Skip to main content

ୟୁଏଇ ସହ ଭାରତର ରଣନୀତିକ ସମ୍ପର୍କ ମଜବୁତ ଦିଗରେ ଅଗ୍ରସର

ଗତ ସପ୍ତାହରେ ସଂଯୁକ୍ତ ଆରବ ଏମିରେଟ୍ସକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଦୁଇ ଦିନିଆ ଗସ୍ତ କୋଭିଡ-19 ପରବର୍ତ୍ତୀ ସ୍ୱାଭାବିକ ସ୍ଥିତି ପାଇଁ ଭାରତର ରଣନୀତିର ଏକ ଅଂଶବିଶେଷ ଥିଲା । ଭାରତ-ଏମିରେଟ ମଧ୍ୟରେ ଘନିଷ୍ଠ ସମ୍ପର୍କ ସେତେବେଳେ ଲୋକଲୋଚନକୁ ଆସିଥିଲା ଯେତେବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଆବୁଧାବିର ଯୁବରାଜ ତଥା ୟୁଏଇର ଶାସକ ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହିନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ଉପସାଗରୀୟ ଅଞ୍ଚଳରେ ୟୁଏଇ ହେଉଛି ଭାରତର ଗୁରୁତ୍ୱପୂର୍ଣ୍ଣ ରଣନୀତିକ ଭାଗିଦାରୀ ରାଷ୍ଟ୍ର ।

ଭାରତୀୟ ନାଗରିକଙ୍କ ଉପଯୁକ୍ତ ଯତ୍ନ ନେବାରେ ଏମିରାଟ ଦ୍ଵାରା କରାଯାଇଥିବା ଉଦ୍ୟମ ତଥା ସହାୟତା ନେଇ ଭାରତର କୃତଜ୍ଞତା ଜ୍ଞାପନ କରିବା ସହ ଉଭୟ ନେତା ମଧ୍ୟ ପାରସ୍ପରିକ ଉଦବେଗ ଜନିତ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହାପରେ, ଡକ୍ଟର ଜୟଶଙ୍କର ତାଙ୍କ ଏମିରାଟ ପ୍ରତିପକ୍ଷଙ୍କ ସହ ବୈଠକ କରି ବାଣିଜ୍ୟ, ପୁଞ୍ଜି ବିନିଯୋଗ, ଭିତ୍ତିଭୂମି, ଶକ୍ତି, ଖାଦ୍ୟ ନିରାପତ୍ତା ଏବଂ ପ୍ରତିରକ୍ଷା ସମେତ ସେମାନଙ୍କର ବ୍ୟାପକ ରଣନୀତିକ ଭାଗିଦାରୀତା ନେଇ ବିସ୍ତୃତ ଆଲୋଚନା କରିଥିଲେ ଓ ଏହାର ସମୀକ୍ଷା କରାଯାଇଥିଲା । ସେମାନେ ମଧ୍ୟ ସାମ୍ପ୍ରତିକ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ବିକାଶ ଉପରେ ଆଲୋଚନା କରିଥିଲେ ଏବଂ ବିଭିନ୍ନ ବହୁପକ୍ଷୀୟ ପ୍ରସଙ୍ଗ ଗୁଡ଼ିକ ଉପରେ ସମନ୍ୱୟ ଜାରି ରଖିବାକୁ ସହମତ ହୋଇଥିଲେ |

ଗତ ବର୍ଷ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ୟୁଏଇକୁ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ଏହା ଥିଲା ପ୍ରଥମ ଗସ୍ତ । କୋଭିଡ-19 ମହାମାରୀ ଯୋଗୁଁ ଫେବୃଆରୀ ମଧ୍ୟଭାଗରୁ ଧୀରେ ଧୀରେ ବିଦେଶୀ ଯାତ୍ରାକୁ ବନ୍ଦ କରାଯାଇଥିଲା । ସେପ୍ଟେମ୍ବର ଆରମ୍ଭରେ ସୀମିତ ବିଦେଶ ଯାତ୍ରା ଆରମ୍ଭ ହେବା ପରେ ବୈଦେଶିକ ମନ୍ତ୍ରୀଙ୍କ ଏହା ତୃତୀୟ ବିଦେଶ ଗସ୍ତ ଥିଲା | ଏହା ପୂର୍ବରୁ ଡକ୍ଟର ଜୟଶଙ୍କର ରୁଷ ଏବଂ ଜାପାନ ଗସ୍ତ କରିଥିଲେ।

