ଦେଶରେ କରୋନା ମହାମାରୀ (କୋଭିଡ-19) ଯୋଗୁଁ ଉପୁଜିଥିବା ସାଂପ୍ରତିକ ସ୍ଥିତି , ଏହାର ମୁକାବିଲା ଜନିତ ଅଧିକ ପ୍ରସ୍ତୁତି ଏବଂ ପରିଚାଳନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ମାନଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି | ଏହି ବୈଠକରେ ସର୍ବାଧିକ ପ୍ରଭାବିତ ଆଠଟି ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ବିଶେଷ ଧ୍ୟାନ ଦିଆଯାଇ ଆଲୋଚନା ହୋଇଥିଲା । ଏହି ରାଜ୍ୟଗୁଡ଼ିକ ହେଉଛି ହରିୟାଣା, ଦିଲ୍ଲୀ, ଛତିଶଗଡ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ଗୁଜୁରାଟ ଏବଂ ପଶ୍ଚିମବଙ୍ଗ । ଏହି ବୈଠକରେ କୋଭିଡ -19 ଟିକାର ଯୋଗାଣ, ଆବଣ୍ଟନ ଏବଂ ପରିଚାଳନା ପଦ୍ଧତି ଉପରେ ମୂଖ୍ୟତଃ ଆଲୋଚନା କରାଯାଇଥିଲା।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମନ୍ଵିତ ପ୍ରୟାସ ଦ୍ଵାରା ଦେଶ ମହାମାରୀର ସମ୍ମୁଖୀନ ହୋଇଛି ଏବଂ ଏହା ଫଳରେ ଦେଶରେ ଉଭୟ ଆରୋଗ୍ୟଲାଭ ହାର ଏବଂ ମୃତ୍ୟୁ ହାର ବିଶ୍ଵର ଅଧିକାଂଶ ଦେଶ ତୁଳନାରେ ଭଲ ସ୍ଥିତିରେ ରହିଛି | ସେ କହିଥିଲେ ଯେ ଦେଶରେ କରୋନାର ପରୀକ୍ଷଣ ଏବଂ ଚିକିତ୍ସା ବ୍ୟବସ୍ଥାକୁ ଆହୁରି ସମ୍ପ୍ରସାରଣ କରିବାକୁ ପଡିବ ଏବଂ ଆକ୍ରାନ୍ତଙ୍କୁ ଭେଣ୍ଟିଲେଟର ଉପଲବ୍ଧ କରାଇବା ପାଇଁ ପିଏମ କେୟାର ପାଣ୍ଠି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଅମ୍ଳଜାନ ଉତ୍ପାଦନ ଦୃଷ୍ଟିରୁ ଦେଶର ମେଡିକାଲ କଲେଜ ଏବଂ ଜିଲ୍ଲା ସ୍ତରୀୟ ଡାକ୍ତରଖାନା ଗୁଡ଼ିକୁ ଆତ୍ମନିର୍ଭରଶୀଳ କରିବାକୁ ଉଦ୍ୟମ ଜାରି ରହିଛି ବୋଲି ଜଣାଇ ଏବେ ସମଗ୍ର ଦେଶରେ 160 ରୁ ଅଧିକଟି ନୂଆଁ ଅକ୍ସିଜେନ ପ୍ଳାଣ୍ଟ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।
ଦେଶରେ ବର୍ତ୍ତମାନ ଯେଉଁ କରୋନା ମହାମାରୀ ସଂଗ୍ରାମ ଜାରି ରହିଛି ସେ ନେଇ ଲୋକମାନେ କିପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଦର୍ଶାଇଛନ୍ତି | ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ ଏହାକୁ ସାମଗ୍ରିକ ଭାବେ ଚାରୋଟି ପର୍ଯ୍ୟାୟଭୁକ୍ତ କରାଯାଇପାରିବ। ପ୍ରଥମଟି ହେଲା ଭୟ ଯେତେବେଳେ ଲୋକମାନେ ଏହି ମହାମାରୀକୁ ନେଇ ଅତ୍ୟଧିକ ଭୟଭୀତ ହୋଇପଡିଥିଲେ | ଦ୍ୱିତୀୟ ପର୍ଯ୍ୟାୟରେ ଲୋକମାନେ କ୍ରମଶଃ ଏହି କରୋନା ଭୂତାଣୁ ପ୍ରତି ଥିବା ସେମାନଙ୍କ ସନ୍ଦେହ ଦୃଷ୍ଟିରୁ ରୋଗ ଲୁଚାଇବାକୁ ଚେଷ୍ଟା କରିଥିଲେ। ବହୁଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଭୟ କାରଣରୁ ଏହା ପ୍ରକାଶ କରୁନଥିଲେ | ତୃତୀୟ ପର୍ଯ୍ୟାୟରେ ଲୋକମାନେ ବାସ୍ତବତାକୁ ଗ୍ରହଣ କଲେ , ଯେତେବେଳେ ଲୋକମାନେ ରୋଗ ପ୍ରତି ଅଧିକ ସତର୍କ ରହିବା ସହ ଏହାକୁ ଅଧିକ ଗୁରୁତ୍ଵ ଦେଲେ | ଚତୁର୍ଥ ପର୍ଯ୍ୟାୟରେ, ଯେତେବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ଲୋକଙ୍କ ଆରୋଗ୍ୟ ହାର ବଢିଲା ସେତେବେଳେ ଭୂତାଣୁ ପ୍ରତି ଥିବା ଲୋକମାନଙ୍କ ଭ୍ରାନ୍ତ ଧାରଣା ବଦଳିବାକୁ ଲାଗିଲା ଏବଂ ସେମାନେ ବୁଝିପାରିଲେ ଯେ ରୋଗକୁ ଲୁଚାଇବା କିମ୍ବା ଏଥିପ୍ରତି ଅବହେଳା କରିବା ଉଚିତ ନୁହେଁ | ଏହି ଚତୁର୍ଥ ପର୍ଯ୍ୟାୟରେ କରୋନା ଭୂତାଣୁ ର ଭୟାବହତା ବିଷୟରେ ସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ଯେଉଁ ଦେଶରେ ଏହାର ପ୍ରଭାବ ପୂର୍ବରୁ ହ୍ରାସ ପାଉଥିଲା ସେହି ଦେଶରେ ଏବେ ଏହା ଗୁରୁତର ରୂପ ନେଇଛି | ଭାରତର କେତେକ ରାଜ୍ୟରେ ମଧ୍ୟ ସମାନ ପରିସ୍ଥିତି ଦେଖାଯାଉଛି, ତେଣୁ ସମ୍ପୃକ୍ତ ରାଜ୍ୟ ପ୍ରଶାସନ ଗୁଡିକ ଅଧିକ ସତର୍କ ଓ ସକ୍ରିୟ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
ଆରଟି-ପିସିଆର ପରୀକ୍ଷା ବୃଦ୍ଧି କରିବା, ରୋଗୀ ମାନଙ୍କ ଉପରେ ବିଶେଷକରି ହୋମ ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କ ସ୍ଥିତିର ଭଲଭାବେ ତଦାରଖ କରିବା, ଗ୍ରାମାଞ୍ଚଳ ତଥା ଗୋଷ୍ଠୀ ସ୍ତରରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଉତ୍ତମ ଚିକତ୍ସା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ବ୍ୟବସ୍ଥା କରି ଭୂତାଣୁ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଅଭିଯାନକୁ ଆହୁରି ବ୍ୟାପକ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ଆକ୍ରାନ୍ତଙ୍କ ମୃତ୍ୟୁ ହାରକୁ 1 ପ୍ରତିଶତରୁ ତଳକୁ ଆଣିବା ଉପରେ ଆମକୁ ଲକ୍ଷଧାର୍ଯ୍ୟ କରିବାକୁ ପଡିବ ।
ପ୍ରଧାନମନ୍ତ୍ରୀ ଏହି ବୈଠକ ସମୟରେ ମୁଖ୍ୟମନ୍ତ୍ରୀ ମାନଙ୍କୁ ପୁନର୍ବାର ଆଶ୍ୱାସନା ଦେଇଛନ୍ତି ଯେ ଟୀକାକରଣର ବିକାଶ ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ଏକ୍ଷେତ୍ରରେ ଟୀକା ପ୍ରସ୍ତୁତ କରୁଥିବା ଭାରତୀୟ ବିଶେଷଜ୍ଞ ଗୋଷ୍ଠୀ ଏବଂ ଉତ୍ପାଦକଙ୍କ ସମେତ ଅନ୍ୟାନ୍ୟ ଦେଶର ସରକାର, ବହୁପକ୍ଷୀୟ ଅନୁଷ୍ଠାନ ଏବଂ ଆନ୍ତର୍ଜାତୀୟ କମ୍ପାନୀ ଗୁଡିକ ସହିତ ନିରନ୍ତର ଯୋଗାଯୋଗ କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୋକମାନଙ୍କୁ ଟିକା ଦେବା ପୂର୍ବରୁ ଏହାର ସବୁ ନିରାପତ୍ତା ଓ ଆବଶ୍ୟକ ବୈଜ୍ଞାନିକ ମାନଦଣ୍ଡ କୁ ସୁନିଶ୍ଚିତ କରାଯିବ । କରୋନା ମହାମାରୀ ବିରୋଧୀ ସଂଗ୍ରାମରେ ଯେପରି ପ୍ରତ୍ୟେକଟି ଜୀବନକୁ ରକ୍ଷା କରିବା ପାଇଁ ପ୍ରାଧାନ୍ୟ ଦିଆଯାଇ କାର୍ଯ୍ୟ କରାଯାଉଛି ସେହିପରି ଟୀକା ପ୍ରଦାନ କ୍ଷେତ୍ରରେ ସମାନ ନୀତି ବଳବତ୍ତର ରହିବ | ସମସ୍ତେ ଯେପରି ଟୀକା ନେବାର ସୁଯୋଗ ପାଇବେ ତାହା ନିଶ୍ଚିତ କରାଯିବ | ଏହି ଟୀକାଦାନ ଅଭିଯାନ ଯେପରି ସୁଗମ, ବ୍ୟବସ୍ଥିତ ଏବଂ ନିରନ୍ତର ଭାବେ ଚାଲିବ ତାହା ନିଶ୍ଚିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସବୁ ସ୍ତରରେ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି |
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଟୀକାକରଣ କ୍ଷେତ୍ରରେ କାହାକୁ ଅଗ୍ରାଧିକାର ଦିଆଯିବ ସେ ନେଇ ରାଜ୍ୟମାନଙ୍କ ସହିତ ପରାମର୍ଶରେ ସ୍ଥିର କରାଯାଉଛି। ସେହିପରି ଟୀକାକୁ ସଂରକ୍ଷିତ କରିବା ପାଇଁ ଯେଉଁ ଅତିରିକ୍ତ ଶୀତଳ ଜଞ୍ଜିର ବା କୋଲ୍ଡ ଚେନର ଆବଶ୍ୟକତା ରହିଛି ସେ ସମ୍ପର୍କରେ ମଧ୍ୟ ରାଜ୍ୟମାନଙ୍କ ସହିତ ବିଚାର ଆଲୋଚନା କରାଯାଇଛି। ଏଥି ସକାଶେ ରାଜ୍ୟ ସ୍ତରୀୟ ପରିଚାଳନା କମିଟି ଏବଂ ରାଜ୍ୟ ତଥା ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସର କାର୍ଯ୍ୟ ନିୟମିତ ଭାବେ ଅନୁଧ୍ୟାନ କରି ଏହି ଅଭିଯାନକୁ ଅଧିକ ପ୍ରଭାବଶାଳୀ ଓ ସଫଳ କରିବାକୁ ସେ ମୁଖ୍ୟମନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଚେତାବନୀ ଦେଇ କହିଛନ୍ତି ଯେ ଆମ ଅତୀତର ଅଭିଜ୍ଞତା କହୁଛି ଯେ ଟୀକାକୁ ନେଇ ମିଥ୍ୟା କାହାଣୀ ଓ ଗୁଜବ ଚାରିଆଡ଼େ ବ୍ୟାପିଥାଏ । କରୋନା ଟୀକାକରଣର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଗୁଜବ ପ୍ରଚାର ହୋଇପାରେ | ତେଣୁ ନାଗରିକ ସମାଜ, ଏନସିସି ଓ ଏନଏସଏସର ଛାତ୍ର ତଥା ଗଣମାଧ୍ୟମ ସମେତ ସମସ୍ତ ସମ୍ଭାବ୍ୟ ସହାୟତା ଗ୍ରହଣ କରି ଅଧିକରୁ ଅଧିକ ସଚେତନତା ସୃଷ୍ଟି କରି ଏହାର ଉଚିତ ମୁକାବିଲା କରାଯିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।
ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିବା ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କରୋନା ବିରୋଧୀ ସଂଗ୍ରାମରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହ ରାଜ୍ୟଗୁଡିକରେ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ଆଣିବା ଦିଗରେ କେନ୍ଦ୍ରସରକାର ଆବଶ୍ୟକ ସହାୟତା ପ୍ରଦାନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ସେମାନେ ନିଜ ନିଜ ରାଜ୍ୟରେ କରୋନା ଯୋଗୁଁ ଉପୁଜିଥିବା ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ | ସେମାନେ କରୋନାର ସଂକ୍ରମଣ, କୋଭିଡ ପରବର୍ତ୍ତୀ ଜଟିଳତା, ପରୀକ୍ଷଣ ସୁବିଧା ବୃଦ୍ଧି କରିବା , ରାଜ୍ୟର ସୀମାନ୍ତରେ ପରୀକ୍ଷଣ ସୁବିଧା ଯୋଗାଣ , ପ୍ରତ୍ୟେକ ଘରକୁ ଯାଇ ଲୋକଙ୍କ ପରୀକ୍ଷା କରିବା ବ୍ୟବସ୍ଥା , ଜନସମାବେଶକୁ ରୋକିବା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ , ଭିଡ ହଟାଇବା ପାଇଁ କର୍ଫ୍ୟୁ ବ୍ୟବସ୍ଥା ଲାଗୁ ଏବଂ ମାସ୍କ ବ୍ୟବହାର ବୃଦ୍ଧି ପାଇଁ ଜନସଚେତନତା ସୃଷ୍ଟି ଆଦି ସମ୍ପର୍କରେ ନିଜ ନିଜ ରାଜ୍ୟରେ ଜାରି ରହିଥିବା ଅଭିଯାନ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ | କରୋନା ଟୀକା କିପରି ପ୍ରଦାନ କରାଯିବ ସେ ବିଷୟ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ମାନେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ ଓ ଏ ବିଷୟରେ ସେମାନେ ଆଲୋଚନା ମଧ୍ୟ କରିଥିଲେ।
ଆଲେଖ୍ୟ : କୌଶିକ ରାୟ ; ଆକାଶବାଣୀ ସମ୍ବାଦ ବିଶ୍ଳେଷକ

Comments
Post a Comment