛନ୍ତି | ଏହି ଅନୁଦାନ ବୌଦ୍ଧ ମଠର ନିର୍ମାଣ/ ନବୀକରଣ, ଦକ୍ଷତା ବିକାଶ, ସାଂସ୍କୃତିକ ଆଦାନ ପ୍ରଦାନ, ପ୍ରତ୍ନତାତ୍ତ୍ଵିକ ସହଯୋଗ, ବୁଦ୍ଧଙ୍କ ଅବଶେଷର ପାରସ୍ପରିକ ପ୍ରଦର୍ଶନୀ, ବୌଦ୍ଧ ଧର୍ମପ୍ରଚାରକ ଓ ବିଦ୍ଵାନଙ୍କ ମଧ୍ୟରେ ଆଲୋଚନା ଜରିଆରେ ବୌଦ୍ଧ ଧର୍ମ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଲୋକ ମାନଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ଅତୁଟ କରିବାରେ ସହାୟକ ହେବ |
ଶ୍ରୀଲଙ୍କା ସମ୍ବିଧାନର ତ୍ରୟୋଦଶ ସଂଶୋଧନର କାର୍ଯ୍ୟକାରିତା ସହ ପୁନଃସ୍ଥାପନା ପ୍ରକ୍ରିୟା କୁ ଆଗେଇନେବା ସମେତ ଏକ ମିଳିତ ଶ୍ରୀଲଙ୍କା ମଧ୍ୟରେ ସମାନତା, ନ୍ୟାୟ, ଶାନ୍ତି ଓ ସମ୍ମାନ ପାଇଁ ତାମିଲ ଲୋକଙ୍କ ଆଶା ଓ ଆକାଂକ୍ଷା ପରିପୂରଣ କରିବା ଲାଗି ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କାକୁ ଆହ୍ଵାନ ଜଣାଇଛନ୍ତି | ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାଜପକ୍ଷେ ବିଶ୍ଵାସ ପ୍ରକଟ କରି କହିଛନ୍ତି ଯେ ଶ୍ରୀଲଙ୍କା, ସାମ୍ବିଧାନିକ ବ୍ୟବସ୍ଥାର କାର୍ଯ୍ୟକାରିତା ଓ ଶ୍ରୀଲଙ୍କାବାସୀଙ୍କ ଜନାଦେଶ ଅନୁଯାୟୀ ତାମିଲ ସମେତ ସବୁ ଜାତିଗତ ଗୋଷ୍ଠୀର ଆଶା ଆକାଂକ୍ଷା ପୂରଣ କରିବା ଲାଗି ସବୁ ମନ୍ତେ କାର୍ଯ୍ୟ କରିବ |
ସାର୍କ, ବିମଷ୍ଟେକ, ଆଇଓଆରଏ ଏବଂ ଜାତିସଂଘ ବ୍ୟବସ୍ଥା ଢାଞ୍ଚା ସମେତ ଆଞ୍ଚଳିକ ତଥା ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ବୃଦ୍ଧି ପାଉଥିବା ପାରସ୍ପରିକ ମତ ବିନିମୟ ପ୍ରତି ଉଭୟ ନେତା ସନ୍ତୋଷ ପ୍ରକଟ କରିଛନ୍ତି | ସେମାନେ ବିଭିନ୍ନ ବହୁପକ୍ଷୀୟ ମଞ୍ଚରେ ମିଳିମିଶି କାମ କରିବାକୁ ରାଜି ହୋଇଛନ୍ତି |
ଆଲେଖ୍ୟ : କୌଶିକ ରାୟ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ
Comments
Post a Comment