Skip to main content

ଜେନେରାଲ ନାରାବଣେଙ୍କ ନେପାଳ ଗସ୍ତ : ଭାରତ-ନେପାଳ ସମ୍ପର୍କର ଅଗ୍ରଗତିରେ ଏକ ମାଇଲଖୁଣ୍ଟ

ଭାରତୀୟ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁଣ୍ଡ ନାରବଣେଙ୍କ ତିନି ଦିନିଆ ନେପାଳ ଗସ୍ତକୁ ଭାରତ ଏବଂ ନେପାଳ ମଧ୍ୟରେ ଏକ ଦୃଢ ଐତିହାସିକ ସମ୍ପର୍କର ନିଦର୍ଶନ ବୋଲି ବିବେଚନା କରାଯିବା ସହ ଅନେକ କ୍ଷେତ୍ରରେ ଏହାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି | ଏକ ବର୍ଷରୁ ଅଧିକ ସମୟ ଧରି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବା ପରଠାରୁ ଭାରତ ପକ୍ଷରୁ କାଠମାଣ୍ଡୁକୁ ଏହା ପ୍ରଥମ ଉଚ୍ଚ ସ୍ତରୀୟ ଗସ୍ତ ଥିଲା। ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ପରମ୍ପରାକୁ ପାଳନ କରି ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ଉପସ୍ଥିତିରେ ଜେନେରାଲ ନାରାବଣେଙ୍କୁ ନେପାଳ ସେନାର ଜେନେରାଲ ପଦବୀର ସମ୍ମାନଜନକ ଉପାଧିରେ ବିଭୂଷିତ କରିଥିଲେ । ସମ୍ପ୍ରତ୍ତି ବର୍ତ୍ତମାନର ଉପପ୍ରଧାନମନ୍ତ୍ରୀ ଇଶ୍ୱର ପୋଖରେଲଙ୍କୁ ପ୍ରତିରକ୍ଷା ବିଭାଗରୁ ହଟେଇଦେବା ପରେ ଶ୍ରୀ ଶର୍ମା ଓଲି ଦେଶର ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ଵ ମଧ୍ୟ ତୁଲାଉଛନ୍ତି । ଏହି ଅବସରରେ ନେପାଳରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିନୟ କ୍ୱାଟ୍ରା, ନେପାଳ ସେନା ମୁଖ୍ୟ ପୂର୍ଣ୍ଣ ଚନ୍ଦ୍ର ଥାପା ଏବଂ ଉଭୟ ପକ୍ଷର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । 1952 ପରଠାରୁ ଉଭୟ ଭାରତ ଏବଂ ନେପାଳ ପରସ୍ପରର ସେନା ଜେନେରାଲଙ୍କୁ ସମ୍ମାନଜନକ ଆଖ୍ୟା ପ୍ରଦାନ କରିବାର ପରମ୍ପରା ରହିଛି । 2019 ଜାନୁଆରୀରେ ନେପାଳ ସେନା ମୁଖ୍ୟ ଶ୍ରୀ ଥାପାଙ୍କୁ ଭାରତୀୟ ସେନାର ଜେନେରାଲ ପଦବୀର ସମ୍ମାନଜନକ ଆଖ୍ୟା ପ୍ରଦାନ କରାଯାଇଥିଲା |