ଲକ ଡାଉନ ଜାରି ହୋଇଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଡଃ ଜୟଶଙ୍କର ଏମିରାଟର ନେତୃତ୍ୱଙ୍କ ସହ କଥା ହୋଇ କୋଭିଡ ସମ୍ବନ୍ଧୀୟ ରିଲିଫ କାର୍ଯ୍ୟକଳାପର ତଦାରଖ କରିଛନ୍ତି । ଏମିରାଟ-ଇସ୍ରାଏଲ୍ ସ୍ଥିତି ସ୍ଵାଭାବିକ ହେବାର ଘୋଷଣାର ଗୋଟିଏ ଦିନ ପରେ, ଅଗଷ୍ଟ 15 ତାରିଖ ଦିନ ୟୁଏଇର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ବିନ୍ ଜାଏଦ ବିନ୍ ସୁଲତାନ୍ ଅଲ୍ ନାହୟନ୍ ଡଃ ଜୟଶଙ୍କରଙ୍କୁ ଏ ବାବଦରେ ଅବଗତ କରାଇଥିଲେ ।

ବୈଦେଶିକ ମନ୍ତ୍ରୀ ତାଙ୍କ ଗସ୍ତ ସମୟରେ ଏମିରେଟ୍ସରେ ଭାରତୀୟ ସମ୍ପ୍ରଦାୟର ବାସିନ୍ଦା ମାନଙ୍କ ସହ ଅନଲାଇନ୍ ବାର୍ତ୍ତାଳାପ ମଧ୍ୟ କରିଥିଲେ | ଉପସାଗରୀୟ ସ୍ଥାନାନ୍ତରଣକୁ ନେଇ ଅନିଶ୍ଚିତତା ବୃଦ୍ଧି ପାଉଥିବା ବେଳେ ଏହି ବୈଠକକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି | “କୋଭିଡ ପରବର୍ତ୍ତୀ ପରିସ୍ଥିତିରେ ଭାରତୀୟ ଶ୍ରମିକଙ୍କ ପୁନଃ ଥଇଥାନ କରିବାର ଉପାୟ” ପ୍ରସଙ୍ଗ ଭାରତୀୟ ଏଜେଣ୍ଡାରେ ମୁଖ୍ୟ ଆଲୋଚ୍ୟ ବିଷୟ ଥିବା କଥା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଭାରତ “ବନ୍ଦେ ଭାରତ ମିଶନ” ଅଧୀନରେ 15 ସେପ୍ଟେମ୍ବର ପର୍ଯ୍ୟନ୍ତ, ୟୁଏଇରୁ 457,596 ଜଣଙ୍କ ସମେତ 1.38 ମିଲିୟନରୁ ଅଧିକ ନାଗରିକଙ୍କୁ ସ୍ଵଦେଶ ଆଣିଛି। ସମ୍ପ୍ରତି, ୟୁଏଇରେ ତିନି ନିୟୁତରୁ ଅଧିକ ଭାରତୀୟ ବସବାସ କରନ୍ତି ଏବଂ କାର୍ଯ୍ୟ କରନ୍ତି | ତେଣୁ, ବୈଦେଶିକ ମନ୍ତ୍ରୀ ପ୍ରବାସୀମାନଙ୍କ ସୁରକ୍ଷା ଏବଂ କଲ୍ୟାଣକୁ ନିଶ୍ଚିତ କରିବା ଲାଗି ପୁନଃ ଆଶ୍ୱାସନା ଦେଇଛନ୍ତି |

ଟିକା ବିକାଶ କ୍ଷେତ୍ରରେ ଅନେକ ଭରସା ଯୋଗ୍ୟ ଖବର ପ୍ରକାଶ ପାଉଥିବା ବେଳେ ଭାରତ ମଧ୍ୟ ଉପସାଗରୀୟ ଅଞ୍ଚଳକୁ ପ୍ରବାସୀମାନଙ୍କ ଫେରିବା ସହିତ ଏକ ନୂତନ ସ୍ୱାଭାବିକ ଅବସ୍ଥାକୁ ଧୀରେ ଧୀରେ ଫେରିବା ପାଇଁ ପ୍ରସ୍ତୁତ ହେଉଛି। ଆର୍ଥିକ ମାନ୍ଦାବସ୍ଥା ସହିତ, ପ୍ରାୟ ଏକ ନିୟୁତ ଭାରତୀୟ ଗଲ୍ଫ ଆରବ ଦେଶରୁ ଘରକୁ ଫେରିଛନ୍ତି ଯେଉଁଠାରେ 2019 ରେ ଆଠ ନିୟୁତରୁ ଅଧିକ ଭାରତୀୟ ବସବାସ କରୁଥିଲେ । କୋଭିଡ-19 ମହାମାରୀ ଯୋଗୁଁ ନୂଆଁ ଶ୍ରମିକଙ୍କ ଏହି ଅଞ୍ଚଳକୁ ବାର୍ଷିକ ସ୍ଥାନାନ୍ତରଣକୁ ମଧ୍ୟ ବାତିଲ କରାଯାଇଛି | ଭାରତରୁ ଶ୍ରମିକ ସ୍ଥାନାନ୍ତରଣ ପାଇଁ ଏମିରେଟ ହେଉଛି ଏକ ପ୍ରମୁଖ ସ୍ଥଳୀ |

ମୋଟାମୋଟି ଭାବେ କହିବାକୁ ଗଲେ ଭାରତର ଆର୍ଥିକ ସ୍ଥିତିର ପ୍ରଗତି ଭାରତ-ଏମିରାଟ ବାଣିଜ୍ୟ କାରବାର ଉପରେ ନିର୍ଭର କରେ | କୋଭିଡ ମହାମାରୀ ପୂର୍ବରୁ, ୟୁଏଇ ଭାରତର ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗୀଦାରୀ ଥିଲା ଯାହା 59.9 ବିଲିୟନ ଡ଼ଲାରରୁ ଅଧିକ ବାଣିଜ୍ୟ କରିଥିଲା। ଭାରତୀୟ ଅର୍ଥନୀତିର ପ୍ରଗତି ଭାରତ-ଏମିରେଟ୍ ଦ୍ୱିପାକ୍ଷିକ ବାଣିଜ୍ୟର ଅଗ୍ରଗତି ଉପରେ ନିର୍ଭର କରେ | ଜୋ ବିଡେନଙ୍କ ନିର୍ବାଚନରେ ​​ବିଜୟଲାଭ ଯୋଗୁଁ ଇରାନ ସହିତ ଆମେରିକାର କୂଟନନୈତିକ କଥାବାର୍ତ୍ତା ଏବଂ ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ହ୍ରାସ ହେବାର ଆଶା ଦେଖାଯାଉଛି ।

ଏଥିସହିତ , ୟେମେନରେ ସଫଳ ସାମରିକ ଅଭିଯାନ ଯୋଗୁଁ ୟୁଏଇ ଏହାର ସାମରିକ ଶକ୍ତି ବୃଦ୍ଧି କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଆମେରିକାରୁ 50 ଟି F-35 ଯୁଦ୍ଧ ବିମାନ ଲୋଡିଛି । ଇସ୍ରାଏଲ୍ ସହିତ ସ୍ଵାଭାବିକ ସମ୍ପର୍କ ପ୍ରାୟ 10 ବିଲିୟନ ଆମେରିକୀୟ ଡଲାରରୁ ଅଧିକ ହୋଇଥିବା ଚୁକ୍ତି ସହିତ ଜଡିତ ଥିଲା ଏବଂ ରାଷ୍ଟ୍ରପତି ଟ୍ରମ୍ପ ବିଡେନଙ୍କଠାରୁ ପରାଜିତ ହେବାର କିଛି ଦିନ ପରେ ଆମେରିକାର ବୈଦେଶିକ ବିଭାଗ ଦ୍ୱାରା ଏହାର ବିକ୍ରିକୁ ଅନୁମୋଦନ ମିଳିଥିଲା । ଅନ୍ୟ ପକ୍ଷରେ , ଏମିରାଟ-ଇସ୍ରାଏଲ୍ ମଧ୍ୟରେ ସମ୍ପର୍କ ସ୍ଵାଭାବିକ ହୋଇଥିବାରୁ ଘନିଷ୍ଠ ବୈଷୟିକ ସହଭାଗୀତା ମାଧ୍ୟମରେ ଏହି ଦୁଇ ଦେଶ ସହିତ ଯୋଗାଯୋଗ ବୃଦ୍ଧି ଏବଂ ସମ୍ପର୍କକୁ ଆହୁରି ସୁଦୃଢ କରିବା ଲାଗି ଭାରତ ପାଇଁ ଅପାର ସୁଯୋଗ ପ୍ରଦାନ କରୁଛି |

ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରଠାରୁ ୟୁଏଇ ଉପସାଗରୀୟ ଅଞ୍ଚଳରେ ରାଜନୈତିକ, ଅର୍ଥନୈତିକ ଏବଂ ରଣନୀତିକ ସହଭାଗିତା ଦିଗରେ ଭାରତର ଏକ ମୂଖ୍ୟ ସ୍ଥଳୀ ଭାବେ ଉଭା ହୋଇଛି । ଜାନୁଆରୀ 2021ରେ ୱାଶିଂଟନରେ ବିଡେନ ପ୍ରଶାସନ ଦାୟିତ୍ଵ ଗ୍ରହଣ କରିବାକୁ ଥିବା ବେଳେ ଡଃ ଜୟଶଙ୍କରଙ୍କ ୟୁଏଇ ଗସ୍ତରୁ ଭାରତର ଗଲ୍ଫ ନୀତିରେ ୟୁଏଇର ରଣନୈତିକ ମହତ୍ଵ ଏବଂ ନୀତି ସମ୍ବନ୍ଧୀୟ ଆଭିମୁଖ୍ୟ ସ୍ପଷ୍ଟ ଅନୁମେୟ ହେଉଛି |

ଆଲେଖ୍ୟ : ପ୍ରଫେସର ପି ଆର କୁମାରସ୍ଵାମୀ, ଜେଏନୟୁ

Comments