ପାଖାପାଖି 1,800 କିଲୋମିଟର ଦୀର୍ଘ ବିଶିଷ୍ଟ ସୀମା ସଂଲଗ୍ନ ଥିବା ଦୁଇ ଘନିଷ୍ଠ ପଡୋଶୀ, ଭାରତ ଓ ନେପାଳ ମଧ୍ୟରେ ପରସ୍ପରର ସୁରକ୍ଷା ସଙ୍କ୍ରାନ୍ତୀୟ ଉଦବେଗକୁ ନେଇ ଗଭୀର ବୁଝାମଣା କରିବା ଓ ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ଏହା ଏକ ମହତ୍ବପୂର୍ଣ୍ଣ ଘଟଣା ଥିଲା | ଭୌଗୋଳିକ ତଥା ଭୂ ରାଜନୈତିକ ନିକଟତରତାକୁ ହୃଦୟଙ୍ଗମ କରୁଥିବା ଦୁଇ ଦେଶ ମଧ୍ୟରେ ସାମରିକ ସମ୍ପର୍କ ଥିବା ସହିତ ବହୁ ଶତାବ୍ଦୀ ପୁରାତନ ଧାର୍ମିକ, ସାଂସ୍କୃତିକ, ସାମାଜିକ ଓ ପାରସ୍ପରିକ ହିତସାଧନ ପାଇଁ ଆର୍ଥିକ ସମ୍ପର୍କ ସହ ଦୃଢ ଜନସମ୍ପର୍କ ମଧ୍ୟ ରହିଆସିଛି । ଭାରତ ଏହାର କର୍ମଚାରୀମାନଙ୍କୁ ତାଲିମ ଦେବା ଏବଂ ଉପକରଣ ଯୋଗାଣ ମାଧ୍ୟମରେ ଆଧୁନିକୀକରଣରେ ନେପାଳ ସେନାକୁ ସହାୟତା ଯୋଗାଇଥାଏ | ଦୁଇ ଦେଶର ସେନା ବାହିନୀ ମଧ୍ୟ ଭାରତ ଏବଂ ନେପାଳରେ ଅଦଳ ବଦଳ କରି ମିଳିତ ସମରାଭ୍ୟାସ କରନ୍ତି।

ଅନେକ ମାସ ପରେ ନେପାଳକୁ ପ୍ରଥମ ଉଚ୍ଚ ସ୍ତରୀୟ ଗସ୍ତ କରିଥିବାରୁ ଏହା ଉଭୟ ଦେଶକୁ ପରସ୍ପରର ଉଦବେଗ ଗୁଡିକୁ ହୃଦୟଙ୍ଗମ କରିବାରେ ଏକ ସୁଯୋଗ ଦେଇଥିଲା | ଦୁଇ ଦେଶ ମଧ୍ୟରେ ଉପୁଜିଥିବା କୌଣସି ଭୁଲ ବୁଝାମଣାକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ଓଲି ଜେନେରାଲ ନାରାବଣେଙ୍କୁ କହିଛନ୍ତି ବୋଲି ଖବରରୁ ଜଣାପଡିଛି । ପରେ ତାଙ୍କର ବୈଦେଶିକ ବ୍ୟାପାର ଉପଦେଷ୍ଟା କହିଛନ୍ତି ଯେ ଭାରତ, କଳାପାଣି ସମସ୍ୟାର ସମାଧାନ କରୁ ବୋଲି ନେପାଳ ଚାହେଁ ଯାହାକି ବୈଠକର ଆଲୋଚ୍ୟ ବିଷୟ ଥିଲା । ବାସ୍ତବରେ କହିବାକୁ ଗଲେ ଭାରତ-ନେପାଳ ସମ୍ପର୍କରେ ସେତେବେଳେ ସୁଧାର ପରିଲକ୍ଷିତ ହୋଇଥିଲା ଯେତେବେଳେ ଶ୍ରୀ ଓଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଧୀନତା ଦିବସ ଅବସରରେ ଏବଂ ଜାତିସଂଘ ସୁରକ୍ଷା ପରିଷଦର ଏକ ଅସ୍ଥାୟୀ ସଦସ୍ୟ ଭାବରେ ଭାରତର ନିର୍ବାଚନରେ ​​ଅଭିନନ୍ଦନ ଜଣାଇଥିଲେ। 

ନେପାଳ, ଉତ୍ତରାଖଣ୍ଡର ଲିମ୍ପିଆଢୁରା ଏବଂ କଳାପାଣି ଅଞ୍ଚଳକୁ ଏହାର ସାର୍ବଭୌମ୍ୟ ଅଞ୍ଚଳ ଭାବେ ଦାବି ଜଣାଇ ଏହାର ଆଞ୍ଚଳିକ ମାନଚିତ୍ରରେ ଦର୍ଶାଇବା ପରେ ଭାରତ ଏବଂ ନେପାଳ ମଧ୍ୟରେ ଥିବା ଆନ୍ତରିକ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଚଳିତ ବର୍ଷ ମେ ମାସରେ ଚୀନର ତିବ୍ଦତ ସ୍ୱୟଂଶାସିତ ଅଞ୍ଚଳ, ନେପାଳ ଏବଂ ଭାରତର ଟ୍ରାଇଜଙ୍କସନ ନିକଟରେ ଉତ୍ତରାଖଣ୍ଡର ଧର୍ଚୁଲା ସହରରୁ ଲିପୁଲେଖ ପର୍ଯ୍ୟନ୍ତ 80 କିଲୋମିଟର ଦୀର୍ଘ ରାସ୍ତା ଉଦଘାଟନ କରାଯିବା ପରେ ନେପାଳ ଭାରତ ଉପରେ ଆପତ୍ତି ଉଠାଇଥିଲା। | ସୀମା ପ୍ରସଙ୍ଗ ନେଇ ତୁରନ୍ତ ସମାଧାନ ପାଇଁ ନେପାଳ ବୈଦେଶିକ ସଚିବ ସ୍ତରୀୟ କଥାବାର୍ତ୍ତା କରିବାକୁ ଚାହୁଁଥିଲା କିନ୍ତୁ ଉଭୟ ଦେଶରେ କୋଭିଡ -19 ମହାମାରୀ ବୃଦ୍ଧି ପାଉଥିବାରୁ ପରିସ୍ଥିତି ସୁଧାରିବା ପର୍ଯ୍ୟନ୍ତ ଭାରତ ଏହାକୁ ସ୍ଥଗିତ ରଖିଥିଲା । 

ନେପାଳର ଓଲି ସରକାର ଦେଶର ଏକ ସଂଶୋଧିତ ମାନଚିତ୍ର ଜାରି କରି ପ୍ରାୟ 335 ବର୍ଗ କିଲୋମିଟର କ୍ଷେତ୍ର ବିଶିଷ୍ଟ ଲିପୁଲେଖ, ଲିମ୍ପିଆଧୁରା ଏବଂ କଳାପାଣିକୁ ଏହାର ସାର୍ବଭୌମ୍ୟ ଅଞ୍ଚଳ ଭାବରେ ଦର୍ଶାଇ ଏହାକୁ ସଂସଦରୁ ଅନୁମୋଦନ କରିଛନ୍ତି । ଏହାକୁ ବିଦ୍ୟାଳୟ ପାଠ୍ୟକ୍ରମର ନୂତନ ମାନଚିତ୍ର ଭାବେ ମଧ୍ୟ ସ୍ଥାନିତ କରାଯାଇଛି | ଭାରତ, ଏହିପରି ଅଯୁକ୍ତିଯୁକ୍ତ କାର୍ଯ୍ୟରୁ ନିବୃତ୍ତ ରହିବାକୁ ନେପାଳକୁ ଆହ୍ଵାନ ଜଣାଇଥିବା ବେଳେ ସୀମା ବିବାଦର ସମାଧାନ ପାଇଁ କାଠମାଣ୍ଡୁ ସକାରାତ୍ମକ ବାତାବରଣ ସୃଷ୍ଟି କରୁ ବୋଲି ଭାରତ ଚାହେଁ । ତେଣେ ପରିସ୍ଥିତିକୁ ସ୍ଵାଭାବିକ ଅବସ୍ଥାକୁ ଫେରାଇ ଆଣିବା ପାଇଁ ନେପାଳ, ବିଦ୍ୟାଳୟ ପାଠ୍ୟକ୍ରମରୁ ଏହାର ନୂତନ ଆଞ୍ଚଳିକ ମାନଚିତ୍ର ପ୍ରତ୍ୟାହାର କରିନେଇଛି। 



ରଣନୈତିକ ବିଶ୍ଳେଷକ ଏବଂ ସୁରକ୍ଷା ବିଶେଷଜ୍ଞଙ୍କ ଉକ୍ତିକୁ ଉଦ୍ଧାର କରି କୁହାଯାଇଛି ଯେ ଜେନେରାଲ ନାରାବଣେଙ୍କ ଗସ୍ତ ତଥା ନେପାଳ ସରକାରଙ୍କ ଦ୍ଵାରା ନିଆଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପ୍ରତ୍ତି ଉଭା ହୋଇଥିବା ସମସ୍ୟାର ସ୍ଥାୟୀ ସମାଧାନ ଲାଗି କଥାବାର୍ତ୍ତା ଆରମ୍ଭ କରିବା ପାଇଁ ପାରସ୍ପରିକ ବିଶ୍ୱାସ ଏବଂ ଆତ୍ମବିଶ୍ୱାସ ପ୍ରତିଷ୍ଠା କରିବାରେ ସହାୟକ ହେବ । 

ଆଲେଖ୍ୟ : ରତନ ସାଲଦି, ରାଜନୈତିକ ଭାଷ୍ୟକାର

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...